ସାବଧାନ ! ଧାନ ଗାଡ଼ିରେ ଲାଗିବ ଜିପିଏସ
KV SINGHDEO

ଭୁବନେଶ୍ୱର : ଚଳିତ ବର୍ଷ ଧାନ କୁଇଣ୍ଟାଲ ପିଛା ୩୧ ଶହ ଟଙ୍କାରେ କିଣାଯିବ । ଏଥିପାଇଁ ଏବେଠାରୁ ସରକାର ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି । ପଡେ଼ାଶୀ ରାଜ୍ୟରୁ ଧାନ ଓଡ଼ିଶାକୁ ଆସିବାର ଥିବାରୁ ସୀମାନ୍ତ ଜିଲ୍ଲାର ଜିଲ୍ଲାପାଳମାନେ ଏହା ଉପରେ ନଜର ରଖିବେ । ସେହିପରି ଗ୍ରେନ ଆନାଲଇଜର ଜରିଆରେ ଧାନର ଯାଞ୍ଚ ହେବା ସହ ଏଆଇ ଦ୍ୱାରା ଓଜନ ମପାଯିବ । ଜିପିଏସ ଦ୍ୱାରା ଧାନଗାଡ଼ିର ଟ୍ରାକିଂ ହେବା ସହ ଚାଷୀମାନଙ୍କ ଆକାଉଣ୍ଟ ଯାଞ୍ଚ କରାଯିବ । ଜିଲ୍ଲାପାଳ ସମ୍ମିଳନୀରେ ସରକାରଙ୍କ ପକ୍ଷରୁ ଏହା କୁହାଯାଇଛି ।
ଲୋକସେବା ଭବନର କନଭେନସନ ହଲରେ ଆୟୋଜିତ ଜିଲ୍ଲାପାଳ ସମ୍ମିଳନୀରେ ଯୋଗଦେଇ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଧାନ ସଂଗ୍ରହ କାର୍ଯ୍ୟକୁ ସରଳ ଓ ତ୍ୱରାନ୍ୱିତ କରିବା ନିମନ୍ତେ ପରାମର୍ଶ ଦେଇଥିଲେ । ଏହି ପରିପ୍ରେକ୍ଷୀରେ ସେ କହିଥିଲେଯେ, ଯେଉଁ ଜିଲ୍ଲାର ମଣ୍ଡିଗୁଡିକରେ କୌଣସି କାରଣବଶତଃ ଧାନ ସଂଗ୍ରହ ହୋଇପାରୁନାହିଁ, ସେହି କ୍ଷେତ୍ରରେ ନିକଟତମ ଜିଲ୍ଲାର ମଣ୍ଡିରେ ଚାଷୀମାନେ ନିଜର ଧାନ ବିକ୍ରି କରିପାରିବେ । ସଂଗୃହୀତ ଧାନର ଅନଲାଇନ ପଞ୍ଜୀକରଣ ହେବ ଆବଶ୍ୟକ । ଧାନ ନେଇ ଯାଉଥିବା ଗାଡିଗୁଡିକର ଜିପିଏସ ଟ୍ରାକିଂ କରାଯିବ ।