କଣ୍ଟାବାଞ୍ଝିରୁ ଲଢ଼ିବେ ନବୀନ

biju janata dal

କଣ୍ଟାବାଞ୍ଝିରୁ ଲଢ଼ିବେ ନବୀନ

ନବୀନ ଘୋଷଣା କଲେ ବିଜେଡ଼ି ଟିକେଟ
ପ୍ରସନ୍ନଙ୍କ ଜିଦ ରହିଲା, ରେଢାଖୋଲରୁ ଲଢ଼ିବେ
ସମୀରଙ୍କ ଟିକେଟ କଟିଲା 

ଭୁବନେଶ୍ୱର : ବିଜୁ ଜନତା ଦଳ ବିଧାନସଭାର ପଞ୍ଚମ ତାଲିକା ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ  । ୨୦୧୯ ଭଳି ଚବିଶରେ ମଧ୍ୟ ନବୀନ ଦୁଇଟି ଆସନରୁ ଲଢ଼ିବେ  । ସେ ହିଞ୍ଜିଳି ସହ କଣ୍ଟାବାଞ୍ôଝରୁ ମଧ୍ୟ ନିର୍ବାଚନ ଲଢ଼ିବେ  । ସେହିପରି ମନ୍ତ୍ରୀ ସମୀର ରଞ୍ଜନ ଦାସଙ୍କ ନିମାପଡ଼ା ଟିକେଟ କଟିଯାଇଥିବାବେଳେ ସମ୍ବଲପୁର ଓ ରେଢ଼ାଖୋଲର ପ୍ରାର୍ଥୀ ବଦଳାଯାଇଛି  ।

ଚିତ୍ରକୋଣ୍ଡାରୁ ଲଢ଼ିବେ ଲକ୍ଷ୍ମୀପ୍ରିୟା ନାୟକ  । ସେହିପରି ପଦ୍ମପୁରରେ ପୁଣିଥରେ ବର୍ଷା ସିଂ ବରିହାଙ୍କ ଉପରେ ନବୀନ ଆସ୍ଥା ପ୍ରକଟ କରିଛନ୍ତି  । କୁଚିଣ୍ଡାରୁ ରାଜେନ୍ଦ୍ର କୁମାର ଛତ୍ରିଆ, ଦେବଗଡ଼ରୁ ଅରୁନ୍ଧତୀ ଦେବୀ ନିର୍ବାଚନ ଲଢ଼ିବେ  । ଅରୁନ୍ଧତୀ ହେଉଛନ୍ତି ସମ୍ବଲପୁରର ବିଜେପି ସାଂସଦ ନୀତେଶ ଗଙ୍ଗଦେବଙ୍କ ପତ୍ନୀ  । ଗତକାଲି ସେ ଓ ତାଙ୍କ ପୁଅ ବିଜେଡ଼ିରେ ଯୋଗ ଦେଇଥିଲେ  । ଅନୁଗୁଳରେ ରଜନୀକାନ୍ତ ସିଂଙ୍କ ବଦଳରେ ତାଙ୍କ ପତ୍ନୀ ସଂଯୁକ୍ତା ସିଂଙ୍କୁ ଦଳ ଟିକେଟ ଦେଇଛି  । ନିମାପଡ଼ାରୁ ଏଥର ସମୀର ରଞ୍ଜନ ଦାସଙ୍କୁ ଟିକେଟ ମିଳିନାହିଁ  । ତାଙ୍କ ବଦଳରେ ଦିଲ୍ଲୀପ କୁମାର ନାୟକଙ୍କୁ ଦଳ ପ୍ରାର୍ଥୀ କରିଛି  । ସେହିପରି ସାନଖେମୁଣ୍ଡିରେ ସୁଲକ୍ଷ୍ମା ଗୀତାଞ୍ଜଳୀ ଦେବୀଙ୍କୁ ଟିକେଟ ମିଳିଥିବାବେଳେ ଜୟପୁରରେ ରବି ନାରାୟଣ ନନ୍ଦଙ୍କ ବଦଳରେ ତାଙ୍କ ପତ୍ନୀ ଇନ୍ଦିରା ନନ୍ଦଙ୍କୁ ଟିକେଟ ଦିଆଯାଇଛି  । 

ପୂର୍ବରୁ ସମ୍ବଲପୁରରୁ ପ୍ରସନ୍ନ ଆଚାର୍ଯ୍ୟ ଓ ରେଢାଖୋଲରେ ରୋହିତ ପୂଜାରୀଙ୍କୁ ପ୍ରାର୍ଥୀ ଭାବେ ଘୋଷଣା କରାଯାଇଥିଲା  । କିନ୍ତୁ ପ୍ରସନ୍ନ ଟିକେଟକୁୁ ନେଇ ଅସନ୍ତୋଷ ବ୍ୟକ୍ତ କରିଥିଲେ  । ସେ ରେଢାଖୋଲରୁ ଲଢ଼ିବାକୁ ଜିଦ୍‌ ଧରିଥିଲେ  । ଶେଷରେ ବିଜେଡ଼ି ଦୁଇ ଆସନରେ ପ୍ରାର୍ଥୀ ବଦଳାଇବାକୁ ବାଧ୍ୟ ହୋଇଛି  । ରେଢାଖୋଲରୁ ପ୍ରସନ୍ନ ଆଚାର୍ଯ୍ୟ ଓ ସମ୍ବଲପୁରରୁ ରୋହିତ ପୂଜାରୀ ନିର୍ବାଚନ ଲଢ଼ିବେ ବୋଲି ଘୋଷଣା କରିଛନ୍ତି  ।