ନିଦ ହଜେଇଲାଣି ‘ହଇଜା’, ହସପିଟାଲରେ ହାଇଆଲର୍ଟ, ନିଘା ରଖିଛନ୍ତି ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର: ଯାଜପୁର ଏବଂ କେନ୍ଦୁଝର ଜିଲ୍ଲାର କିଛି ଅଞ୍ଚଳରେ ଝାଡାବାନ୍ତି ବ୍ୟାପି ଥିବାର ଖବର ଆସିବା ମାତ୍ରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ତୁରନ୍ତ ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀ ତଥା ସ୍ୱାସ୍ଥ୍ୟ ବିଭାଗର ବରିଷ୍ଠ ଅଧିକାରୀଙ୍କୁ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ନିର୍ଦ୍ଦେଶ ପ୍ରଦାନ କରିଥିଲେ । ସମସ୍ତଙ୍କୁ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବାପାଇଁ ଜିଲ୍ଲାର ସବୁ ସ୍ୱାସ୍ଥ୍ୟକେନ୍ଦ୍ରକୁ ହାଇ ଆଲର୍ଟମୋଡରେ ରଖାଯିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏହାସହିତ ଯାଜପୁର ଜିଲ୍ଲାର ସମସ୍ତ ପାନୀୟ ଜଳ ଉତ୍ସକୁ ଯଥାଶୀଘ୍ର ବିଶୋଧନ କରିବା, ଅନ୍ୟାଦେଶ ପର୍ଯ୍ୟନ୍ତ ରାସ୍ତାକଡ ଖାଦ୍ୟ ଉପରେ କଟକଣା, ଖାଦ୍ୟ ସୁରକ୍ଷା ଯାଞ୍ଚକୁ କଡାକଡି କରିବା ପାଇଁ ପଦକ୍ଷେପ ନିଆଯାଉଛି । ପଡୋଶୀ ଜିଲ୍ଲାକୁ ଯେପରି ଏହି ରୋଗ ନବ୍ୟାପିବ ସେଥିପାଇଁ ସେମାନଙ୍କୁ ସଜାଗ ରହିବା ପାଇଁ ପରାମର୍ଶ ଦିଆ ଯାଉଛି । ଝାଡାବାନ୍ତି ରୋଗକୁ ନିୟନ୍ତ୍ରଣରେ ଆଣିବା ପାଇଁ ଯଥେଷ୍ଟ ଔଷଧ ଏବଂ ଅନ୍ୟାନ୍ୟ ସାମଗ୍ରୀ, ଡାକ୍ତରୀ ଦଳକୁ ନିୟୋଜିତ କରାଯାଇଛି । ରୋଗ ଆରମ୍ଭ ସମୟରୁ ହିଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ କଟକ ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡିକାଲ କଲେଜ ଓ ହସପିଟାଲରୁ ଡାକ୍ତରୀ ଦଳ ଯାଇ ରୋଗୀମାନଙ୍କ ଚିକିତ୍ସା କରିବା ସହ ପରିସ୍ଥିତି ଉପରେ ନଜର ରଖିଛନ୍ତି । ବିଭିନ୍ନ ଜିଲ୍ଲାର ଡାକ୍ତର ଓ ଅନ୍ୟ ଅଧିକାରୀମାନଙ୍କ ସହ ନିୟମିତ ଆଲୋଚନା କରି ସ୍ଥିତି ଉପରେ ନଜର ରଖୁଛନ୍ତି ଏବଂ ଆବଶ୍ୟକୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛନ୍ତି । ରାଜ୍ୟ ସରକାରଙ୍କୁ ଝାଡାବାନ୍ତି ନିୟନ୍ତ୍ରଣରେ ସହାୟତା କରିବା ପାଇଁ କେନ୍ଦ୍ର ସରକାରଙ୍କ ‘ଭାରତୀୟ ଆୟୂର୍ବିଜ୍ଞାନ ଗବେଷଣା ପରିଷଦ'ର ଟିମ୍ ମଧ୍ୟ ଓଡିଶା ଆସିଥିଲେ ।