ଏସଆଇ ପରୀକ୍ଷା କେଳେଙ୍କାରୀ : ଶଙ୍କର ଓ ମୁନା ମାଷ୍ଟରମାଇଣ୍ଡ

ଭୁବନେଶ୍ୱର/କଟକ : ବହୁଚର୍ଚ୍ଚିତ ଏସଆଇ ପରୀକ୍ଷା କେଳେଙ୍କାରୀକୁ ନେଇ ଏବେ ରାଜ୍ୟ ରାଜନୀତି ସରଗରମ ହୋଇଯାଇଛି । ପୁଲିସର ନିଦ ବି ହଜିଯାଇଛି । ଏହି ମାମଲାରେ ୧୧୪ ପରୀକ୍ଷାର୍ଥି ଓ ୩ ଦଲାଲଙ୍କୁ ଗିରଫ କରାଯାଇଥିବାବେଳେ ମାଷ୍ଟରମାଇଣ୍ଡ ଶଙ୍କର ପୃଷ୍ଟି ଓ ମୁନା ମହାନ୍ତିଙ୍କୁ ଧରିବା ପାଇଁ କ୍ରାଇମବ୍ରାଞ୍ଚ ଜାଲ ବିଛାଇଛି । ହେଲେ ଏଯାଏଁ ସେ ଦି ଜଣଙ୍କର ଟେର ମିଳିନି । ଅପରପକ୍ଷରେ ଶଙ୍କରର ବିଜେପି ଲିଙ୍କ ରହିଛି ବୋଲି ଫଟୋ ଦେଖାଇ ବିଜେଡ଼ି ସରକାର ଓ ଶାସକ ଦଳକୁ ଘେରିବା ସହ ଘଟଣାର ସିବିଆଇ ତଦନ୍ତ ପାଇଁ ଦାବି କରିଛି । 

  • ସିଲିକନ୍‌ ମାଲିକ ସୁରେଶଙ୍କୁ ଜେରା
  • ସ୍କାନରରେ ଅନେକ ପୁଲିସ୍‌ ବାବୁ
  • ପରୀକ୍ଷାର୍ଥୀଙ୍କ ମଧ୍ୟରେ ଅନେକ ବଡ଼ବଡ଼ିଆଙ୍କ ଛୁଆ
  • ପଞ୍ଚସଫ୍ଟ ଓ ସିଲିକନ୍‌ ଅଫିସ୍‌ ସିଲ୍‌
  • ସିବିଆଇ ତଦନ୍ତ ଦାବି କଲା ବିଜେଡ଼ି
  • ଯଦି ଶାସକ ଦଳର ସଂପୃକ୍ତି ଥାଆନ୍ତା ତେବେ ପରୀକ୍ଷା ବାତିଲ୍‌ ହୋଇଥା’ନ୍ତା କାହିଁକି : ମନମୋହନ

ଗତ ଚାରିଦିନ ଧରି ସାରା ରାଜ୍ୟରେ ଏସଆଇ ପରୀକ୍ଷା କେଳେଙ୍କାରୀ ଚର୍ଚ୍ଚା ସୃଷ୍ଟି କରିଛି । ପରୀକ୍ଷାର୍ଥିଙ୍କ ଠାରୁ ୨୫ ଲକ୍ଷ ଟଙ୍କା ଲେଖାଏଁ ଆଦାୟ କରାଯାଇ ସେମାନଙ୍କୁ ନିଶ୍ଚିତ ନିଯୁକ୍ତିର ପ୍ରତିଶ୍ରୁତି ଦିଆଯାଇଥିଲା । ପାଖାପାଖି ୩୦ କୋଟି ଟଙ୍କାର ଡିଲ୍‌ କରାଯାଇଥିବା ଜାଣିବାକୁ ମିଳିଛି । ତେବେ ଆନ୍ଧ୍ରପ୍ରଦେଶ ପୁଲିସ ସହାୟତାରେ କ୍ରାଇମବ୍ରାଞ୍ଚ ପରୀକ୍ଷାର୍ଥି ଓ ଦଲାଲଙ୍କୁ ଧରିବା ପରେ ମାଷ୍ଟର ମାଇଣ୍ଡ ସମ୍ପର୍କରେ ସୂଚନା ପାଇଛି । ଶଙ୍କର ପୃଷ୍ଟି ଓ ମୁନା ମହାନ୍ତି ମାଷ୍ଟର ମାଇଣ୍ଡ ବୋଲି କ୍ରାଇମବ୍ରାଞ୍ଚ ପକ୍ଷରୁ କୁହାଯାଇଛି । ଏଥିରେ ଆଉ ଦଶ ବାର ଜଣ ଦଲାଲଙ୍କର ସଂପୃକ୍ତି ଥିବା ପୁଲିସ୍‌ ଅନୁମାନ କରୁଛି । ସେହିପରି ଓଡ଼ିଶା ପୁଲିସ ନିଯୁକ୍ତି ବୋଡର଼୍କୁ ନେଇ ବି ପ୍ରଶ୍ନ ଉଠିଛି । ଓପିଆରବି ପ୍ରଥମେ ଆଇଟିଆଇ ଲିମିଟେଡ଼କୁ ପରୀକ୍ଷା ପରିଚାଳନା ଦାୟିତ୍ୱ ଦେଇଥିବାବେଳେ ପରେ ସିଲିକମ୍‌ ଓ ପଞ୍ଚସଫ୍ଟ କମ୍ପାନୀକୁ ଦାୟିତ୍ୱ ଦେଇଥିଲା। ଶଙ୍କର ପୃଷ୍ଟି ହେଉଛି ପଞ୍ଚସଫ୍ଟ କମ୍ପାନୀର ମାଲିକ । ସେହିପରି ଅନେକ ଅଫିସରଙ୍କ ସଂପୃକ୍ତି ନେଇ କ୍ରାଇମବ୍ରାଞ୍ଚ ସନ୍ଦେହ ପ୍ରକାଶ କରିଛି। ଅପରପକ୍ଷରେ ବିଜେଡ଼ି ଏନେଇ ସରକାର ଓ ବିଜେପିକୁ ଘେରିଛି । ଏସଆଇ ଲିଖିତ ପରୀକ୍ଷାରେ ଜାଲିଆତି ମାମଲାରେ ସମ୍ପୃକ୍ତ ମୁଖ୍ୟ ଅଭିଯୁକ୍ତ ବିଜେପି ସହିତ ଜଡିତ ବୋଲି ବିଜେଡ଼ି ଆଜି ମୁଖ୍ୟମନ୍ତ୍ରୀଙ୍କ ସମେତ ଦଳର ବରିଷ୍ଠ ନେତାଙ୍କ ସହିତ ମୁଖ୍ୟ ଅଭିଯୁକ୍ତର ଫଟୋ ଜାରି କରିଛି । ଶଙ୍ଖ ଭବନରେ ଆୟୋଜିତ ସାମ୍ୱାଦିକ ସମ୍ମିଳନୀରେ, ଦଳର ଛାତ୍ର ସଭାନେତ୍ରୀ ଇପ୍ସିତା ସାହୁ ଓ ଦଳର ମୁଖପାତ୍ର  ତୁମ୍ୱନାଥ ପଣ୍ଡା ଏହି ଘଟଣାରେ ସିବିଆଇ ତଦନ୍ତ ଦାବି କରିଛନ୍ତି ।

ଇପ୍ସିତା କହିଛନ୍ତି ଯେ, ଏହି ନିଯୁକ୍ତି ପ୍ରକ୍ରିୟାରେ ଜାଲିଆତିରେ ସମ୍ପୃକ୍ତ ଥିବା ୧୧୪ ଜଣ ପରୀକ୍ଷାର୍ଥୀ ଓ ୩ ଜଣ ଦଲାଲଙ୍କୁ ଗିରଫ କରାଯାଇଛି । ଏହି ନିଯୁକ୍ତି ଦାୟିତ୍ୱ ଓପିଆରବି ଉପରେ ଥିଲାବେଳେ ଏହାର ଅଧ୍ୟକ୍ଷ ଭାବେ ସନ୍ତୋଷ ଉପାଧ୍ୟାୟଙ୍କୁ ନିଯୁକ୍ତି ଦିଆଯାଇଥିଲା । ୯୩୩ ଏସ୍‌ଆଇ ପଦବୀରେ ନିଯୁକ୍ତି ଦେବା ପାଇଁ ଆବଶ୍ୟକୀୟ ପରୀକ୍ଷାକୁ ପରିଚାଳନା କରିବା ପାଇଁ ଭାରତ ସରକାରଙ୍କ ସଂସ୍ଥା ଆଇଟିଆଇକୁ ପ୍ରଦାନ କରାଯାଇଥିଲା । ଏହି କାମ ପାଇଁ ଆଇଟିଆଇ ତାର ସହଯୋଗୀ ଭାବେ ଗୁଜୁରାଟର ରିଚ୍‌ ମାଇଣ୍ଡ ଡିଜିଟାଲକୁ ନେଇଥିଲା । ଏପ୍ରିଲ ୨୦୨୫ରେ ରାଜ୍ୟ ସରକାର ସନ୍ତୋଷ ଉପାଧ୍ୟାୟଙ୍କୁ ଅବ୍ୟାହତି ଦେଇ ତାଙ୍କ ଜାଗାରେ ସୁଶାନ୍ତ ନାଥଙ୍କୁ ଦେଇଥିଲେ । ଏହାପରେ ଆଇଟିଆଇ ଦ୍ୱାରା ରିଚ୍‌ ମାଇଣ୍ଡକୁ ହଟାଯାଇ ଓଡିଶାର ଏକ ସଂସ୍ଥା ସିଲିକନ ଡିଜିଟେକକୁ ସହଯୋଗୀ ଭାବେ ନିଆଯାଇଥିଲା । ସିଲିକନ ଡିଜିଟେକ୍‌ ତାର ଦ୍ଭ ସହଯୋଗୀ ଭାବେ ବ୍ରହ୍ମପୁର ସ୍ଥିତ ପଞ୍ଚସଫ୍ଟ ଟେକ୍ନୋଲୋଜି ନାମକ ଏକ ଅନଭିଜ୍ଞ କମ୍ପାନୀକୁ ଦାୟିତ୍ୱ ଦେଇଥିଲା । ପଞ୍ଚସଫ୍ଟ କମ୍ପାନୀର ମୁଖ୍ୟ ଶଙ୍କର ପୃଷ୍ଟି ବିଜେପି ଦଳର ଜଣେ ସଦସ୍ୟ ଓ ତାଙ୍କର ମୁଖ୍ୟମନ୍ତ୍ରୀଙ୍କ ସମେତ ଅଧିକାଂଶ ବିଜେପି ନେତାଙ୍କ ସହିତ ଫଟୋ ରହିଛି । ମନମୋହନଙ୍କ ଉପସ୍ଥିତିରେ ଚାକିରି ବିକ୍ରି ଘଟଣାର ମୁଖ୍ୟ କାର୍ପଟଦାର ଶଙ୍କର ପୃଷ୍ଟି ବିଜେପିରେ ଯୋଗ ଦେଇଥିଲେ ବୋଲି ସେ କହିଛନ୍ତି  । ଏହି ଘଟଣାର ତଦନ୍ତଭାର ତୁରନ୍ତ ସିବିଆଇକୁ ହସ୍ତାନ୍ତର କରାଯାଉ ବୋଲି ବିଜେଡ଼ି ଦାବି କରିଛି ।

ଅପରପକ୍ଷରେ ଯଦି ଘଟଣାରେ ଶାସକ ଦଳର ସଂପୃକ୍ତି ଥାଆନ୍ତା ତେବେ ପରୀକ୍ଷା ବାତିଲ୍‌ କାହିଁକି କରାଯାଇଥା’ନ୍ତା ବୋଲି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ କହିଛନ୍ତି । ଏହା ଏକ ପୁରୁଣା ରୋଗ । ଏହାର ପୂରା ଅପରେସନର ଆବଶ୍ୟକତା ରହିଛି । ଅଏଣ୍ଟମେଣ୍ଟରେ କାମ ଚଳିବ ନାହିଁ ବୋଲି ମନମୋହନ କହିଛନ୍ତି ।
ଆମ କଟକ ପ୍ରତିନିଧି ସୂଚନା ଦେଇଛନ୍ତିଯେ, ଏସଆଇ ପରୀକ୍ଷା କେଳେଙ୍କାରୀ ମାମଲାରେ ସିଲିକନ ମାଲିକ ସୁରେଶ ନାୟକ ଜେରାର ସମ୍ମୁଖୀନ ହୋଇଛନ୍ତି  । କଟକ କ୍ରାଇମବ୍ରାଞ୍ଚ ମୁଖ୍ୟାଳୟରେ ଶ୍ରୀ ନାୟକଙ୍କୁ ଜେରା କରାଯାଇଛି । ଅନ୍ୟ ପକ୍ଷରେ ଶଙ୍କର ପୃଷ୍ଟି ଓ ମୁନ୍ନା ମହାନ୍ତି ଫେରାର ହୋଇଯାଇଥିବା କ୍ରାଇମବ୍ରାଞ୍ଚ ସୂଚନା ଦେଇଛି । ଉଭୟଙ୍କ ମୋବାଇଲ ସୁଇଚ ଅଫ ଥିବା ସୂଚନା ମିଳିଛି। ସୂଚନା ଅନୁଯାୟୀ, ଚଳିତ ମାସର ୫ ଓ ୬ରେ ଓଡ଼ିଶା ପୁଲିସ ଏସଆଇର ଲିଖିତ ପରୀକ୍ଷା ରହିଥିଲା । ଏହି ପରୀକ୍ଷା ପାଇଁ କିଛି ପରୀକ୍ଷାର୍ଥୀ ପ୍ରଶିକ୍ଷଣ ନେବା ପାଇଁ ଭୁବନେଶ୍ୱର ବରମୁଣ୍ଡା ବସଷ୍ଟାଣ୍ଡରୁ ଏକାଠି ହୋଇ ଆନ୍ଧ୍ରପ୍ରଦେଶ ବିଜୟନଗରର ଏକ ଅଜ୍ଞାତ ସ୍ଥାନକୁ ୩ଟି ଏସି ବସ ଯୋଗେ ଯାଉଥିଲେ । ସେହି ସମୟରେ ବ୍ରହ୍ମପୁର ଏସପି ଡାକ୍ତର ସର୍ବଣା ବିବେକ ଏମ ଏକ ବିଶେଷ ସୂତ୍ରରୁ ଖବର ପାଇଥିଲେ । ୩ଟି ବସକୁ ପିଛା କରି ଆନ୍ଧ୍ର ସୀମାବର୍ତ୍ତୀ ଅଞ୍ଚଳରୁ ଏସପି ବିବେକ ଏକ ସ୍ୱତନ୍ତ୍ର ପୁଲିସ ଟିମ ସହ ଅଟକାଇଥିଲେ । ସେମାନଙ୍କୁ ଆମ୍ବପୁଆ ପୁଲିସ ରିଜର୍ଭକୁ ଆଣି ଅଟକ ରଖି ପଚରାଉଚରା କରିଥିôଲେ । ସେମାନଙ୍କ ମଧ୍ୟରେ ୮ ଜଣ ମହିଳା ଓ ୧୦୬ ଜଣ ଯୁବକ ଓ ୩ ଜଣ ଦଲାଲ ରହିଥିବା ଜଣାପଡ଼ିଛି । ପ୍ରଥମେ ୧୦ ଲକ୍ଷ ଟଙ୍କା ସେମାନେ ଦେଇଥିଲେ। ଚାକିରୀ ପରେ ୧୫ ଲକ୍ଷ ଟଙ୍କା ଦେବେ ବୋଲି ପ୍ରତିଶ୍ରୁତି ଦେଇଥିବା ଜଣାପଡ଼ିଛି । ଏହି ମାମଲାରେ ୨୮କୋଟିରୁ ଊଦ୍ଧ୍ୱର୍ ଟଙ୍କା ଡିଲ ହୋଇଥିବା ନେଇ ଅଭିଯୋଗ ହୋଇଛି । ସେହିପରି ପରୀକ୍ଷାର୍ଥିଙ୍କ ମଧ୍ୟରେ ଅନେକ ବଡ଼ବଡ଼ିଆଙ୍କ ପିଲା ରହିଛନ୍ତି । ପୂର୍ବତନ ଅବସରପ୍ରାପ୍ତ ଡିଆଇଜି କୁଳମଣି ବେହେରାଙ୍କ ପୁଅ ଅମୀୟ କୁମାର ବେହେରା, ଜଣେ କାଉନସିଲର, ବ୍ଳକ ଅଧ୍ୟକ୍ଷଙ୍କ ପୁଅ, ଓଏସଏପି ସିପାହୀ ଓ କିଛି ସରକାରୀ କର୍ମଚାରୀ ରହିଥିବା ମଧ୍ୟ କୁହାଯାଉଛି ।