ପହିଲାରୁ ସୁଭଦ୍ରା ଶକ୍ତି ମେଳା 

ପହିଲାରୁ ସୁଭଦ୍ରା ଶକ୍ତି ମେଳା 

ଭୁବନେଶ୍ୱର : ନଭେମ୍ବର ପହିଲାରୁ ୧୨ ପର୍ଯ୍ୟନ୍ତ ସୁଭଦ୍ରା ଶକ୍ତି ମେଳା ଇଡ଼କୋ ପ୍ରଦର୍ଶନୀ ପଡିଆରେ ଆୟୋଜିତ ହେବ । ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ସ୍ଥାନୀୟ ମିଶନ ଶକ୍ତି ଭବନରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଏ ସମ୍ପର୍କରେ ସୂଚନା ଦେଇଛନ୍ତି । ସେ କହିଛନ୍ତିଯେ, ଗାଁ ଠାରୁ ଆରମ୍ଭ କରି ସହର ପର୍ଯ୍ୟନ୍ତ, ନାରୀମାନେ  ଆଜି ପ୍ରତ୍ୟେକ କ୍ଷେତ୍ରରେ ନିଜ ସାମର୍ଥ୍ୟ, ସୃଜନଶୀଳତାର ପରିଚୟ ଦେଉଛନ୍ତି । ଏହି ଅପ୍ରତିମ ନାରୀ ଶକ୍ତିକୁ ସମ୍ମାନ ଜଣାଇ ମିଶନ ଶକ୍ତି ବିଭାଗ ଆୟୋଜନ କରୁଛି "ସୁଭଦ୍ରା ଶକ୍ତି ମେଳା-୨୦୨୫” । ଆସନ୍ତା ୧ ରୁ ୧୨ ନଭେମ୍ବର ୨୦୨୫ ପର୍ଯ୍ୟନ୍ତ ଭୁବନେଶ୍ୱରର ୟୁନିଟ୍‌–୩ ସ୍ଥିତ ଇଡକୋ ପ୍ରଦର୍ଶନୀ ପଡିଆରେ ସୁଭଦ୍ରା ଶକ୍ତି ମେଳା, ୨୦୨୫-୨୬ ଅନୁଷ୍ଠିତ ହେବ ।

  ଏହି ମେଳାରେ ରାଜ୍ୟର ସମସ୍ତ ଜିଲ୍ଲାରୁ ୩ ଶହରୁ ଉର୍ଦ୍ଧ୍ୱ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଭାଗନେଇ ସେମାନଙ୍କ ଉତ୍ପାଦିତ ଦ୍ରବ୍ୟର ପ୍ରଦର୍ଶନ ଓ ବିପଣନ କରିବେ । ଏହି ମେଳାରେ ୫୦ ଖାଦ୍ୟ ଷ୍ଟଲର ବ୍ୟବସ୍ଥା ରହିଛି । ଦେଶର ୧୧ ରାଜ୍ୟ ଯଥା ପଞ୍ଜାବ, ଝାଡଖଣ୍ଡ, ଆନ୍ଧ୍ର ପ୍ରଦେଶ, ବିହାର, ଆସାମ, ପଶ୍ଚିମ ବଙ୍ଗ, ଛତିଶଗଡ, ଗୁଜୁରାଟ, ତେଲେଙ୍ଗାନା, ମଧ୍ୟ ପ୍ରଦେଶ ଏବଂ ଗୋଆରୁ ନିମନ୍ତ୍ରିତ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ସେମାନଙ୍କ ରାଜ୍ୟର ଉତ୍କୃଷ୍ଟ ଉତ୍ପାଦ ପ୍ରଦର୍ଶନ କରିବେ । ୧୨ ଦିନର ଧରି ଚାଲିବାକୁ ଥିବା ଏହି ମେଳାରେ ଦର୍ଶକମାନେ ଅନୁଭବ କରିବେ ଓଡିଶାର ସଂସ୍କୃତି, ନାରୀ ଶକ୍ତି ଓ ପାରମ୍ପାରିକ ସ୍ୱାଦର ଅନୁପମ ସଂଗମ । ପ୍ରଥମଥର ପାଇଁ ଙ୍ଖସ୍ୱୟଂ ସହାୟକ ଗୋଷ୍ଠୀଙ୍କ ଦ୍ୱାରା ପ୍ରସ୍ତୁତ ହସ୍ତତନ୍ତ ଓ ପୋଷାକର ଫ୍ୟାଶନ୍‌ ସୋ ଆୟୋଜିତ ହେବାକୁ ଯାଉଥିବା ବେଳେ, ଦର୍ଶକ ମାନେ ୫୦ଟି ସ୍ୱତନ୍ତ୍ର ଖାଦ୍ୟ ଷ୍ଟଲରେ ମିଲେଟ୍‌ ଭିତ୍ତିକ ସ୍ୱାସ୍ଥ୍ୟକର ଖାଦ୍ୟ ସହିତ ବିବିଧ ପାରମ୍ପରିକ ଓଡିଆ ଖାଦ୍ୟ ଉପଭୋଗ କରିପାରିବେ । ଦିନ ୧୧ରୁ ରାତି ୯ଟା ପର୍ଯ୍ୟନ୍ତ ଏହା ଚାଲିବ । ଏହି ଅବସରରେ ବିଭାଗୀୟ ଶାସନ ସଚିବ ଗିରିଶ ଏସ.ଏନ, ନିର୍ଦ୍ଦେଶିକା ଡଃ ମୋନିକା ପ୍ରିୟଦର୍ଶିନୀ ଓ ଅନ୍ୟ ବିଭାଗୀୟ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ ।