ବିଜୁଳି ଦର ଅପରିବର୍ତ୍ତିତ
ଭୁବନେଶ୍ୱର: ସାଧାରଣ ବିଜୁଳି ଉପଭୋକ୍ତାଙ୍କ ଉପରେ ଓଡ଼ିଶା ବିଦୁ୍ୟତ ନିୟାମକ ଆୟୋଗ (ଓଇଆରସି) ବୋଝ ଲଦିନାହାନ୍ତି । ସେମାନଙ୍କ ପାଇଁ ବିଜୁଳି ଦର ଅପରିବର୍ତ୍ତିତ ରହିଛି । ଖାଲି ସେତିକିନୁହେଁ, ଇ-ବିଲ୍ ନେଲେ ୧୦ ଟଙ୍କା ରିହାତି ପ୍ରଦାନ କରାଯିବ । ସ୍ମାର୍ଟ ମିଟରରେ ମଧ୍ୟ ରିହାତି ମିଳିବ । ଓଇଆରସିଙ୍କ ପକ୍ଷରୁ ୨୦୨୫-୨୬ ଆର୍ଥିକ ବର୍ଷ ପାଇଁ ଏଭଳି ଘୋଷଣା କରାଯାଇଛି । ଓଇଆରସିଙ୍କ ସୂଚନା ଅନୁଯାୟୀ, ସାଧାରଣ ଖାଉଟିଙ୍କ ନିମନ୍ତେ ଆଗାମୀ ଆର୍ଥିକ ବର୍ଷରେ ବିଜୁଳି ଦର ବଢ଼ିବ ନାହିଁ । ୨୦୨୧-୨୨ରୁ ଏହି ଧାରା ଜାରିରହିଛି । ଯେଉଁ ଉପଭୋକ୍ତାମାନେ ଇ-ବିଲ୍ ନେବେ ସେମାନଙ୍କୁ ବିଲ୍ରେ ୧୦ ଟଙ୍କା ରିହାତି ମିଳିବ । ପ୍ରିପେଡ଼ ମିଟର ଥିବା ଉପଭୋକ୍ତାମାନଙ୍କୁ ପ୍ରିପେଡ଼ ବିଲ୍ରେ ୪% ରିହାତି ପ୍ରଦାନ କରାଯିବାର ଥିବାବେଳେ ଏଲଟି ଘରୋଇ ଓ ସିଙ୍ଗଲ ଫେଜ୍ ଉପଭୋକ୍ତମାନଙ୍କୁ ଡିଜିଟାଲ ପେମେଣ୍ଟରେ ପୂର୍ବଭଳି ୪% ରିହାତି ମିଳିବ ।
ଜଳସେଚନ, ପମ୍ପିଂ ଓ କୃଷି ଉପଭୋକ୍ତାମାନଙ୍କ ବ୍ୟତୀତ ଅନ୍ୟମାନେ ୧୦ କିଲୋୱାଟରୁ ଅଧିକ ବିଜୁଳି ବ୍ୟବହାର କରୁଥିଲେ ସୋଲାର ଆୱାରରେ ୟୁନିଟ୍ ପିଛା ୧୦ ପଇସା ରିହାତି ମିଳିବ । କିନ୍ତୁ ପିକ୍ ଆୱାରରେ ସେମାନଙ୍କୁ ୟୁନିଟ୍ ପିଛା ୩୦ ପଇସା ସରଚାର୍ଜ ଦେବାକୁ ପଡ଼ିବ । ତେବେ ସାଧାରଣ ସମୟରେ ଏହି ରିହାତି ବା ସରଚାର୍ଜ ଲାଗୁ କରାଯିବ ନାହିଁ । ସକାଳ ୮ଟାରୁ ଅପରାହ୍ନ ୪ ଟା ପର୍ଯ୍ୟନ୍ତ ସମୟକୁ ସୋଲାର ଆୱାର, ୪ରୁ ସଂଧ୍ୟା ୬ ପର୍ଯ୍ୟନ୍ତ ଏବଂ ରାତି ୧୨ରୁ ସକାଳ ୮ଟା ପର୍ଯ୍ୟନ୍ତ ସମୟକୁ ନର୍ମାଲ ଆୱାର ଓ ସଂଧ୍ୟା ୬ରୁ ରାତି ୧୨ଟା ପର୍ଯ୍ୟନ୍ତ ସମୟକୁ ପିକ୍ ଆୱାର କୁହାଯାଉଛି । ଯେଉଁ ଉପଭୋକ୍ତାମାନେ ୨ କିଲୋୱାଟ୍ ପର୍ଯ୍ୟନ୍ତ ବିଜୁଳି ବ୍ୟବହାର କରୁଥିବେ ସେମାନଙ୍କୁ ସ୍ମାର୍ଟ ମିଟର ଦେୟ ଦେବାକୁ ପଡ଼ିବ ନାହିଁ । ସେହିପରି ଡିସକମମାନଙ୍କର ବଲ୍କ ସପ୍ଳାଇ ପ୍ରାଇସ୍ରେ ପରିବର୍ତ୍ତନ କରାଯାଇଛି । ଟିପିସିଓଡ଼ିଏଲର ଦର ଅପରିବର୍ତ୍ତିତ ରହିଛି । ଯେତେବେଳେକି ଟିପିଏନଓଡିଏଲ ଏବଂ ଟିପିଏସଓଡ଼ିଏଲର କିଲୋୱାଟ୍ ପିଛା ୧୦ ପଇସା ଏବଂ ଟିପିଡବ୍ଳୁ୍ୟଓଡ଼ିଏଲର ୫ ପଇସା ବୃଦ୍ଧି କରାଯାଇଛି । ବିଜୁଳି କିଣା ଖର୍ଚ୍ଚ କିନ୍ତୁ ବୃଦ୍ଧି ପାଇଛି । ତାହା ୩୨୦.୯୫ ପଇସାରୁ ୩୨୬.୯୧ ପଇସାକୁ ବଢ଼ିଛି ବୋଲି ଓଇଆରସି କହିଛନ୍ତି । ଅପରପକ୍ଷରେ ଟ୍ରାନ୍ସମିଶନ ଦର ୟୁନିଟ୍ ପିଛା ୨୪ ପଇସାରୁ ୨୫.୫୦ ପଇସାକୁ ବୃଦ୍ଧି ହୋଇଛି । ତଥ୍ୟ ଅନୁଯାୟୀ, ଗ୍ରୀଡ଼କୋର ହାରାହାରି ଶକ୍ତି କ୍ରୟ ଖର୍ଚ୍ଚ ୟୁନିଟ୍ ପିଛା ୩୨୬.୯୧ ପଇସାକୁ ବୃଦ୍ଧି ପାଇଛି । ପୂର୍ବରୁ ତାହା ୩୨୦.୯୫ ପଇସା ଥିଲା । ସେହିପରି ବିଜୁଳି ଯୋଗାଣ ଖର୍ଚ୍ଚ ୟୁନିଟ୍ ପିଛା ୬୦୧.୧କୁ ଖସିଆସିଛି । ଏଟିସି କ୍ଷତି ମଧ୍ୟ ୧୮.୭୯%ରୁ ୧୭.୩୩%କୁ ହ୍ରାସ ପାଇଛି । ରାଜ୍ୟର ଚାହିଦା ପାଇଁ ଗ୍ରୀଡ଼କୋକୁ ୪୧୩୨୧ ମେଗା ୟୁନିଟ୍ ବିଜୁଳି କିଣିବାକୁ ପଡୁଛି ।