ପ୍ରତିଶ୍ରୁତିରେ ରହିଗଲା ମୂଳ ଖରସ୍ରୋତା ପୁନରୁଦ୍ଧାର ପ୍ରସ୍ଥାବ

କୁଆଖିଆ: କୋରେଇ ନିର୍ବାଚନମଣ୍ଡଳୀର ରସୁଲପୁର ବ୍ଲକ ଅଞ୍ଚଳର ଏକ ଶସ୍ୟ ଶ୍ୟାମଳ କୃଷି ଭିତ୍ତିକ ଅଞ୍ଚଳ । ଏଠାକାର କୃଷିଜାତ ପନିପରିବା ଆଖପାଖ ଅଞ୍ଚଳର ବଜାର ତଥା ଜିଲା ବାହାରକୁ ରପ୍ତାନୀ ହେଉଥିବା ବେଳେ କୃଷି ଉପରେ ନିର୍ଭର କରି ବଞ୍ଚୁଥିବା ଚାଷୀ ମାନଙ୍କର ଦୁଃଖ କହିଲେ ନସରେ । 
ସରକାର କୃଷି ଓ କୃଷକ ମାନଙ୍କ ଉନ୍ନତି ପାଇଁ ଅନେକ ଯୋଜନା କରୁଥିଲେ ମଧ୍ୟ ସେଗୁଡିକ ମୁଳ ଉଦେ୍ଦଶ୍ୟ ଠାରୁ ଦୁରକୁ ଚାଲି ଯାଉଥିବା ଦେଖିବାକୁ ମିଳୁଛି । ଯାହାର ଜ୍ୱଳନ୍ତ ଉଦାହରଣ ହେଉଛି ମୁଳ ଖରସ୍ରୋତା ନଦୀର ପୁନରୁଦ୍ଧାର ନିମନ୍ତେ ଦିଆ ଯାଉଥିବା ପ୍ରତିଶ୍ରୁତି କେବଳ ପ୍ରତିଶ୍ରୁତିରେ ରହିଯିବା ଘଟଣାରୁ ।୧୯୯୨ମସିହାରେ ନଦୀବନ୍ଧ ଯୋଜନା ଆଳରେ ସରକାର ଏଅଞ୍ଚଳର ଜନସ୍ୱାର୍ଥକୁ ଅଣଦେଖା କରି ବହୁ ବର୍ଷର ନଦୀ ଧାରାକୁ ସବୁଦିନ ପାଇଁ ବନ୍ଦ କରିଦେଲେ । ଯାହା ଫଳରେ ଏହି ନଦୀ ଉପରେ ନିର୍ଭର କରି ପରିବାର ପ୍ରତିପୋଷଣ କରୁଥିବା ୯ ପଞ୍ଚାୟତର କୃଷକ, ମସô୍ୟଜୀବୀ ମାନଙ୍କର ମେରୁଦଣ୍ଡ ଦୋହଲି ଗଲା । ଏହାକୁ ପୁନର୍ବାର ଚିରସ୍ରୋତା ଉଦେ୍ଦଶ୍ୟରେ୨୦୦୯ ମସିହାରେ ନଦୀ କୁଳିଆ ୯ ପଞ୍ଚାୟତ ତଥା ପଡୋଶୀ ପଞ୍ଚାୟତର କିଛି ବୁଦ୍ଧିଜୀବୀ, ଶିକ୍ଷାବିତ୍, ସମାଜସେବୀ, ପରିବେଶବିତ୍ ଏବଂ ସଂଗ୍ରାମୀ ବ୍ୟକ୍ତି ବିଶେଷ ଖରସ୍ରୋତା ପୁନରୁଦ୍ଧାର ସମିତି ମାଧ୍ୟମରେ ବିଭିନ୍ନ ସମୟରେ ସରକାରଙ୍କ ନିକଟରେ ଦାବି ଉପସ୍ଥାପନ କରିବା ସହିତ ୨୦୧୪ ମସିହାରେ ନିର୍ବାଚନମଣ୍ଡଳୀରୁ ପ୍ରତିନିଧିତ୍ୱ କରୁଥିବା ବିଧାୟକ ଆକାଶ ଦାସ ନାୟକଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ । ଶ୍ରୀଯୁକ୍ତ ଦାସ ଏଥିପ୍ରତି ଦୃଷ୍ଟି ଦେବାକୁ ପ୍ରତିଶ୍ରୁତି ଦେଇଥିଲେ । ହେଲେ ତାଙ୍କ କାର୍ଯ୍ୟକାଳ ସରିଗଲା ହେଲେ ପୁରଣ ହୋଇପାରିଲା ନାହିଁ କି ପୂରଣ କରିପାରିଲେନି । ଏହାପରେ ୨୦୧୯ ରୁ ଏହି ୯ ପଞ୍ଚାୟତର ଅନ୍ତର୍ଭୁକ୍ତ ଏବଂ ଖରସ୍ରୋତା ନଦୀ ସହିତ ଓତଃପ୍ରୋତ ଭାବରେ ଜଡ଼ିତ ମାଟିର ପୁଅ ଅଶୋକ କୁମାର ବଳ ବିଧାୟକ ଭାବରେ ନିର୍ବାଚିତ ହେବା ପରେ ସମିତି ବହୁ ଆଶା ରଖି ଶେଷରେ ନିରାଶ ହେବାକୁ ପଡିଛି । ପ୍ରସ୍ତାବ ଥିଲା ମୂଳ ଖରସ୍ରୋତା ଟିକରପଡା ଠାରେ ଏକ ସୁଇସ୍ ଗେଟ୍ ନିର୍ମାଣ ହେବ ଯୋଉଥିରେ ୭ କୋଟି ଟଙ୍କା ବ୍ୟୟବରାଦ ହେବ । ଏହାକୁ ଏକ ଏଷ୍ଟିମେଟ୍ କମିଟି ମାଧ୍ୟମରେ ବ୍ଲକ ପ୍ରଶାସନ ଏବଂ ସ୍ଥାନୀୟ ଲୋକ ପ୍ରତିନିଧି ଓ ଉଚ୍ଚସ୍ତରୀୟ କମିଟି ତଦନ୍ତ କରି ସରକାରଙ୍କୁ ରିପୋର୍ଟ ପ୍ରଦାନ ପାଇଁ ନିଦେ୍ର୍ଦଶ ଥିଲା । ତାହା ମଧ୍ୟ ହୋଇଥିଲା । ଶାସକ ଦଳର ବିଧାୟକ,ମନ୍ତ୍ରୀ ବିଭାଗୀୟ ଉଚ୍ଚ କ୍ଷମତା ସମ୍ପନ୍ନ ଅଧିକାରୀଙ୍କ ଠାରୁ ବିଭାଗୀୟ ସଚିବ ପର୍ଯ୍ୟନ୍ତ ଏସମ୍ପର୍କରେ ଆଲୋଚନା ପର୍ଯ୍ୟାଲୋଚନା ହୋଇଥିଲେ ବି ପ୍ରସ୍ତାବିତ ଫାଇଲ୍ ଆଗକୁ ନଯାଇ ପାରି କେଉଁଠି ଅଟକି ଯିବା ପରି ମନେହୁଏ । ନଚେତ୍ ଚଳିତ ଦଶନ୍ଧି ମଧ୍ୟରେ ମୁଳ ଖରସ୍ରୋତା ନଦୀ ଉପରେ କୋଟି କୋଟି ଟଙ୍କା ବ୍ୟୟରେ ୯ଟାରୁ ଅଧିକ ପୋଲ ନିର୍ମାଣ ହୋଇ ସାରିଥିବା ବେଳେ ସାମାନ୍ୟ ସୁଇସ୍ ଗେଟ୍ ବର୍ଷ ବର୍ଷ ଧରି ଆଗେଇ ପାରୁନାହିଁ । ଯାହା ଏ ୯ ପଞ୍ଚାୟତର ୫୦ ହଜାରରୁ ଊର୍ଦ୍ଧ୍ୱ ଜନସାଧାରଣଙ୍କ ଭରସା ତୁଟି ସାରିଛି । ଦୁଃଖର ବିଷୟ ଦୀର୍ଘ ବର୍ଷ ଧରି ଶାସକ ଦଳର ବିଧାୟକ ଏ ସମସ୍ୟା ସମ୍ପର୍କରେ ବିଧାନସଭାରେ ଦିନଟିଏ ପ୍ରଶ୍ନ କରି ନଥିବା ବେଳେ ଏବେ ଏହି ୯ ପଞ୍ଚାୟତ ଜନସାଧାରଣଙ୍କ ସମର୍ଥନରେ ନିର୍ବାଚନ ନଦୀ ପାର ହେବା ପାଇଁ ପ୍ରାର୍ଥୀମାନଙ୍କ ଉଦ୍ୟମ କରୁଥିବା ଦେଖାଦେଇଛି । ତେବେ ଏହି ପରିପ୍ରେକ୍ଷୀରେ ପୁନରୁଦ୍ଧାର ସମିତି ତାର ସେଇ ପୁରୁଣା ଦାବିକୁ ନେଇ ଜନସାଧାରଣଙ୍କୁ ସଚେତନତା ବାର୍ତା ଦେଉଥିବା ବେଳେ ପ୍ରାର୍ଥୀଙ୍କୁ ସେମାନଙ୍କ ମୌଳିକ ଦାବି ସମ୍ପର୍କରେ ପ୍ରଶ୍ନ ପଚାରିବା ପାଇଁ ପରାମର୍ଶ ଦେଉଥିବା ଦେଖାଯାଉଛି । ତେବେ ଏହି ମୂଳ ଖରସ୍ରୋତା ପୁନରୁଦ୍ଧାରକୁ ନେଇ ଚାଷୀ ଓ ବୁଦ୍ଧିଜୀବୀ ମହଲରେ ପ୍ରତିକ୍ରିୟା ପ୍ରକାଶ ପାଉଥିବା ଦେଖିବାକୁ ମିଳୁଛି । ଯଦି କୌଣସି ରାଜନୈତିକ ଦଳ ପକ୍ଷରୁ ନିର୍ଭର ପ୍ରତିଶ୍ରୁତି ନମିଳେ ତେବେ ଏହି ୯ପଞ୍ଚାୟତରେ ପ୍ରାର୍ଥୀଙ୍କୁ ବହୁମୂଲ୍ୟ ଦେବାକୁ ହେବ ପଡ଼ିପାରେ ।