ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା, ଜାଣନ୍ତୁ କ’ଣ ?
Mohan Charan Majhi

।। ପ୍ରଭାନ୍ୟୁଜ ।। କଟକ, ୨୬ା୧୨: ଆସନ୍ତା ଶିକ୍ଷାବର୍ଷରେ ହେବ କଲେଜ ଛାତ୍ର ସଂସଦ ନିର୍ବାଚନ । ସ୍ଥାନୀୟ ଜବାହାରଲାଲ ନେହେରୁ ଇଣ୍ଡୋର ଷ୍ଟାଡ଼ିୟମରେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ (ଏବିଭିପି)ର ୪୯ତମ ରାଜ୍ୟ ଅଧିବେଶନରେ ମୁଖ୍ୟଅତିଥି ଭାବେ ଯୋଗଦେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ସୂଚନା ଦେଇଛନ୍ତି ।
ସେ କହିଥିଲେଯେ, ପୂର୍ବ ସରକାର କଲେଜ ଛାତ୍ର ସଂସଦ ନିର୍ବାଚନ ବନ୍ଦ କରିଥିଲେ । ଏଣିକି ପ୍ରତିବର୍ଷ କଲେଜ ନିର୍ବାଚନ ହେବ । ମୁଖ୍ୟମନ୍ତ୍ରୀ ଏବିଭିପିର ୪୯ତମ ରାଜ୍ୟ ଅଧିବେଶନକୁ ଉଦଘାଟନ କରିବା ଅବସରରେ ଏହି ଘୋଷଣା କରିଛନ୍ତି । ଏହାସହ ମୁଖ୍ୟମନ୍ତ୍ରୀ କହିଛନ୍ତି, ୨୦୩୬ରେ ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନର ଶତବାର୍ଷିକୀ ଅବସରରେ ଦେଶର ପ୍ରମୁଖ ୫ଟି ରାଜ୍ୟ ମଧ୍ୟରେ ଓଡ଼ିଶା ସ୍ଥାନିତ ହେବ । ଓଡ଼ିଶାର ସାମଗ୍ରିକ ବିକାଶ ଦିଗରେ ସରକାର କାମ କରୁଛନ୍ତି । ନିଷ୍ଠା ଓ ତ୍ୟାଗର ପ୍ରତୀକ ହେଉଛି ଏବିଭିପି । ଏବିଭିପିର ସହଯୋଗରେ ଏହି ନୂଆ ସରକାର ଆସିଛି । କଲେଜରେ ପଢ଼ିଲା ବେଳଠାରୁ ଛାତ୍ର ସଂସଦ ନିର୍ବାଚନରେ ମୁଁ ଏବିଭିପିକୁ ଭୋଟଦାନ କରିଛି ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ମତବ୍ୟକ୍ତ କରିଥିଲେ ।
ଏବିଭିପିର କର୍ମକର୍ତ୍ତାମାନଙ୍କ ଯୋଗୁ ବିଜେପି ସଦସ୍ୟ ସଂଖ୍ୟା ବୃଦ୍ଧି ପାଇଛି । ପୂର୍ବ ସରକାରରେ ଯୁବକ ଯୁବତୀମାନଙ୍କୁ ଚାକିରୀ ମିଳୁନଥିଲା । ଆସନ୍ତା ୫ ବର୍ଷ ମଧ୍ୟରେ ସାଢେ଼ ୩ ଲକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ସୂଚନା ଦେଇଛନ୍ତି । ଇଣ୍ଟରଭ୍ୟୁରେ ପକ୍ଷପାତିତା କଲେ କଠୋର ଦଣ୍ଡର ବ୍ୟବସ୍ଥା ଆମ ସରକାର କରିଛି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ । ଏହା ସହ ଗତ ୨୪ବର୍ଷ ଧରି କ୍ଷମତାରେ ଥିବା ବିଜେଡ଼ି ସରକାର ହୀନଚକ୍ରାନ୍ତ କରି ଛାତ୍ର ସଂସଦ ନିର୍ବାଚନ ବନ୍ଦ କରି ଦେଇଥିଲେ । ନିର୍ବାଚନର ଫଳାଫଳ ପୂର୍ବ ସରକାରଙ୍କୁ ଭୟଭୀତ କରିଥିଲା । ଏଣିକି ଛାତ୍ର ସଂସଦ ନିର୍ବାଚନ କେବେ ବନ୍ଦ ହେବ ନାହିଁ ବୋଲି ମୁଖ୍ୟମନ୍ତ୍ରୀ ପ୍ରତିଶ୍ରୁତି ଦେଇଛନ୍ତି ।
କାର୍ଯ୍ୟକ୍ରମରେ ୧୫ ହଜାରରୁ ଉଦ୍ଧ୍ୱର୍ ଛାତ୍ରଛାତ୍ରୀ ଯୋଗଦେଇଥିଲେ । ଛାତ୍ର ସଂସଦ ନିର୍ବାଚନ ହେବା ନେଇ ପ୍ରତ୍ରିକ୍ରିୟା ରଖି ଏବିଭିପିର ରାଜ୍ୟ ସଂପାଦକ ଅରଜିତ ପଟ୍ଟନାୟକ କହିଛନ୍ତି, ଏବିଭିପି ଏହି ନିଷ୍ପତ୍ତିକୁ ସ୍ୱାଗତ କରୁଛି । କାର୍ଯ୍ୟକ୍ରମରେ ଅନ୍ୟ ଅତିଥିମାନଙ୍କ ମଧ୍ୟରେ ରାଷ୍ଟ୍ରୀୟ ସଂଗଠନ ମନ୍ତ୍ରୀ ଆଶିଷ ଚୌହାନ, ଅଧ୍ୟାପକ ସଂଜୀବ ନାୟକ, ଡା ସିବିକେ ମହାନ୍ତି, ଡା ଜ୍ୟୋର୍ତିମୟୀ ନାୟକ, ଦିପ୍ତିମୟୀ ପ୍ରତିହାରୀ ଓ ସୀତାଂଶୁ ଶେଖର ବରାଇ ପ୍ରମୁଖ ଯୋଗଦେଇଥିଲେ ।