ଗୁଳି କରି ଲୁଟ୍ ଯୁବକ ଗୁରୁତର


ବାରିପଦାରୁ ପ୍ରୟାଗରାଜ କର :  ଗୁଳି କରି ଯୁବକଙ୍କୁ ଲୁଟ୍ କରାଯାଇଛି  । ମୟୂରଭଞ୍ଜ ଜିଲ୍ଲା କୁଳିଅଣା ଥାନା ଅନ୍ତର୍ଗତ ବାଇଗଣବାଡ଼ିଆ ଛକରେ ଏହି ଗୁଳିକାଣ୍ଡ ଘଟିଛି  । ଟଙ୍କା ଆହତ ଯୁବକ ହେଲେ କୁଳିଅଣା ବ୍ଲକ କାମତା ଅଞ୍ଚଳର ଶିବାନନ୍ଦ ବାରିକ  ।  ମିଳିଥିବା ସୂଚନା ଅନୁଯାୟୀ, ଶିବାନନ୍ଦ କୁଳିଅଣାରେ ଥିବା ବିଦେଶୀ ମଦ ଦୋକାନରେ କାମ କରନ୍ତି  ।  ଗତକାଲିର ବିକ୍ରି ଟଙ୍କା ଧରି ସେ ବାରିପଦା ଆସୁଥିଲେ  । ପୂର୍ବ ଯୋଜନା ମୁତାବକ ଦୁଇଟି ବାଇକ୍ରେ ୪ ଜଣ ଦୁର୍ବୃତ୍ତ ପହଁଚି ଗୁଳି ମାରିଥିଲେ  । ପ୍ରଥମେ ସେମାନେ ଶିବାନନ୍ଦଙ୍କ ଜଙ୍ଘକୁ ଗୁଳି ମାରି ଅଟକାଇଥିଲେ  । ତା’ପରେ ସେମାନେ ତାଙ୍କ ମୁଣ୍ଡରେ ବନ୍ଧୁକ ରଖି ଟଙ୍କା ମାଗିଥିଲେ  । ତେବେ ଶିବାନନ୍ଦ କୌଶଳ କ୍ରମେ ବାଇକ ଛାଡ଼ି ତାଙ୍କ ବ୍ୟାଗ୍ ନେଇ ଦୌଡ଼ି ପଳାଇବାରୁ ପଛପଟୁ ଆଉ ୩ ରାଉଣ୍ଡ ଗୁଳି ଚଳାଇଥିଲେ  । ଗୁଳି ଶବ୍ଦ ଶୁଣି ଘଟଣା ସ୍ଥଳରେ ଲୋକେ ଜମା ହୋଇଯାଇଥିଲେ  । ଫଳରେ ଦୁର୍ବୃତ୍ତମାନେ ସେଠାରୁ ଫେରାର ହୋଇଯାଇଥିଲେ  । ସେମାନେ ବଙ୍ଗଳା ଓଡ଼ିଆ ମିଶାମିଶି ଭାଷା କହୁଥିବାରୁ ସେମାନେ ପଶ୍ଚିମବଙ୍ଗ ସୀମାନ୍ତର ଲୁଟେରା ହୋଇଥିବା ସନେ୍ଦହ କରାଯାଉଛି  । ଘଟଣା ସ୍ଥଳରେ ପାଞ୍ଚଟି ଖୋକା ପଡ଼ିଥିବା ବେଳେ କୁଳିଅଣା ଥାନା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି  । ସେପଟେ ଆହତ ଯୁବକଙ୍କୁ ବାରିପଦା ପିଆରଏମ ହସ୍ପିଟାଲରେ ଭର୍ତ୍ତି କରାଯାଇଛି  ।
ଗୁଳିକାଣ୍ଡରେ ଆହତ ଯୁବକକୁ ଦେଖିବା ଲାଗି ପୂର୍ବତନ ମନ୍ତ୍ରୀ ସୁଦାମ ମାରାଣ୍ଡି ପିଆରଏମରେ ପହଞ୍ଚିଥିଲେ  । ଏପଟେ ରଥଯାତ୍ରା ଆସୁଥିବାରୁ ଏଭଳି କାଣ୍ଡ ନିଶ୍ଚିତ ଭାବରେ ଜନସାଧାରଣଙ୍କ ଭିତରେ ଭୟ ସୃଷ୍ଟି କରିଛି  । ବାରିପଦା ସଦର ଏସଡିପିଓ ପ୍ରଭାତ ମଲ୍ଲିକ ନିଜେ ଏହି ଘଟଣାର ତଦନ୍ତ କରୁଛନ୍ତି  । ତୁରନ୍ତ ବାଙ୍ଗିରିପୋଷି, କୁଳିଅଣା, ଚାନ୍ଦୁଆ, ଝରପୋଖରିଆ ଇତ୍ୟାଦି ଥାନାର ପୋଲିସ ସୀମାନ୍ତ ଅଞ୍ଚଳଗୁଡ଼ିକୁ ସିଲ୍ କରିବା ସହିତ ଦୁର୍ବୃତ୍ତମାନଙ୍କୁ ଧରିବାକୁ ତନାଘନା ଆରମ୍ଭ କରିଛନ୍ତି ବୋଲି ଏସଡ଼ିପିଓ କହିଛନ୍ତି  । ଦିନ ଦିପହରରେ ଜାତୀୟ ରାଜପଥ ଉପରେ ଏଭଳି ଗୁଳିକାଣ୍ଡ ଘଟଣା ଜିଲ୍ଲାର ଆଇନ ଶୃଙ୍ଖଳା ପରିସ୍ଥିତିକୁ ନେଇ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି  ।