ଏଏମ୍ଏନ୍ଏସ୍ କମ୍ପାନୀ ଆଗରେ ବିକ୍ଷୋଭ

 ପାରାଦୀପ : ଶ୍ରମିଳଙ୍କୁ ସର୍ବନିମ୍ନ ମୈାଳିକ ସୁବିଧା ଯୋଗଇ ନ ଦେବା ସାଙ୍ଗକୁ ନିଜର ହକ୍ ପାଇଁ ମୁହଁ ଖୋଲିଥିବା ଶ୍ରମିକଙ୍କୁ ବେଆଇନ ଛଟେଇ କରିବା ପ୍ରତିବାଦରେ ପୂର୍ବ ଉପକୂଳ ଶ୍ରମିକ ସଂଘ ସଭାପତି ପ୍ରକାଶ ତ୍ରିପାଠୀଙ୍କ ନେତୃତ୍ୱରେ ଶ୍ରମିକ ଆର୍ସେଲ ମିତଲ ନିପ୍ପନ ଷ୍ଟିଲ ଇଣ୍ଡିଆ କମ୍ପାନୀର ଫାଟକ ସମ୍ମୁଖରେ ଶାନ୍ତିପୂର୍ଣ୍ଣ ଆନେ୍ଦାଳନ ଜାରି ରହିଛି । ଏଥିରେ  ଯଦି  କମ୍ପାନୀ କର୍ତୃପକ୍ଷଙ୍କ ଚୈତନ୍ୟ ଉଦୟ ନ ହୁଏ, ତେବେ ଏମ୍ଏନ୍ଏସ୍ କମ୍ପାନୀ ବିରୁଦ୍ଧରେ ସଂଘ ନିଆରା ପନ୍ଥା ଅବଲମ୍ବନ କରିବାକୁ ବାଧ୍ୟ ହେବ ବୋଲି ସଂଘ ପକ୍ଷରୁ ଏକ ପ୍ରେସ ଇସ୍ତାହାର ଅବଗତ କରାଇ ଦିଆଯାଇଛି । ଏମ୍ଏନ୍ଏସ୍  ଇଣ୍ଡିଆ କମ୍ପାନୀରେ କାମ କରୁଥିବା ଶ୍ରମିକ ମାନଙ୍କ ବିଭିନ୍ନ ସମସ୍ୟା ଗୁଡିକ ଆପୋଷ ଆଲୋଚନା ମାଧ୍ୟମରେ ସମାଧାନ କରିବା ପାଇଁ  ଶ୍ରମିକ ସଂଘ ପକ୍ଷରୁ ପତ୍ର ମାଧ୍ୟମରେ ଏମ୍ଏନ୍ଏସ ଇଣ୍ଡିଆ କର୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରିବା ସହିତ ସ୍ଥାନୀୟ ଅତିରିକ୍ତ ଜିଲ୍ଲାପାଳ ଓ କମ୍ପାନୀ କର୍ତୃପକ୍ଷଙ୍କ ସହିତ ସଂଘ କର୍ମକର୍ତା ଏ ସମ୍ପର୍କରେ  ଆଲୋଚନା କରିଥିଲା । କୌଣସି ହାଲତରେ କିନ୍ତୁ କମ୍ପାନୀ କର୍ତୃପକ୍ଷ ସରକାରଙ୍କ ଶିଳ୍ପ ନୀତି ଓ ଶ୍ରମ ଆଇନ ମାନିବାକୁ ପ୍ରସ୍ତୁତ ନୁହଁନ୍ତି । ଶିଳ୍ପର ନଗରୀ ପାରାଦୀପରେ ଗଢି ଉଠିଥିବା ଛୋଟବଡ ଶିଳ୍ପ ସଂସ୍ଥା ଗୁଡିକ   ଶ୍ରମିକଙ୍କ ସ୍ୱାର୍ଥ ରକ୍ଷା ପାଇଁ ଏଠାରେ ଗଢି ଉଠିଥିବା ଶ୍ରମିକ ସଂଗଠନକୁ ସ୍ୱୀକୃତି ଦେଇଛନ୍ତି । ଯଦ୍ୱାରା ଉଭୟ ଶ୍ରମିକ ସଂଗଠନ ଓ କମ୍ପାନୀ କର୍ତୃପକ୍ଷଙ୍କ ମଧ୍ୟରେ ଆପୋଷ ଆଲୋଚନା ମାଧ୍ୟମରେ ଶ୍ରମିକଙ୍କ ବିଭିନ୍ନ ସମସ୍ୟା ଅନାୟାସରେ ସମାଧାନ ହୋଇ ଆସୁଛି । ଆନେ୍ଦାଳନ, ବିକ୍ଷୋଭ, କାର୍ଯ୍ୟ ବନ୍ଦ ଆନେ୍ଦାଳନରୁ ଶ୍ରମିକମାନେ ଦୂରେଇ ରହି ଆସିଛନ୍ତି  । ୮ ମାସ ତଳୁ ପୂର୍ବ ଉପକୂଳ ଶ୍ରମିକ ସଂଘ   କମ୍ପାନୀରେ କାର୍ଯ୍ୟରତ ଶ୍ରମିକ ସମ୍ମୁଖୀନ ହେଉଥିବା ବିଭିନ୍ନ ସମସ୍ୟାର ଆପୋଷ ଆଲୋଚନା ମାଧ୍ୟମରେ ସମାଧାନ କରିବା ପାଇଁ ସଂଘ ବାରମ୍ବାର ଜଣାଉଥିଲେ ମଧ୍ୟ କମ୍ପାନୀ କର୍ତୃପକ୍ଷ ଶ୍ରମିକ ସଂଘକୁ କୌଣସ ଉତ୍ତର ଦେଉ ନ ଥିବା ପରିପ୍ରେକ୍ଷୀରେ କମ୍ପାନୀର ଏଭଳି ମେରିରାୟ ଶାସନ ସମ୍ପର୍କରେ ଅତିରିକ୍ତ ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରାଯାଇଛି । ଅପର ପକ୍ଷେ  ଅତିରିକ୍ତ ଜିଲ୍ଲାପାଳଙ୍କ  ତାଗିଦ ସତ୍ୱେ କୁମ୍ଭକର୍ଣ୍ଣ ନିଦ୍ରାରେ ଶୋଇ ରହିଛନ୍ତି କମ୍ପାନୀ କର୍ତ୍ତୃପକ୍ଷ । ଶ୍ରମିକ ମାନେ ଦୁଇ ଦିନ ଧରି ଘଂଟିକିଆ ଶାନ୍ତିପୂର୍ଣ୍ଣ ବିକ୍ଷୋଭ ପ୍ରଦର୍ଶନ ଜାରି ରଖିଛନ୍ତି । ଏତେ ପରେ ବି  ଆଲୋଚନା ମାଧ୍ୟମରେ ଶ୍ରମିକଙ୍କ ମୌଳିକ ସମସ୍ୟା ସମାଧାନ କରିବାକୁ କମ୍ପାନୀ କର୍ତ୍ତୃପକ୍ଷ ଶ୍ରମିକ ସଂଘକୁ ନ ଡାକେ, ତେବେ ପୂର୍ବ ଉପକୂଳ ଶ୍ରମିକ ସଂଘ ଚରମ ନିଷ୍ପତି ଗ୍ରହଣ କରିବାକୁ ବାଧ୍ୟ ହେବ । ସେଥିପାଇଁ ଯାହା କିଛି କ୍ଷତି କ୍ଷତି ଘଟିବ ସେଥିପାଇଁ କମ୍ପାନୀ କର୍ତ୍ତୃପକ୍ଷ ଦାୟୀ ରହିବେ ବୋଲି ଶ୍ରମିକ ନେତା ପ୍ର୍ରକାଶ ତ୍ରିପାଠୀ କଡା ଚେତାବନୀ ଶୁଣାଇଛନ୍ତି  । ଶାନ୍ତିପୂର୍ଣ୍ଣ ଆନେ୍ଦାଳନରେ ଶ୍ରମିକ ସଂଘ ସଭାପତି ପ୍ରକାଶ ତ୍ରିପାଠୀଙ୍କ ସମେତ ସାଧାରଣ ସମ୍ପାଦକ ଅଭିମନୁ୍ୟ ବେହେରା, ସମ୍ପାଦକ ରତ୍ନାକର ଜେନା ଓ ସଂଘର ଅନ୍ୟ କର୍ମକର୍ତ୍ତା ରହିଛନ୍ତି ।