ମାୟାବତୀଙ୍କ ବଡ଼ ନିଷ୍ପତ୍ତି ‘ମୁଁ ଥିବା ପର୍ଯ୍ୟନ୍ତ ଉତ୍ତରାଧିକାରୀ ନାହାନ୍ତି’

 ଲକ୍ଷ୍ନୌ : “ଯେ ପର୍ଯ୍ୟନ୍ତ ମୁଁ ଜୀବିତ ଅଛି, ସେ ପର୍ଯ୍ୟନ୍ତ କୌଣସି ବ୍ୟକ୍ତି ଦଳର ଉତ୍ତରାଧିକାରୀ ହୋଇପାରିବ ନାହିଁ । ସେ କୌଣସି ନିକଟତର ଲୋକ ହୁଅନ୍ତୁ ଅବା ସମ୍ପର୍କୀୟ । ମୋ ପାଇଁ ଦଳ ଏବଂ ଆନେ୍ଦାଳନ ହେଉଛି ପ୍ରାଥମିକତା; ପରେ  ଭାଇଭଉଣୀ ଓ ସେମାନଙ୍କ ପିଲାମାନେ ।” ଲକ୍ଷ୍ନୌରେ ରବିବାର ଅନୁଷ୍ଠିତ ବହୁଜନ ସମାଜବାଦୀ ପାର୍ଟି (ବିଏସ୍ପି)ର ସର୍ବଭାରତୀୟ ଦଳୀୟ ବୈଠକରେ ଏହା ପ୍ରକାଶ କରିଛନ୍ତି ବିଏସ୍ପି ସୁପ୍ରିମୋ ମାୟାବତୀ ।
ମାୟାବତୀ ତାଙ୍କ ପୁତୁରା ଆକାଶ ଆନନ୍ଦଙ୍କୁ ଉତ୍ତରାଧିକାରୀ ସମେତ ଜାତୀୟ ସଂଯୋଜକ ପଦବୀରୁ ହଟାଇ ଏହା ପ୍ରକାଶ କରିଛନ୍ତି । ଆକାଶଙ୍କ ବଦଳରେ ତାଙ୍କ ସ୍ଥାନରେ ରାଜ୍ୟସଭା ସାଂସଦ ରାମଜୀ ଗୌତମଙ୍କୁ ଦଳର ଜାତୀୟ ସଂଯୋଜକ ଭାବେ ନିୟୋଜିତ କରିଛନ୍ତି । ରାମଜୀ ଗୌତମ ଏବେ ମାୟାବତୀଙ୍କ ସାନଭାଇ ଆନନ୍ଦ କୁମାରଙ୍କ ସହ ମିଶି ଦଳୀୟ ନେତୃତ୍ୱ ନେବେ ବୋଲି ମାୟାବତୀ ଘୋଷଣା କରିଛନ୍ତି । ତେବେ ଏହି ବୈଠକରେ ଆକାଶ ଆନନ୍ଦ ଯୋଗ ନ ଦେବାକୁ ନେଇ ନାନା କଳ୍ପନାଜଳ୍ପନା ଲାଗି ରହିଛି ।
ଏଇ ନିକଟରେ ଦଳୀୟ କନ୍ଦଳକୁ ନେଇ ରାଜ୍ୟସଭା ସାଂସଦ ତଥା ଆକାଶଙ୍କ ଶଶୁର ଅଶୋକ ସିଦ୍ଧାର୍ଥଙ୍କୁ ଦଳରୁ ବହିଷ୍କାର କରାଯାଇଥିଲା । ଏବେ ଆକାଶଙ୍କ ଠାରୁ ସବୁ ପଦବୀ ଛଡ଼ାଇ ନିଆଯାଇଥିବାରୁ ୟୁପି ରାଜନୀତିରେ ଉଷ୍ଣତା ଦେଖାଦେଇଛି । ମାୟାବତୀ ଏହା ମଧ୍ୟ କହିଛନ୍ତି ଯେ, ଅଶୋକଙ୍କ ପାଇଁ ଆକାଶଙ୍କ ରାଜନୈତିକ କ୍ୟାରିୟର୍ ପ୍ରଭାବିତ ହୋଇଛି । ୨୦୨୭ ବିଧାନସଭା ନିର୍ବାଚନ ନେଇ ଉତ୍ତର ପ୍ରଦେଶର ବିଭିନ୍ନ ରାଜନୈତିକ ଦଳ ନିଜକୁ ପ୍ରସ୍ତୁତ କରୁଥିବା ବେଳେ ଏପଟେ ବିଏସ୍ପିରେ ଜାରି ରହିଥିବା ପଦ ଅଦଳବଦଳରେ ଦ୍ୱନ୍ଦ୍ୱରେ ପଡ଼ିଛନ୍ତି କର୍ମୀ ।
ଅପରପକ୍ଷେ ବୈଠକରେ ଦଳୀୟ ସ୍ଥିତି ସମ୍ପର୍କରେ ଆଲୋଚନା ହୋଇଥିବା ବେଳେ ମହାକୁମ୍ଭ ବିଶୃଙ୍ଖଳା ଉପରେ ମଧ୍ୟ ଗୁରୁତ୍ୱାରୋପ କରିଥିଲେ ମାୟାବତୀ । ସେହିପରି କେନ୍ଦ୍ର ଏବଂ ୟୁପି ସରକାରଙ୍କ ବଜେଟ୍ ବିଷୟରେ ଆଲୋଚନା କରି ସେ କହିଥିଲେ ଯେ, ଅଧିକାଂଶ ସରକାରୀ ଦାବି ବାସ୍ତବତାଠାରୁ ଦୂରରେ ଏବଂ କାଳ୍ପନିକ । କୋଟି କୋଟି ଗରିବ, ଶ୍ରମିକ, ଦଳିତ, ପଛୁଆ ବର୍ଗଙ୍କ ପାଇଁ ବଜେଟ୍ରେ ଆଖିଦୃଶିଆ ପଦକ୍ଷେପ ନିଆଯାଇ ନାହିଁ ବୋଲି କହିଥିଲେ ।