ଛତିଶଗଡରେ ଏନ୍କାଉଣ୍ଟର, ୨୯ ନକ୍ସଲ ନିପାତ

ଛତିଶଗଡରେ ଏନ୍କାଉଣ୍ଟର,  ୨୯ ନକ୍ସଲ ନିପାତ

 ରାୟପୁର : ଲୋକସଭା ନିର୍ବାଚନ ପୂର୍ବରୁ ଛତିଶଗଡ଼ରେ ହୋଇଛି ବଡ଼ଧରଣର ମାଓବାଦୀ ବିରୋଧୀ ଅପରେସନ । କାଙ୍କେର ଜିଲ୍ଲାରେ ହୋଇଥିବା ଅପରେସନରେ ଟଳି ପଡିଛନ୍ତି  ୨୯ ଜଣ ମାଓବାଦୀ । ମୃତକଙ୍କ ମଧ୍ୟରେ ରହିଛନ୍ତି ସଂଗଠନର ଟପ କମାଣ୍ଡର ଶଙ୍କର ରାଓ । ତା'ଙ୍କ ମୁଣ୍ଡରେ ୨୫ ଲକ୍ଷ ଟଙ୍କାର ପୁରସ୍କାର ରହିଥିଲା । ମାଓବାଦୀଙ୍କ ମୃତଦେହଗୁଡ଼ିକ ନିକଟରୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଜବତ ହୋଇଛି । ଯାହା ମଧ୍ୟରେ ରହିଛି ଏକେ ୪୭ ଓ ଇନସାସ ରାଇଫଲ୍ । ମାଓବାଦୀଙ୍କ ସହ ଲଢେଇରେ ୩ ଜଣ ଯବାନ ଆହତ ହୋଇଛନ୍ତ ।
ଆଜି ପ୍ରାୟ ଦିନ ୨ଟା ବେଳେ ଡିଆରଜି ଓ ବିଏସ୍ଏଫ ପକ୍ଷରୁ ବିନାଗୁଣ୍ଡା ନିକଟସ୍ଥ ଗୋଟିଏ ଜଙ୍ଗଲରେ ମାଓବାଦୀ ଦମନ ଅଭିଯାନ କରାଯାଉଥିଲା । ଏହି ସମୟରେ ସେମାନଙ୍କ ମୁକାବିଲା ମାଓବାଦୀଙ୍କ ସହ ହୋଇଥିଲା । ଜଙ୍ଗଲ ଭିତରେ ପ୍ରାୟ ୫୦ ଜଣ  ମାଓବାଦୀ ରହିଥିଲେ । ସେମାନେ ଯବାନମାନଙ୍କୁ ଦେଖିବା କ୍ଷଣି ଆଖିବୁଜା ଗୁଳି ଚାଳନା ଆରମ୍ଭ କରିଦେଇଥିଲେ । ଏହାର ଦୃଢ ଜବାବ ଯବାନଙ୍କ ପକ୍ଷରୁ ଦିଆଯାଇଥିଲା । ଦୀର୍ଘ ସମୟ ଧରି ହୋଇଥିବା ଗୁଳି ବିନିମୟ ପରେ ଘଟଣା ସ୍ଥଳରୁ ୨୯ ଜଣ ମାଓବାଦୀଙ୍କ ମୃତଦେହ ମିଳିଛି ।  ଶଙ୍କର ରାଓର ଶବକୁ ମଧ୍ୟ ଜବତ କରାଯାଇଛି । ଶଙ୍କର ବିଭିନ୍ନ ହିଂସାକାଣ୍ଡ ଓ ଆକ୍ରମଣ ଘଟଣାରେ ସାମିଲ ଥିଲା ।  ସେହିପରି ମାଓବାଦୀଙ୍କ ସହ ମୁକାବିଲା କରିବା ବେଳେ ବିଏସ୍ଏଫର ୨ ଜଣ ଓ ଡିଆରଜିର ଜଣେ ଯବାନ ଗୁଳି ମାଡ଼ରେ ଆହତ ହୋଇଛନ୍ତି । ଆହତ ୨ ବିଏସଏଫ ଯବାନଙ୍କ ଅବସ୍ଥା ସ୍ଥିର ଥିବା ବେଳେ ଡିଆରଜି ଯବାନଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି । ସମସ୍ତଙ୍କୁ ପ୍ରଥମେ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଏହାପରେ ସେମାନଙ୍କୁ ସେନା ହସ୍ପିଟାଲକୁ ନିଆଯାଇଛି । ଘଟଣା ସ୍ଥଳରୁ ୭ଟି ଏକେ ୪୭ ଓ ୩ଟି ଲାଇଟ ମେସିନ ଗନ୍ ସମେତ ଏକାଧିକ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ମିଳିଥିବା କହିଛନ୍ତି ବସ୍ତର ଆଇଜି ପି.ସୁନ୍ଦରାଜନ ଓ ସ୍ଥାନୀୟ ଏସପି କଲ୍ୟାଣ ଇଲ୍ଲିସେଲା । କାଙ୍କେର ଜିଲ୍ଲାରେ ଆସନ୍ତା ୨୬ ତାରିଖରେ ଲୋକସଭା ନିର୍ବାଚନ ପାଇଁ ଭୋଟ ହେବ । ଏହାପୂର୍ବରୁ ଆଜି ସୁରକ୍ଷାକର୍ମୀମାନେ ମାଓ ଦମନ ଅଭିଯାନକୁ ତୀବ୍ର କରିଛନ୍ତି ।  ତେବେ ଖବର ଲେଖା ଯିବା ପର୍ଯ୍ୟନ୍ତ ସର୍ଚ୍ଚ ଅପରେସନ ଜାରି ରହିଥିବାରୁ ଆହୁରି ମୃତଦେହ ଓ ମାଓବାଦୀ ସାମଗ୍ରୀ ଜବତ ହେବାର ସମ୍ଭାବନା ରହିଛି ।