ପୋଷାକ ବଣ୍ଟନରେ ବ୍ୟାପକ ଅନିୟମିତତା 

କୋଣାର୍କ :  କୋଣାର୍କ ଥାନା ଅଧିନସ୍ଥ ଚନ୍ଦ୍ରଭାଗା ନୋଳିଆ ସାହି ଠାରେ ଥିବା ଚନ୍ଦ୍ରଭାଗା ପ୍ରକଳ୍ପ ପ୍ରାଥମିକ ବିଦ୍ୟାଳୟରେ ଛାତ୍ରଛାତ୍ରୀମାନଙ୍କ ପୋଷାକ ବଣ୍ଟନରେ ବ୍ୟାପକ ଦୁର୍ନୀତି ଓ ଅନିୟମିତତା ହୋଇଥିବା ଅଭିଯୋଗ ହୋଇଛି ।
ପ୍ରକାଶ ଯେ, ରାଜ୍ୟ ସରକାରଙ୍କ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଦ୍ୱାରା ପରିଚାଳିତ ଚନ୍ଦ୍ରଭାଗା ପ୍ରକଳ୍ପ ପ୍ରାଥମିକ ବିଦ୍ୟାଳୟ ଠାରେ ସରକାରୀ ରେକର୍ଡ ଅନୁଯାୟୀ ୧୧୬ ଜଣ ଛାତ୍ରଛାତ୍ରୀ ଅଧ୍ୟୟନ କରୁଥିବା ଜଣାପଡ଼ିଛି । ଗତ ୧୫ ତାରିଖ ଠାରୁ ୧୯ ତାରିଖ ପର୍ଯ୍ୟନ୍ତ ଏହି ବିଦ୍ୟାଳୟରେ ପରୀକ୍ଷା ଚାଲିଥିବା ବେଳେ ୮୦ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇ ମଧ୍ୟାହ୍ନ ଭୋଜନ ଖାଇଥିବା ସରକାରୀ ତଥ୍ୟରୁ ଜଣାପଡିଛି । ଏହି ବିଦ୍ୟାଳୟରେ ରେକର୍ଡ ମୁତାବକ ୧୧୬ ଛାତ୍ରଛାତ୍ରୀ ମଧ୍ୟରୁ ୮୦ଜଣ ଛାତ୍ରଛାତ୍ରୀଙ୍କୁ ପୋଷାକ ବଣ୍ଟନ କରାଯାଇଥିବାବେଳେ କାଗଜ କଲମରେ ୧୧୬ ଛାତ୍ରଛାତ୍ରୀଙ୍କୁ ପୋଷାକ ଦିଆଯାଇଥିବା ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ପକ୍ଷରୁ ଦର୍ଶାଯାଇଛି । ଏହି ବିଦ୍ୟାଳୟକୁ ପୋଷାକ ବଣ୍ଟନ ପାଇଁ ୧ଲକ୍ଷ ୨୧ହଜାର ଟଙ୍କା ଆସିଥିବା ବେଳେ ପ୍ରକୃତ ପକ୍ଷେ ୮୦ଜଣ ଛାତ୍ରଛାତ୍ରୀଙ୍କୁ ଡ୍ରେସ ବଣ୍ଟନ କରାଯାଇ ୪୫ ଜଣ ଛାତ୍ରଛାତ୍ରୀଙ୍କ ପୋଷାକ ବାବଦରେ ଆସିଥିବା ଅର୍ଥକୁ ବିଦ୍ୟାଳୟ ପ୍ରଧାନ ଶିକ୍ଷୟିତ୍ରୀ ଓ ଦାୟିତ୍ୱରେ ଥିବା ଗୋଷ୍ଠୀ ସାଧନ କେନ୍ଦ୍ର ସଂଯୋଜକ ମିଳିତ ଭାବେ ହରିଲୁଟ୍ କରିଥିବା ସମାଜସେବୀ ତଥା କାଉନସିଲର ନିହାର ରଞ୍ଜନ ବେଉରା ଅଭିଯୋଗ କରିଛନ୍ତି । ସେହିପରି ଏହି ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନ ଯୋଗାଣ ନାଁରେ ବ୍ୟାପକ ଦୁର୍ନୀତି ହୋଇଥିବା କାଉନ୍ସିଲର ଶ୍ରୀ ବେଉରା ଅଭିଯୋଗ କରିଛନ୍ତି । ଏହି ଘଟଣାକୁ ଗୁରୁତ୍ୱ ଆରୋପ କରି ମୁଖ୍ୟମନ୍ତ୍ରୀ, ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ମନ୍ତ୍ରୀ, ମୁଖ୍ୟ ଶାସନ ସଚିବ, ପୁରୀ ଜିଲ୍ଲାପାଳ ଓ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ଏହାର ଉଚ୍ଚସ୍ତରୀୟ ତଦନ୍ତ କରିବା ପାଇଁ କୋଣାର୍କ ଅଞ୍ଚଳର ସାମାଜିକ କର୍ମୀ, ସଚେତନ ନାଗରିକ, ବୁଦ୍ଧିଜୀବୀ, ଶିକ୍ଷାବିତ୍ ଓ ବରିଷ୍ଠ ନାଗରିକମାନଙ୍କ ପକ୍ଷରୁ ଦାବି କରାଯାଇଛି ।