ଗୋଟି ଚଳାଉଛନ୍ତି ମୋହନ : ବିଜେପି ଗଡ଼ ହେବ କେନ୍ଦୁଝର
Mohan Charan Majhi

ଶଙ୍ଖ ଛାଡ଼ି ପଦ୍ମ ମୁହାଁ ନେତା
ଭୁବନେଶ୍ୱର : ୨୦୨୪ ନିର୍ବାଚନରେ କେନ୍ଦୁଝରର ୬ ଆସନକୁ ଅଧା ଅଧା କରି ବାଣ୍ଟି ନେଇଥିଲେ ବିଜେଡ଼ି ଓ ବିଜେପି । ଲୋକସଭା ଆସନଟି ବିଜେପି ଖାତାକୁ ଯାଇଥିଲା । କିନ୍ତୁ କେନ୍ଦୁଝରର ଟାଣୁଆ ନେତା ମୋହନ ଚରଣ ମାଝୀ ମୁଖ୍ୟମନ୍ତ୍ରୀ ହେବା ପରେ ସେଠାରେ ଏବେ ବିଜେପି ହାୱା ବହିବା ଆରମ୍ଭ କରିଛି । ଏକଦା ବିଜେଡ଼ିର ଗଡ଼ ଥିବା କେନ୍ଦୁଝରରେ ଦଳର ସଂଗଠନ ତାସମୁଠା ଭଳି ଭୁଷୁଡ଼ିବା ଆରମ୍ଭ କରିଛି । କେନ୍ଦୁଝର ପାଇଁ ମୁଖ୍ୟମନ୍ତ୍ରୀଙ୍କ ପ୍ରତିବଦ୍ଧତାକୁ ଲକ୍ଷ୍ୟ କରି ଏବେ ବିଜେଡ଼ି ନେତାମାନେ ବିଜେପି ମୁହାଁ ହେବା ଆରମ୍ଭ କରିଛନ୍ତି ।
୨୦୨୪ରେ ପାଟଣାରୁ ଅଖିଳ ଚନ୍ଦ୍ର ନାଏକ, କେନ୍ଦୁଝରରୁ ମୋହନ ଚରଣ ମାଝୀ ଓ ତେଲକୋଇରୁ ଡକ୍ଟର ଫକୀର ମୋହନ ନାଏକ ବିଜେପି ଟିକେଟରେ ବାଜିମାତ୍ କରିଥିଲେ । ବାକି ୩ ଆସନ ବିଜେଡ଼ି ଖାତାକୁ ଯାଇଥିଲା । ଚମ୍ପୁଆରୁ ସନାତନ ମହାକୁଡ଼, ଆନନ୍ଦପୁରରୁ ଅଭିମନ୍ୟୁ ସେଠୀ ଓ ଘସିପୁରାରୁ ବଦ୍ରି ନାରାୟଣ ପାତ୍ର ବାଜିମାତ୍ କରିଥିଲେ । ଗତ ସାଧାରଣ ନିର୍ବାଚନରେ ବିଜେଡ଼ିର ଗଡ଼ କେନ୍ଦୁଝରରେ ବିଜେପି ଦବଦବା ଜାହିର କରିଥିଲା । ଏହି ପ୍ରକ୍ରିୟା ଏବେ ଆହୁରି ଗତିଶୀଳ ହୋଇଛି । କେନ୍ଦୁଝର ଉପରେ ମୋହନଙ୍କ ଫୋକସ ପାଇଁ ଏବେ ବିଜେଡ଼ି ସଂଗଠନ ଚୁନାଚୁନା ହୋଇଯାଇଛି । ବିଜେଡ଼ିର ୩ ବିଧାୟକ ମଧ୍ୟ ବିଜେଡ଼ି ସଂଗଠନ ଉପରେ ସେତିକି ଫୋକସ କରୁନାହାନ୍ତି । ଗତ ନିର୍ବାଚନରେ ବିଜେଡ଼ି ହାରିବା ପରେ ବଦ୍ରି ନାରାୟଣ ପାତ୍ର ଅନେକ ସମୟରେ ଦଳର ମାମଲତକାରମାନଙ୍କୁ ଟାର୍ଗେଟ୍ କରି ମନ୍ତବ୍ୟ ଦେଉଛନ୍ତି । ଖଣି ବେପାରରେ ସଂପୃକ୍ତ ସନାତନ ସବୁବେଳେ ସରକାରଙ୍କ ସହ ରହି ଆସିବାର ନଜିର ରହିଛି । ତେଣୁ ସେ ବି ବିଜେପି ସରକାରଙ୍କୁ ଅସନ୍ତୁଷ୍ଟ କରିବାକୁ ଚାହୁଁନାହାନ୍ତି । ଆନନ୍ଦପୁରରେ ବି ସମାନ ଅବସ୍ଥା । ସେଠାରେ ନେତା କେବେ ବିଜେଡ଼ି ତ କେବେ ବିଜେପି ହୋଇଥା’ନ୍ତି । ଏଭଳି ସ୍ଥିତିରେ କେନ୍ଦୁଝରକୁ ବିଜେପି ଗଡ଼ରେ ପରିଣତ କରିବା ସହ ପଞ୍ଚାୟତ ନିର୍ବାଚନରେ ବଡ଼ ଶକ୍ତିରେ ରୂପାନ୍ତରିତ କରିବା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଭିତିରିଆ ପ୍ରୟାସ ଆରମ୍ଭ କରିଦେଇଛନ୍ତି ।
ଯାହାର ପରିଣାମ ସ୍ୱରୂପ ବିଜେଡ଼ି ହାତରେ ଥିବା ବ୍ଳକ ଓ ପଞ୍ଚାୟତ ଏବେ ବିଜେପି ହାତକୁ ଚାଲିଆସିଛି । କିଛିଦିନ ତଳେ ବଂଶପାଳ ବ୍ଲକ୍ର ବିଜେଡି ସମର୍ଥିତ ୨୨ ଜଣ ସରପଞ୍ଚ ଓ ସମିତି ସଭ୍ୟ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ପାଖକୁ ଆସି ବିଜେପିରେ ମିଶିଥିଲେ । ଯାହାକି ବିଜେଡ଼ି ଶିବିରରେ ହଇଚଇ ସୃଷ୍ଟି କରିଥିଲା । ନିଜ ନେତାଙ୍କୁ ବାନ୍ଧି ରଖିବା ପାଇଁ ମହାପ୍ରଭୁ ଜଗନ୍ନାଥଙ୍କ ନାମରେ ଶପଥ ପାଠ ବି କରାଯାଇଥିଲା । ତେଲକୋଇ ଓ ହରିଚନ୍ଦନପୁର ବ୍ଲକର ପଞ୍ଚାୟତ ପ୍ରତିନିଧିଙ୍କୁ ଦଳରେ ବାନ୍ଧି ରଖିବାକୁ ଜୋରଦାର ଚେଷ୍ଟା କରିଥିଲା ବିଜେଡି । ହେଲେ ତେଲକୋଇ ବ୍ଲକ୍ ଉପାଧ୍ୟକ୍ଷାଙ୍କ ସମେତ ୨୪ ସରପଞ୍ଚ ଓ ସମିତି ସଭ୍ୟ ବିଜେପିରେ ଯୋଗଦେଇଛନ୍ତି । ଗତକାଲି ସମସ୍ତେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଭେଟିବା ସହିତ ବିଜେପିରେ ଯୋଗଦେଇଛନ୍ତି । ଏବେ ସେଠାରେ ଅନାସ୍ଥା ଭୋଟ୍ ବି ହେବାର ସମ୍ଭାବନା ରହିଛି । ପୂର୍ବରୁ କେନ୍ଦୁଝର ସଦର ନିର୍ବାଚନମଣ୍ଡଳୀର ବିଜେଡି ସମର୍ଥିତ ସମିତି ସଭ୍ୟ, ସରପଞ୍ଚ ଓ ଜିଲ୍ଲା ପରିଷଦ ସଭ୍ୟମାନେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବା ସହିତ ବିଜେପିରେ ମିଶିଥିଲେ ।
ଗାଏମୋଟ କହିଲେ କେନ୍ଦୁଝର ସଦର, ବଂଶପାଳ, ତେଲକୋଇ ଓ ହରିଚନ୍ଦନପୁର ବ୍ଳକରେ ବିଜେପି ମଜବୁତ୍ ହୋଇଯାଇଛି । ୨୦୨୭ ପଞ୍ଚାୟତ ନିର୍ବାଚନ ଉପରେ ମୋହନ ବିଶେଷ ଗୁରୁତ୍ୱ ଦେଉଛନ୍ତି । ମୁଖ୍ୟମନ୍ତ୍ରୀ ହୋଇଥିବାରୁ କେନ୍ଦୁଝରରେ ବିଜେପି ବହୁ ବ୍ଳକ ଓ ଜିଲ୍ଲା ପରିଷଦ ଆସନ ହାତେଇବା ନିତାନ୍ତ ଅପରିହାର୍ଯ୍ୟ । ନଚେତ୍ ଏହାକୁ ନେଇ ବିରୋଧୀ ପ୍ରସଙ୍ଗ ବି କରିପାରନ୍ତି । ମୋହନ ସରକାରୀ କାର୍ଯ୍ୟରେ ବ୍ୟସ୍ତ ରହୁଥିଲେବି ଦଳୀୟ ସଂଗଠନକୁ ମଜବୁତ କରିବାରେ ଲାଗିଛନ୍ତି । ଆଗକୁ ଆହୁରି ଅନେକ ବ୍ଳକର ସରପଞ୍ଚ ଓ ସମିତି ସଭ୍ୟମାନେ ବିଜେପି ମୁହାଁ ହେବାର ସମ୍ଭାବନା ରହିଛି । ବିଜେଡ଼ି ବିଧାୟକଙ୍କ ସାଂଗଠନିକ ଅନାଗ୍ରହ ଏବେ ବିଜେପିକୁ ବେଶ୍ ସୁହାଇଛି ।