ମିସାଇଲ ମାଡ଼ରେ ୬୦ ମୃତ

ମିସାଇଲ ମାଡ଼ରେ ୬୦ ମୃତ

ନୂଆଦିଲ୍ଲୀ: ଯେସାକୁ ତେସା ନୀତି ଯିଦ୍‌ରେ ମଧ୍ୟପ୍ରାଚ୍ୟର ଦୁଇ ରାଷ୍ଟ୍ର ଇରାନ୍‌ ଓ ଇସ୍ରାଏଲ୍‌ । ରବିବାର ରାତିରେ ତୃତୀୟ ଥର ପାଇଁ ଇରାନ୍‌ ଉପରେ ଭୀଷଣ ଆକ୍ରମଣ କରିଛି ଇସ୍ରାଏଲ୍‌ । ‘ଅପରେସନ୍‌ ରାଇଜିଂ ଲାୟନ୍‌’ ଜରିଆରେ ଇସ୍ରାଏଲ୍‌; ଇରାନ୍‌ର ବିଭିନ୍ନ ଜନବସତି ସହର ସମେତ ଆଣବିକ ଘାଟି, ଅଏଲ୍‌ ରିଫାଇନାରୀ ଓ ମୁଖ୍ୟ ଗ୍ୟାସ୍‌ ପାଇପ୍‌ ଲାଇନ୍‌ (ଇରାନ୍‌ ଅର୍ଥନୀତିର ମୁଖ୍ୟ ସ୍ରୋତ ତଥା ଜୀବନରେଖା) ଭଳି ମୋଟ୍‌ ୧୫୦ଟି ଅଞ୍ଚଳକୁ ଟାର୍ଗେଟ୍‌ କରିଛି । ତୃତୀୟଥର ଆକ୍ରମଣରେ ଇରାନ୍‌ରେ ୬୦ଜଣଙ୍କ ମୃତ୍ୟୁ ହୋଇଛି । ଏହି ମୃତକଙ୍କ ମଧ୍ୟରେ ୨୯ଜଣ ଶିଶୁଥିବା ତେହରାନ୍‌ ପ୍ରଶାସନ ସ୍ପଷ୍ଟ କରିଛି । ଏହାସହ ଶତାଧିକ ଗୁରୁତର ହୋଇଛନ୍ତି । ତେବେ ଏହା ପୂର୍ବରୁ ପ୍ରଥମ ଦୁଇଦିନ ଆକ୍ରମଣରେ ଇରାନ୍‌ରେ ମୋଟ ୭୮ ଜଣଙ୍କ ମୃତ୍ୟୁ ହୋଇଥିଲା ବୋଲି ଇରାନ ପକ୍ଷରୁ ଦାବି କରାଯାଇଛି । ଇରାନ୍‌ର ବହୁ ସେନା ପ୍ରମୁଖଙ୍କ ସମେତ ୯ ଆଣବିକ ବିଜ୍ଞାନୀ ଏହାର ଅନ୍ତର୍ଭୁକ୍ତ । ସେପଟେ ଇସ୍ରାଏଲ୍‌ ଆକ୍ରମଣରେ ଆମେରିକାର ସମ୍ପୃକ୍ତିକୁ ନେଇ ଇରାନ୍‌; ଇରାକ୍‌ର ପଶ୍ଚିମ ଭାଗରେ ଥିବା ଆମେରିକା ସେନା ଶିବରରେ ଡ୍ରୋନ୍‌ ଆକ୍ରମଣ କରିଛି ।  ସିଟି ମିଲିସିଆଙ୍କ ପକ୍ଷରୁ ଏହି ଆକ୍ରମଣ କରାଯାଇଥିବା ବେଳେ ଆମେରିକା ସେନା ଶିବିର ଉପରେ ୩ଟି ଡ୍ରୋନ୍‌ ପକାଯାଇଛି ।ରବିବାର ଇସ୍ରାଏଲ୍‌ର ମିସାଇଲ୍‌ ମାଡ଼ରେ ବହୁ ବଡ଼ ବଡ଼ ବିଲ୍ଡିଂ କ୍ଷତିଗ୍ରସ୍ତ ହେବା ସହ ରବିବାର ରାତିସାରା ଇରାନ୍‌ରେ ଅଗ୍ନିବର୍ଷା ଦେଖିବାକୁ ମିଳିଛି । ଇସ୍ରାଏଲ୍‌ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍‌ ନେତନ୍ୟାହୁଙ୍କ ନିର୍ଦ୍ଦେଶ କ୍ରମେ ଇସ୍ରାଏଲୀ ସେନା ଇରାନ୍‌ର ଆଣବିକ ଘାଟି ସମେତ ପ୍ରତିରକ୍ଷା ଶିବିର ଭଳି ମୋଟ୍‌ ୧୫୦ଟି ସମ୍ବେଦନଶୀଳ ଅଞ୍ଚଳରେ ପ୍ରବଳ ମିସାଇଲ୍‌ ମାଡ଼ କରିଛି । ରବିବାର ବିଳମ୍ବିତ ରାତି ୨.୩୦ରେ ଇରାନ୍‌ର ପ୍ରତିରକ୍ଷା ମନ୍ତ୍ରଣାଳୟ, ଆଣବିକ ପ୍ରକଳ୍ପ ଘାଟି ଭଳି ବହୁ ସମ୍ବେଦନଶୀଳ ଅଞ୍ଚଳରେ ମିସାଇଲ୍‌ ମାଡ଼ କରିଥିବା ଇସ୍ରାଏଲ୍‌ ପ୍ରତିରକ୍ଷା ବିଭାଗ ସ୍ପଷ୍ଟ କରିଛି ।ଅପରପକ୍ଷେ ଇସ୍ରାଏଲ୍‌ର ଏପରି ଆକ୍ରମଣ ପଛରେ ନିଶ୍ଚିତ ଭାବେ ଆମେରିକାର ସିଧାସଳଖ ହାତ ରହିଛି ବୋଲି ଇରାନ୍‌ କହିଛି । ଇସ୍ରାଏଲ୍‌ ସେନା ସହିତ ଆମେରିକା ବାୟୁସେନା ମିଳିତ ଭାବେ ଏହି ଆକ୍ରମଣ କରିଛି । ଆଉ ଏହାର ଠୋସ୍‌ ପ୍ରମାଣ ମଧ୍ୟ ରହିଛି ବୋଲି ଇରାନ୍‌ ବୈଦେଶିକ ମନ୍ତ୍ରୀ ଆବାସ୍‌ ଆରାଗ୍‌ଛି ରବିବାର କହିଛନ୍ତି । ସେପଟେ ଆଜି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ମଧ୍ୟ ଇରାନ୍‌କୁ ପୁଣି ଚେତାବନୀ ସ୍ୱରୂପ କହିଛନ୍ତି, ଯଦି ଆମେରିକା ଯୁଦ୍ଧ ଆରମ୍ଭ କରେ ତେବେ ପୂର୍ଣ୍ଣ କ୍ଷମତା ସହ ଆକ୍ରମଣ କରିବ । ଏମିତି କୌଣସି ଶକ୍ତି ନାହିଁ ଯାହା ସହିତ ୱାଶିଂଟନ୍‌ ଲଢ଼ିପାରିବନି ।ତେବେ ଏହି ଦୁଇଦେଶଙ୍କ ମଧ୍ୟରେ ଦେଖାଦେଇଥିବା ଉତ୍ତେଜନା ଓ ଆଣବିକ ଘାଟିରେ ଆକ୍ରମଣକୁ ନେଇ ବହୁରାଷ୍ଟ୍ରର ଶୀର୍ଷନେତାମାନେ ଚିନ୍ତା ପ୍ରକଟ କରିଛନ୍ତି । ତୁରନ୍ତ ଏହି ଯୁଦ୍ଧକୁ ରୋକିବା ଜରୁରୀ ବୋଲି ତୁର୍କୀ, ସାଉଦିଆରବ, ଇଂଲଣ୍ଡ ଭଳି ରାଷ୍ଟ୍ରମାନେ ଦାବି କରିଛନ୍ତି । ଏନେଇ ସେମାନେ ଇସ୍ରାଏଲ୍‌ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍‌ ନେତନ୍ୟାହୁଙ୍କ ଫୋନ୍‌ ଯୋଗେ ଯୁଦ୍ଧ ବନ୍ଦ କରିବାକୁ ଅନୁରୋଧ କରିଛନ୍ତି ।