ମେଘାଳୟ ହନିମୁନ୍ ହତ୍ୟା?: ସୋନମ ମାନିଲେ ଦୋଷ

ବିବାହ ପରେ ହନିମୁନ୍ ପାଇଁ ମେଘାଳୟର ଶିଲଂକୁ ଯାଇଥିବାବେଳେ ସ୍ବାମୀ ରାଜା ରଘୁବଂଶୀଙ୍କୁ ହତ୍ୟା କରିବା ଲାଗି ପୂର୍ବରୁ ଷଡ଼ଯନ୍ତ୍ର ରଚିଥିବା ବିଷୟ ୨ ସପ୍ତାହ ପରେ ପୋଲିସ ଆଗରେ ଜେରା ବେଳେ ସ୍ତ୍ରୀ ସୋନମ ସ୍ବୀକାର କରିଛନ୍ତି। ସୋନମଙ୍କ ଭାଇ ଗୋବିନ୍ଦ ବୁଧବାର ଅପରାହ୍ନରେ ରାଜାଙ୍କ ଘରକୁ ଯାଇ ପରିବାର ସଦସ୍ୟଙ୍କୁ ଭେଟି ଭଉଣୀଙ୍କ ଦୋଷ ପାଇଁ କ୍ଷମା ମାଗିଛନ୍ତି। ଭଉଣୀଙ୍କୁ ଯେପରି ଦଣ୍ଡ ମିଳିବ ତାହା ସୁନିଶ୍ଚିତ କରିବେ ବୋଲି ଗୋବିନ୍ଦ କହିଛନ୍ତି।
ମେ’ ୧୧ରେ ମଧ୍ୟପ୍ରଦେଶ ଇନ୍ଦୋର ବ୍ୟବସାୟୀ ରାଜା ରଘୁବଂଶୀ ଓ ସୋନମ ବିବାହ କରିଥିଲେ। ୨୦ ତାରିଖରେ ନବଦମ୍ପତି ମେଘାଳୟକୁ ହନିମୁନ୍ ପାଇଁ ଯାଇଥିଲେ। କିନ୍ତୁ ୨୩ରେ ଉଭୟେ ନିଖୋଜ ହୋଇଯାଇଥିଲେ। ଜୁନ୍ ୨ରେ ଏନ୍ଡିଆର୍ଏଫ୍ ଡ୍ରୋନ୍ ଓ୍ବେଇ ସଡୋଙ୍ଗ୍ ଫଲ୍ସରେ ରାଜାଙ୍କ ମୃତଦେହ ଠାବ କରିଥିଲା। ମେଘାଳୟ ପୋଲିସ ରକ୍ତରଞ୍ଜିତ ଦାଆ ଓ ରାଜାଙ୍କ ଦ୍ୱାରା ବ୍ୟବହୃତ କିଛି ସାମଗ୍ରୀ ଯଥା-ସ୍ମାର୍ଟଓ୍ବାଚ୍, ରେନ୍କୋଟ୍, ଶାର୍ଟ, ଫୋନ୍ ଫ୍ରାଗ୍ମେଣ୍ଟ୍ସ ଜବତ କରିଥିଲା। ୯ରେ ସୋନମ ଉତ୍ତର ପ୍ରଦେଶର ଗାଜିପୁରରେ ଆମତ୍ସମର୍ପଣ କରିବା ପରେ ପୋଲିସ ତାଙ୍କୁ ଗିରଫ କରି ରିମାଣ୍ଡରେ ନେଇଛି। ଇତିମଧ୍ୟରେ ଏହି ଅପରାଧର ସହଅଭିଯୁକ୍ତ ଆକାଶ ରାଜପୁତ (ଲଳିତପୁର, ୟୁପି), ବିଶାଲ ସିଂ ଚୌହାନ ଓ ରାଜ ସିଂ କୁଶଓ୍ବାହ (ଇନ୍ଦୋର, ଏମ୍ପି), ଆନନ୍ଦ କୁର୍ମି (ସାଗର, ଏମ୍ପି) ଗିରଫ ମଧ୍ୟ ହୋଇଛନ୍ତି। ଏହି ବହୁଚର୍ଚ୍ଚିତ ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ସୋନମ ଜେରା ବେଳେ କହିଛନ୍ତି, ସେ ଉକ୍ତ ବିବାହକୁ ନେଇ ଖୁସି ନ ଥିଲେ। ତାଙ୍କ ବାପାଙ୍କ କର୍ମଚାରୀ ରାଜ କୁଶଓ୍ବାହଙ୍କୁ ବିବାହ କରିବାକୁ ଚାହୁଁଥିବାରୁ ରାଜାଙ୍କୁ ରାସ୍ତାରୁ ହଟାଇବା ପାଇଁ ଇନ୍ଦୋରରେ ଯୋଜନା କରିଥିଲେ। ଏଥିଲାଗି ରାଜ ୩ ଜଣ(ଆକାଶ, ଆନନ୍ଦ ଓ ବିଶାଲ)ଙ୍କୁ ନିୟୋଜିତ କରିଥିଲେ। ମେ’ ୨୩ରେ ରାଜାଙ୍କୁ ହତ୍ୟା କରିବା ପାଇଁ ସେମାନେ ଏକତ୍ରିତ ହୋଇଥିଲେ।
ସୋନମଙ୍କ ନିର୍ଦ୍ଦେଶକ୍ରମେ ଆକାଶ, ଆନନ୍ଦ ଓ ବିଶାଲ ଧାରୁଆ ଅସ୍ତ୍ରରେ ଆଘାତ ଦେଇ ରାଜାଙ୍କୁ ହତ୍ୟା କରି ତାଙ୍କ ମୃତଦେହକୁ ଏକ ଖାଇକୁ ଫିଙ୍ଗି ଦେଇଥିଲେ। ପରେ ସେମାନେ ଏକ ଟ୍ୟାକ୍ସିରେ ଗୁଆହାଟୀକୁ ଫେରାର ହୋଇଯାଇଥିଲେ। ୩ ଅଭିଯୁକ୍ତ ପୃଥକ୍ ଭାବେ ଟ୍ରେନ୍ରେ ଇନ୍ଦୋର ଯାଇଥିଲେ ବୋଲି ସୋନମ କହିଛନ୍ତି। ମେଘାଳୟ ପୋଲିସର ସ୍ବତନ୍ତ୍ର ତଦନ୍ତକାରୀ ଟିମ୍ (ଏସ୍ଆଇଟି) ୫ ଅଭିଯୁକ୍ତଙ୍କୁ ୮ ଦିନିଆ ରିମାଣ୍ଡରେ ନେଇ ଅଧିକ ପଚରାଉଚରା କରୁଛି। ଇତିମଧ୍ୟରେ ସୋନମଙ୍କ ଭାଇ ଗୋବିନ୍ଦ କହିଛନ୍ତି, ରାଜାଙ୍କୁ ଭଉଣୀ ହିଁ ହତ୍ୟା କରାଇଛନ୍ତି। ତେଣୁ ଦୋଷ ପ୍ରମାଣିତ ହେଲେ ସୋନମଙ୍କୁ ଫାଶୀ ଦିଆଯିବା ଉଚିତ। ତାଙ୍କୁ ଦଣ୍ଡିତ କରାଇବାରେ ସେ ସହଯୋଗ କରିବେ ବୋଲ ଗୋବିନ୍ଦ କହିଛନ୍ତି।