ଅସଲ ରୂପକୁ ଫେରିବେ ମୋହନ
Mohan Charan Majhi
ଭୁବନେଶ୍ୱର : ଗତ ଛଅମାସ ଧରି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ନେଇ ରାଜ୍ୟ ରାଜନୀତିରେ ଚର୍ଚ୍ଚା ଜୋରଧରିଛି । କନକବର୍ଦ୍ଧନ ସିଂହଦେଓ, ସୁରେଶ ପୂଜାରୀ, ଜୟ ନାରାୟଣ ମିଶ୍ରଙ୍କ ଭଳି ଟାଣୁଆ ନେତାଙ୍କୁ ପଛରେ ପକାଇ ସେ ମୁଖ୍ୟମନ୍ତ୍ରୀ ହୋଇଗଲେ । ମୁଖ୍ୟମନ୍ତ୍ରୀ ହେବା ପାଇଁ ସେ ଲବି କରିନଥିଲେ କିମ୍ବା ହେବାକୁ ବି ଭାବିନଥିଲେ । କିନ୍ତୁ ମା’ ତାରିଣୀଙ୍କ କୃପାରୁ ଭାଗ୍ୟଦେବୀ ତାଙ୍କ ଉପରେ ପ୍ରସନ୍ନ ହୋଇଥିଲେ । କେନ୍ଦ୍ରରେ ଧର୍ମେନ୍ଦ୍ର ପ୍ରଧାନ ତାଙ୍କ ପାଇଁ ବ୍ୟାଟିଂ କଲେ । ଧର୍ମେନ୍ଦ୍ରଙ୍କ ପରାମର୍ଶ କ୍ରମେ ଏଠାରେ ମୋହନଙ୍କ ନାଁ ଉପରେ ହିଁ ମୋହର ବାଜିଥିଲା । ମୋହନ ମୁଖ୍ୟମନ୍ତ୍ରୀ ହେବା ପରେ ବିଜେପିର ପ୍ରଭାବଶାଳୀ ଗୋଷ୍ଠୀ ଚଳଚଞ୍ଚଳ ହୋଇଯାଇଥିଲେ । ଟାଣୁଆ ନେତାମାନେ ମୋହନଙ୍କୁ ହଳ ବୁଲାଇବାକୁ ଉଦ୍ୟମ ଆରମ୍ଭ କରିଦେଇଥିଲେ । କିନ୍ତୁ ମୋହନ ପ୍ରଥମେ ନୀରବ ରହି ପ୍ରଶାସନିକ ପାଠ ପଢିଥିଲେ । ରାତି ୧୨ଟା ପର୍ଯ୍ୟନ୍ତ ଅଫିସରେ ବସି ସବୁ ବିଭାଗକୁ ତନ୍ନତନ୍ନ କରି ବୁଝିଥିଲେ । ବିରୋଧୀ ଦଳ ମୁଖ୍ୟ ସଚେତକ ଥିବାବେଳେ ସେ ଯେଉଁ ପ୍ରସଙ୍ଗରେ ସରକାରଙ୍କୁ ଘେରୁଥିଲେ ସେହି ବିଭାଗକୁ ହିଁ ସଜାଡ଼ିବା ଆରମ୍ଭ କରିଥିଲେ । ଏତେ କରିବା ପରେ ମଧ୍ୟ ମୋହନଙ୍କୁ ନୀଚ୍ଚା ଦେଖାଇବା ପାଇଁ ବିରୋଧୀ ଦଳ ଉଦ୍ୟମ ଆରମ୍ଭ କରିଥିଲେ । ମୋହନ ଅନ୍ୟ ଇସାରାରେ ପରିଚାଳିତ ହେଉଛନ୍ତି, ସେ ସଖି କଣ୍ଢେଇ ସାଜିଛନ୍ତି, ଏଭଳି ଅନେକ କଥା ଦେଖାଇ ଶିଖାଇ କହୁଥିଲେ । ଯାହାକୁ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଗୁରୁତର ସହ ଗ୍ରହଣ କରିଛନ୍ତି । ରାଜ୍ୟର ପ୍ରଥମ ବିଜେପି ମୁଖ୍ୟମନ୍ତ୍ରୀଙ୍କ ପ୍ରତି ବିରୋଧୀ ଦଳର ଏଭଳି ଟାର୍ଗେଟକୁ ଧର୍ମେନ୍ଦ୍ର ଗ୍ରହଣ କରିପାରିନାହାନ୍ତି । ନିକଟରେ ଦିଲ୍ଲୀଗସ୍ତ କାଳରେ ମୋହନଙ୍କ ସହ ଧର୍ମେନ୍ଦ୍ରଙ୍କର ଗୋପନ ଆଲୋଚନା ହୋଇଥିଲା । ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ହେବା ପାଇଁ ସେ କାହା କଥା ନଶୁଣି ନିଜ ହିସାବରେ ସରକାର ଚଳାଇବାକୁ ଧର୍ମେନ୍ଦ୍ର ପରାମର୍ଶ ଦେଇଥିଲେ । ଏହା ପରଠାରୁ ମୋହନ ଆଉ କାହା କଥାରେ ନଯାଇ ନିଜ ଦମରେ ସରକାର ଚଳାଇବାକୁ ଅଣ୍ଟା ଭିଡ଼ିଛନ୍ତି । ଏନଡ଼ିଏ ମୁଖ୍ୟମନ୍ତ୍ରୀଙ୍କ ବୈଠକ କାଳରେ ନରେନ୍ଦ୍ର ମୋଦି ଦେଇଥିବା ଟିପ୍ସକୁ ସେ ଆପଣାଇଛନ୍ତି । ମୋହନଙ୍କ ଏଭଳି ଆଭିମୁଖ୍ୟ ବିଜେପିର କେତେକ ଟାଣୁଆ ନେତାଙ୍କ ମନରେ ଛନକା ପୂରାଇ ଦେଇଛି । ତାଙ୍କୁ ଆଗରେ ରଖି ଯେଉଁମାନେ ମାମଲତି କରିବେ ବୋଲି ଭାବିଥିଲେ, ସେମାନଙ୍କ ନିଦ ଏବେ ହଜିଯାଇଛି ।