ମାଲକାନଗିରିରେ ହେବ ସିମେଣ୍ଟ କାରଖାନା
Mohan Charan Majhi

ମୋଟୁରୁ ତିରିଂ ପର୍ଯ୍ୟନ୍ତ ହେବ ୬ ଲାଇନ୍ ରାସ୍ତା : ମୋହନ
ଲୋକଙ୍କ ପାଖକୁ ଯାଇ ଅସୁବିଧା ବୁଝିଲେ
ଭୁବନେଶ୍ୱର : ମାଲକାନଗିରିରେ ୪ ହଜାର କୋଟି ଟଙ୍କା ବିନିଯୋଗରେ ସିମେଣ୍ଟ କାରଖାନା ପ୍ରତିଷ୍ଠା କରାଯିବ । ଏଥିରେ ୨ ହଜାରରୁ ଅଧିକ ଯୁବକ ଓ ଯୁବତୀ ନିଯୁକ୍ତି ପାଇବେ । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏନେଇ ଘୋଷଣା କରିଛନ୍ତି ।
ଆଜି ମାଲକାନଗିରି ଡିଆର୍ଡିଏ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ସମୀକ୍ଷା ବୈଠକରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସମେତ ଜିଲ୍ଲାର ସାଂସଦ, ବିଧାୟକ ଓ ପ୍ରଶାସନିକ ଅଧିକାରୀମାନେ ଯୋଗଦେଇଥିଲେ । ଜିଲ୍ଲାରେ କାର୍ଯ୍ୟକାରୀ ହୋଇଥିବା ପ୍ରକଳ୍ପ ଉପରେ ଆଲୋଚନା ହୋଇଥିଲା ।
ସମୀକ୍ଷା ବୈଠକ ପରେ ମୁଖ୍ୟମନ୍ତ୍ରୀ କହିଥିଲେଯେ, ଶିଳ୍ପ ବିହୀନ ମାଲକାନଗିରି ଜିଲ୍ଲାର ଶିକ୍ଷିତ ବେକାର ଯୁବକ ଓ ଯୁବତୀଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି କରାଯିବ । ୪ ହଜାର କୋଟି ଟଙ୍କା ବ୍ୟୟ ଅଟକଳରେ ଜିଲ୍ଲାରେ ଗୋଟିଏ ସିମେଣ୍ଟ କାରଖାନା ପ୍ରତିଷ୍ଠା କରାଯିବ । ଏଥିରେ ୨ ହଜାରରୁ ଅଧିକ ଶିକ୍ଷିତ ଯୁବକ ଓ ଯୁବତୀ ପ୍ରତ୍ୟେକ୍ଷ ଏବଂ ପରୋକ୍ଷ ଭାବେ ନିଯୁକ୍ତି ପାଇବେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।
ମୁଖ୍ୟମନ୍ତ୍ରୀ ଆହୁରି କହିଛନ୍ତି, ଓଡିଶାର ଦକ୍ଷିଣରୁ ଉତ୍ତରକୁ ଯୋଡାଯିବ । ମାଲକାନଗିରି ଶେଷ ସୀମା ମୋଟୁରୁ ମୟୂରଭଞ୍ଜର ତିରିଂ ପର୍ଯ୍ୟନ୍ତ ୬ ଲାଇନ ବିଶିଷ୍ଟ ରାସ୍ତା ନିର୍ମାଣ କରାଯିବ । ରେଳ ଲାଇନ୍ ଓ ଏନ୍ଏଚ କାମକୁ ତ୍ୱରାନ୍ୱିତ କରାଯିବ । ଆଗାମୀ ଦିନରେ ଜୟପୁରରୁ ମାଲକାନଗିରି ଓ ମାଲକାନଗିରିରୁ ଭଦ୍ରାଞ୍ଚଳମ୍କୁ ରେଳ ସଂଯୋଗ କରାଯିବ । ଏହାଦ୍ୱାରା ଜିଲ୍ଲାର ଆର୍ଥିକ ସ୍ଥିତି ସୁଧୁରିବା ସହ ସ୍ଥାନୀୟ ଯୁବକ ଯୁବତୀମାନେ ଉପକୃତ ହେବେ । ଜିଲ୍ଲାରେ ଚାଲିଥିବା ସମସ୍ତ ସରକାରୀ କାର୍ଯ୍ୟଗୁଡିକୁ ତରାନ୍ୱିତ କରିବା ପାଇଁ ପ୍ରତି ୧୫ ଦିନ ଓ ମାସେରେ ଜିଲ୍ଲାର ଜିଲ୍ଲାପାଳ ଓ ଆରଡିସି କାର୍ଯ୍ୟର ସମୀକ୍ଷା କରିବେ । ସ୍ୱାଭିମାନ ଅଞ୍ଚଳରେ ଆଉ ଏକ ସେତୁ ନିର୍ମାଣ ସହ ଉପାନ୍ତ ଅଞ୍ଚଳକୁ ଯୋଗାଯୋଗର ବାଟ ଫିଟିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।
ସମୀକ୍ଷା ବୈଠକ ପୂର୍ବରୁ ଆଜି ସକାଳେ ମୁଖ୍ୟମନ୍ତ୍ରୀଙ୍କ ପାଖରେ ଗୁହାରୀ କରିବା ପାଇଁ ଅନେକ ଲୋକ ଆସିଥିଲେ । ଏ ସମ୍ପର୍କରେ ମୁଖ୍ୟମନ୍ତ୍ରୀ ଜାଣିପାରିନଥିଲେ । ସେ ନିଜ ପ୍ରକୋଷ୍ଠକୁ ଲୋକଙ୍କୁ ନଡାକି, ସେମାନଙ୍କ ପାଖକୁ ଚାଲି ଯାଇଥିଲେ । ଆଉ ଲୋକଙ୍କ ଅଭିଯୋଗ ଶୁଣିଥିଲେ । ଏଥିସହ ଖୁବଶୀଘ୍ର ସମସ୍ୟାର ସମାଧାନ କରିବ ବୋଲି ଲୋକଙ୍କୁ ପ୍ରତିଶ୍ରୁତି ଦେଇଥିଲେ ।