ଏନଡିଏ ୩.୦ର ନେତା ହେଲେ ନରେନ୍ଦ୍ର ମୋଦି

ଏନଡିଏ ୩.୦ର ନେତା ହେଲେ ନରେନ୍ଦ୍ର ମୋଦି

ନୂଆଦିଲ୍ଲୀ:  ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଏନଡିଏ ୩.୦ ସରକାର ଦେଶରେ ଆରମ୍ଭ ହେବ। ଏହାପୂର୍ବରୁ ମୋଦିଙ୍କ ବାସଭବନରେ ଏନଡିଏର ବୈଠକ ବସିଥିଲା। ଏଥିରେ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଓ ଟିଡିପି ମୁଖ୍ୟ ଚନ୍ଦ୍ରବାବୁ ନାଇଡୁ ମଧ୍ୟ ଯୋଗ ଦେଇଥିଲେ। ବୈଠକରେ ଉଭୟ ଯଥାଶୀଘ୍ର ସରକାର ଗଠନ ପାଇଁ ପ୍ରକ୍ରିୟା ଆରମ୍ଭ କରିବାକୁ ନରେନ୍ଦ୍ର ମୋଦିଙ୍କୁ କହିଛନ୍ତି। ଏଥିସହ ବୈଠକରେ ନରେନ୍ଦ୍ର ମୋଦିଙ୍କୁ ଏନଡିଏ ୩.୦ର ନେତା ଭାବେ ମଧ୍ୟ ନିର୍ବାଚିତ କରାଯାଇଛି। ନୀତୀଶ କୁମାର ବୈଠକରେ ମୋଦିଙ୍କୁ କହିଛନ୍ତି ଯେ “ଶୀଘ୍ର ସରକାର କରନ୍ତୁ। ସରକାର ଗଠନରେ କୌଣସି ବିଳମ୍ବ ହେବା କଥା ନୁହେଁ। ଆମେ ଯଥା ଶୀଘ୍ର ସମ୍ଭବ ସରକାର ଗଠନ କରିବା ଉଚିତ।” ଚନ୍ଦ୍ରବାବୁ ନାଇଡୁ ମଧ୍ୟ ସମାନ କଥା ମୋଦିଙ୍କୁ କହିଛନ୍ତି। 
ଜୁନ ୪ରେ ଲୋକସଭା ନିର୍ବାଚନର ଫଳାଫଳ ପ୍ରକାଶ ପାଇଛି। ଏହି ନିର୍ବାଚନରେ ବିଜେପି ଏକାକୀ ୨୪୦ ଆସନ ଜିତିଛି। ଏନଡିଏ ଆସନକୁ ମିଶାଇଲେ ଦଳ ସପକ୍ଷରେ ୨୯୨ ଜଣ ସାଂସଦଙ୍କ ସମର୍ଥନ ରହିଛି। ସରକାର ଗଠନ ପାଇଁ ମ୍ୟାଜିକ ନମ୍ବର ହେଉଛି ୨୭୨। ଏନଡିଏ ପୂର୍ଣ୍ଣ ସଂଖ୍ୟାଗରିଷ୍ଠତା ପାଇଥିବାରୁ ମୋଦି କ୍ରମାଗତ ତୃତୀୟ ଥର ପାଇଁ ଦେଶର ପ୍ରଧାନମନ୍ତ୍ରୀ ହେବାକୁ ଯାଉଛନ୍ତି।ଏଥିପାଇଁ ଏନଡିଏରେ ଥିବା ଦଳ ଗୁଡ଼ିକ ପକ୍ଷରୁ ସର୍ବସମ୍ମତିକ୍ରମେ ମୋଦିଙ୍କୁ ସେମାନଙ୍କ ନେତା ଚୟନ କରାଯାଇଛି। ଏନେଇ ଏକ ସଂକଳ୍ପ ବୈଠକରେ ପାରିତ ହୋଇଛି। ଏହି ସଂକଳ୍ପରେ ଏନଡିଏର ୨୧ ଜଣ ନେତା ଦସ୍ତଖତ କରିଛନ୍ତି।