ସାରସଗୁଡାକୁ ପାନୀୟ ଜଳ ଯୋଗଣରେ ଅଣଦେଖା

 ଗୋଲାମୁଣ୍ଡା : କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ଚିଚିଆ ପଞ୍ଚାୟତର ସାରସଗୁଡା ଗ୍ରାମରେ ଜଳଯୋଗାଣରେ ଅଣଦେଖା କରାଯାଉଥିବା ଅଭିଯୋଗ ହୋଇଛି ।  ସୂଚନାରୁ ପ୍ରକାଶ, ବନ୍ଦାଗାଁ ଠାରେ ନିର୍ମାଣ ହୋଇଥିବା ମେଘା ଜଳ ପ୍ରକଳ୍ପ ୧୬୮ କୋଟି ଟଙ୍କାରେ ନିର୍ମିତ ହେଉଥିବାବେଳେ ବ୍ଲକର ୨୮ଗୋଟି ପଞ୍ଚାୟତକୁ ପାନୀୟ ଜଳ ଯୋଗାଇ ଦେବା ପାଇଁ ବ୍ୟବସ୍ଥା କରାଯାଇଛି । ହେଲେ ଆଜି ପର୍ଯ୍ୟନ୍ତ ସାରସଗୁଡା ଗ୍ରାମକୁ ପାଣି ଯୋଗାଇବାର ଦୂରକଥା ପାଣି ପାଇପ ସଂଯୋଗ ହୋଇ ନ ଥିବା ଗ୍ରାମବାସୀ କହିଛନ୍ତି । ଏ ନେଇ ଗ୍ରାମବାସୀଙ୍କ ମଧ୍ୟରେ ଉଦ୍ବେଗ ପ୍ରକାଶ ପାଇଛି । ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହରେ ଜନଜୀବନ ଅସ୍ତବ୍ୟସ୍ତ ହେଉଥିବାବେଳେ ପାନୀୟଜଳ ସଂକଟ ଦେଖାଦେଉଛି । ଏପରି ସ୍ଥଳେ ଉକ୍ତ ଗ୍ରାମକୁ ଜଳଯୋଗଣାରେ ଅଣଦେଖା କରିବା କେତେଦୂର ଯୁକ୍ତିଯୁକ୍ତ ଯାହା ସାଧାରଣରେ ଚର୍ଚ୍ଚାର ବିଷୟ ପାଲଟିଛି । ପ୍ରଚଣ୍ଡ ଖରା ସାଙ୍ଗକୁ ଜଳସ୍ତର ବହୁତଳକୁ ଖସି ଆସିବାରୁ ଗାଁରେ ପୋଖରୀ, କୂଅ ଗୁଡିକ ଶୁଖିଗଲାଣି । ଯାହାକୁ ନେଇ ଜଳ ସଂକଟ ଦେଖାଦେଇଛି । ଲୋକେ ପାଣି ପାଇ ଡହଳବିକଳ ହେଉଛନ୍ତି । ଗତବର୍ଷ ଚିଚିଆ ପଞ୍ଚାୟତ ଅନ୍ତର୍ଗତ ପଣ୍ଡକୁଲ, ଲାକୁରଭଟା, ଚିଚିଆ ଗ୍ରାମକୁ ପାଣି ଟେଙ୍କର ଯୋଗେ ସରପଞ୍ଚ ପାଣି ଯୋଗାଇ ଦେଇଥିବାବେଳେ ସାରସଗୁଡା ଗ୍ରାମକୁ ପାଣି ଦେଇନଥିଲେ । ଏ ନେଇ ଗ୍ରାମବାସୀ ପକ୍ଷରୁ ପଞ୍ଚାୟତର ସରପଞ୍ଚ ଠାରୁ ମେଗା ପ୍ରକଳ୍ପ ଦାୟିତ୍ୱରେ ଥିବା ଯନ୍ତ୍ରୀ ଏବଂ ବିଧାୟକଙ୍କୁ ଅନେକ ଥର ଅଭିଯୋଗ ଦେବା ସତ୍ତ୍ୱେ ବି କୌଣସି ଫଳପ୍ରଦ ହୋଇପାରୁନାହିଁ । ସରକାର ମାଳ ମାଳ ଯୋଜନା କରୁଛନ୍ତି ହେଲେ କାହା ପାଇଁ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହେଉଛି । ଏ ନେଇ ମେଗା ପ୍ରକଳ୍ପ ଦାୟିତ୍ୱରେ ଥିବା କନିଷ୍ଠ ଯନ୍ତ୍ରୀ ସୁବାଷ ପଣ୍ଡାଙ୍କୁ ପଚାରିବାରୁ ସାରସଗୁଡା ଗ୍ରାମ ଚିଚିଆ ପଞ୍ଚାୟତ ଭିତରେ ଉଚ୍ଚରେ ଅଛି । ତେଣୁ ପାଣି ଯୋଗାଣରେ ବାଧା ହେଉଛି । ପଣ୍ଡକୁଳ ପଟରୁ ପାଣି ପାଇପ ସଂଯୋଗ କରି ପାଣି ଯୋଗାଇ ଦିଆଯିବ ବୋଲି ଶ୍ରୀ ପଣ୍ଡା କହିଛନ୍ତି । ଏହାର ତୁରନ୍ତ ସମାଧାନ କରିବାକୁ ଗ୍ରାମର ଭୁବନେଶ୍ୱର କୁମାର ପଟେଲ, ଗୁଡ଼େଶ୍ୱର ମାଝୀ, ବୋଲୋରାମ ଅଘରିଆ, ରାଜାରାମ ଅଘରିଆ, ସୀତାରାମ ପଟେଲ, ରାହାସ ଅଘରିଆ, ଚୁଡାମଣି ଅଘରିଆ, ପତିରାମ ମାଝୀ ପ୍ରମୁଖ ଦାବି କରିଛନ୍ତି ।