ଟିକେଟ ନମିଳିବା ପରେ... ଅସନ୍ତୋଷ ଥିଲେ ବି ମନରେ ଡର
Naveen Pattanaik Biju Janata Dal VK Pandian
ଭୁବନେଶ୍ୱର : ହଜାରେ କି ଦି ହଜାରେ ନୁହେଁ । ୧୪୭ ବିଧାନସଭା ଓ ୨୧ ଲୋକସଭା ପାଇଁ ଦଶ ହଜାର ଆବେଦନ ଆସିଥିଲା । ଟାଣୁଆ ଆଶାୟୀଙ୍କ ସଂଖ୍ୟା ବି ହଜାରେ ଟପିଯିବ । ବିଜେଡ଼ି ଟିକେଟ ନମିଳିଲେ ବିସ୍ଫୋରଣ ହେବ ବୋଲି ବିଜେପି ଓ କଂଗ୍ରେସ ଆକଳନ କରିଥିଲେ । ସେଥିରୁ ଫାଇଦା ନେବାକୁ ଦୁଇ ଦଳ ଅଙ୍କ ବି କଷିଥିଲେ । ଇତିମଧ୍ୟରେ ବିଜେଡ଼ି ୧୦୮ ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିସାରିଛି । ଆଶାୟୀଙ୍କ ଅସନ୍ତୋଷ ଓ ବିରୋଧ ବି ଦେଖିବାକୁ ମିଳିଛି । ତେବେ ତାହା ନିଜ ନିର୍ବାଚନମଣ୍ଡଳୀର ହୁଡ଼ା ଡେଇଁ ନବୀନ ନିବାସ କି ଶଙ୍ଖ ଭବନ ପର୍ୟ୍ୟନ୍ତ ପହଁଚି ପାରିନାହିଁ । ଟାଣୁଆ ଆଶାୟୀଙ୍କ ମନରେ ଅସନ୍ତୋଷ ଥିଲେବି ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ପ୍ରତି ଭୟ ରହିଛି ବୋଲି ଜଳଜଳ ହୋଇ ପ୍ରତୀୟମାନ ହୋଇଛି ।
ପଂଚାୟତ ନିର୍ବାଚନ ବେଳଠାରୁ ଅନେକ ନେତା ବିଜେଡ଼ି ଟିକେଟ ପାଇଁ ଆଶା ବାନ୍ଧିଥିଲେ । ନିଜ ନିଜର ସମର୍ଥକଙ୍କୁ ଧରି ସାମାଜିକ ଗଣମାଧ୍ୟମରେ ଦମଦାର ପ୍ରଚାର ଆରମ୍ଭ କରି ଦେଇଥିଲେ । ଆଜି ପର୍ୟ୍ୟନ୍ତ ପାୱାର କୋଟରୀର ନେତାଙ୍କ ସହ ପଦୁଟିଏ କଥା ହୋଇନଥିଲେବି ମୋ ଟିକେଟ ଥୟ ବୋଲି ଗର୍ବରେ କହି ବୁଲୁଥିଲେ । ମୋର ସର୍ଭେ ରିପୋର୍ଟ ଏକ ନମ୍ବର ବୋଲି ବାହାସ୍ଫୋଟ ବି ମାରୁଥିଲେ । ଅଷ୍ଟପ୍ରହରୀ, ଛୁତିକିଆ, ମୃତିକା, ବାହାଘର, ବ୍ରତଘର, କ୍ରିକେଟ ମ୍ୟାଚ୍ ଯେଉଁଠିକୁ ଡାକୁଥିଲେ ସେଇଠାକୁ ମାଡ଼ି ଯାଉଥିଲେ । ଲକ୍ଷ ଲକ୍ଷ ଟଙ୍କାବି ପାଣି ଭଳି ଉଡ଼ାଇ ଦେଇଥିଲେ । କେହିକେହି ସଂଗଠନର ଖଡ଼ି ନଛୁଇଁ ପ୍ରଭାବ ବିସ୍ତାର କରି ଟିକେଟ ନେବାକୁ ଅଙ୍କ କଷୁଥିଲେ ।
ବାପ ପୁଅ ରାତି ଅନିଦ୍ରା ମୁଗୁରା ପଛ ମେଲା ଭଳି, ହଜାର ହଜାର ବିଜେଡ଼ି ଆଶାୟୀଙ୍କର ସବୁ ଅଙ୍କ ଭୁଲ ହୋଇଯାଇଛି । ବିଜେଡ଼ିର ୧୦୮ ତାଲିକାରେ ସେମାନଙ୍କର ନାଁ ନାହିଁ । ଯେଉଁ ନେତାମାନଙ୍କର ସଂଗଠନ ରହିଛି ସେମାନେ ଅସନ୍ତୋଷ ଝାଡୁଛନ୍ତି । କିଛି ବିଧାୟକ ବିଜେଡି ଟିକେଟ ନପାଇବାରୁ ବାଧ୍ୟରେ ବିଜେପି ମୁହାଁ ବି ହୋଇଛନ୍ତି । ଯେଉଁ ନେତାମାନେ ଦଳ ଛାଡ଼ିନଥିଲେବି ଅସନ୍ତୁଷ୍ଟ ଅଛନ୍ତି ସେମାନେ କେବଳ ନିଜ ନିର୍ବାଚନମଣ୍ଡଳୀରେ କର୍ମୀଙ୍କ ସହ ବୈଠକ କରୁଛନ୍ତି । ସ୍ଥାନୀୟ ଗଣମାଧ୍ୟମରେ ଖବର ପ୍ରକାଶ କରୁଛନ୍ତି । କାଳେ କିଛି ଚାପ ପଡ଼ିଲେ ଶେଷ ମୁହୂର୍ତରେ ପ୍ରାର୍ଥୀ ବଦଳିଯିବ ବୋଲି ବି ଭାବି ନେଇଛନ୍ତି । ଯଦିଓ ସେଭଳି ହେବାର ସମ୍ଭାବନା ଖୁବ୍ କମ ରହିଛି ।
ବିଜେଡ଼ି ନେତାଙ୍କ ମଧ୍ୟରେ ଅସନ୍ତୋଷ ରହିଥିଲେବି ବିଜେପି ଓ କଂଗ୍ରେସ ନେତାଙ୍କ ଭଳି ସେମାନେ ଅସନ୍ତୋଷ ଜାହିର କରିପାରୁନାହାନ୍ତି । ବିଜେପି ଟିକେଟରୁ ବଂଚିତ ହେବା ପରେ କୋରେଇ, ଧର୍ମଶାଳାର ନେତାମାନେ ବିଜେପି କାର୍ୟ୍ୟାଳୟରେ ହଙ୍ଗାମା ବି କରିଥିଲେ । ଏମିତିକି ଖୋର୍ଦ୍ଧା ପାଇଁ ଟିକେଟ ଘୋଷଣା କରାଯାଇନଥିଲେବି ନେତାଙ୍କ ସମର୍ଥକମାନେ ହାଲାବୋଲ କରିଥିଲେ । ତେବେ ବିଜେଡ଼ି ନେତାଙ୍କ ଅସନ୍ତୋଷ ସେମାନଙ୍କ ସମର୍ଥକଙ୍କ ଆଗରେ ହିଁ ଶେଷ ହୋଇଯାଇଛି । ନବୀନ ନିବାସ କିମ୍ବା ଶଙ୍ଖ ଭବନରେ ରୋଷ ଝାଡ଼ିବାକୁ ବଳ ଗୋଟାଇ ପାରୁନାହାନ୍ତି । କାହିଁକିନା ନବୀନ ଏହା ବରଦାସ୍ତ କରିପାରିବେ ନାହିଁ ବୋଲି ସେମାନେ ଭଲ ଭାବେ ଜାଣିପାରିଛନ୍ତି । ଅନ୍ୟ ଦଳରୁ ଯଦି ଟିକେଟ ନମିଳିବ ତେବେ ବିଜେଡ଼ି ଛାଡ଼ି କିଛି ଲାଭ ନାହିଁ ବୋଲି ସେମାନେ ମନେ କରୁଛନ୍ତି । ସେଇଭଳି ଖୋଲା ଅସନ୍ତୋଷ ଜାହିର କଲେ କାର୍ୟ୍ୟାନୁଷ୍ଠାନର ବି ଭୟ ରହିଛି । ପୁଣିଥରେ ବିଜେଡ଼ି ସରକାର ଗଢ଼ିବ ବୋଲି ବିଭିନ୍ନ ସର୍ଭେ ରିପୋର୍ଟ ଦର୍ଶାଇ ସାରିଛନ୍ତି । ତେଣୁ ନୀରବ ରହିଲେ ହୁଏତ କାଲିକି କାଲି ନିଗମ କିମ୍ବା ସରକାରୀ ଉପଦେଷ୍ଟା ଭଳି ପଦବୀ ମିଳିପାରେ ବୋଲି ଭାବି ନେଇଛନ୍ତି ।