ରେକର୍ଡ ମାର୍ଜିନ ସାଙ୍ଗକୁ ତିନି ଚତୁର୍ଥାଂଶ ଆସନରେ ଜିତିବ ବିଜେଡି: ପାଣ୍ଡିଆନ
Biju Janata Dal, Naveen Patnaik VK pandian

୧୪୭ ବିଧାନ ସଭା ଓ ୨୧ ଲୋକସଭା ଆସନରେ ଠିଆ ହୋଇଛନ୍ତି ନିଜେ ନବୀନ ପଟ୍ଟନାୟକ
ରେକର୍ଡ ମାର୍ଜିନରେ ଜିତିବ ବିଜେଡି
ମୁଖ୍ୟମନ୍ତ୍ରୀଙ୍କୁ ଦୁଇଟି ଆଶୀର୍ବାଦ ଦିଅନ୍ତୁ
ଗୋଟିଏ ଆଶୀର୍ବାଦ ବିଧାନସଭା ପାଇଁ ଆଉ ଗୋଟିଏ ଲୋକସଭା ପାଇଁ
ଖାଲି ବିଧାନସଭା ନୁହେଁ, ଲୋକସଭାରେ ମଧ୍ୟ ଦଳ ଭଲ କରିବ
ଶ୍ରମିକଙ୍କ ମଜୁରୀ ଏକାବେଳେ ୧୧ଟଙ୍କାରୁ ୨୫ଟଙ୍କାକୁ ବୃଦ୍ଧି ପାଇଁ ବିଜୁବାବୁ ନେଇଥିଲେ ଐତିହାସିକ ନିଷ୍ପତ୍ତି
ନବୀନ ଓଡିଶା ଗଠନରେ ଶ୍ରମିକଙ୍କ ରହିଛି ଗୁରୁତ୍ଵପୂର୍ଣ୍ଣ ଭୂମିକା
ସେଥିପାଇଁ ମୁଖ୍ୟମନ୍ତ୍ରୀ ସେମାନଙ୍କୁ ସମ୍ମାନ ଦେବା ସହ ସେମାନଙ୍କ କଲ୍ୟାଣକୁ ଦେଇଛନ୍ତି ପ୍ରାଥମିକତା
ଶ୍ରମିକଙ୍କ ମଜୁରୀ ସର୍ବାଧିକ ୧୦୦ଟଙ୍କା ବୃଦ୍ଧି କରିବା ପାଇଁ ନିଜେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କରିଥିଲେ ହସ୍ତକ୍ଷେପ
ଭୁବନେଶ୍ୱର, ୦୭/୦୪/୨୦୨୪: ବିଜେଡି ଏଥର ୧୪୭ ବିଧାନସଭା ଆସନ ମଧ୍ୟରୁ ତିନି ଚତୁର୍ଥାଂଶ ଆସନରେ ରେକର୍ଡ ମାର୍ଜିନରେ ବାଜିମାତ କରିବ ବୋଲି ଆକଳନ କରିଛନ୍ତି ବିଜୁ ଜନତା ଦଳର ବରିଷ୍ଠ ନେତା ତଥା ନବୀନ ଓଡିଶା ଏବଂ ୫ଞଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ । ଭୁବନେଶ୍ବରଠାରେ ଆୟୋଜିତ ବିଜୁ ଶ୍ରମିକ ସାମ୍ମୁଖ୍ୟର ରାଜ୍ୟସ୍ତରୀୟ କନଭେନସନରେ ଯୋଗ ଦେଇ ପାଣ୍ଡିଆନ ଏହା କହିଛନ୍ତି । ସେ କହିଛନ୍ତି ଯେ, ଏଥର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରେକର୍ଡ ମାର୍ଜିନରେ ବିଜୟୀ ହୋଇ ପୁଣି ଥରେ ସରକାରକୁ ଆସୁଛନ୍ତି । ବିଜେଡି ତିନି ଚତୁର୍ଥାଂଶ ଆସନରେ ବିଜୟୀ ହେବା ସୁନିଶ୍ଚିତ । ସେହିଭଳି ଲୋକସଭାରେ ମଧ୍ୟ ଗତଥରଠାରୁ ଭଲ ପ୍ରଦର୍ଶନ କରିବ ଦଳ । ସେଥିପାଇଁ ଲୋକଙ୍କଠୁ ଦୁଇଟି ଆଶୀର୍ବାଦ ଦରକାର । ଗୋଟିଏ ବିଧାନସଭା ପାଇଁ ଓ ଅନ୍ୟଟି ଲୋକସଭା ପାଇଁ । ପ୍ରାର୍ଥୀକୁ ଦେଖିବେ ନାହିଁ । ବରଂ ନବୀନ ପଟ୍ଟନାୟକ ଏବଂ ଶଂଖ ଚିହ୍ନକୁ ଦେଖିବେ । କାରଣ ୧୪୭ ବିଧାସଭା ଓ ୨୧ ଲୋକସଭା ଆସନରେ ନବୀନ ପଟ୍ଟନାୟକ ଏବଂ ଶଂଖ ଚିହ୍ନ ହି ଛିଡା ହୋଇଛି ବୋଲି ସେ କହିଛନ୍ତି । ବିକାଶ ଧାରାକୁ ଆହୁରି ଆଗକୁ ନେବା ପାଇଁ ନବୀନ ପଟ୍ଟନାୟକ ଷଷ୍ଠଥର ମୁଖ୍ୟମନ୍ତ୍ରୀ ହେବେ ବୋଲି ସେ ଦୃଢୋକ୍ତି ପ୍ରକାଶ କରିଛନ୍ତି ।
ମୁଖ୍ୟମନ୍ତ୍ରୀଙ୍କ ବିଚାରରେ ସଶକ୍ତ ଓ ନବୀନ ଓଡିଶା ଗଠନରେ ସବୁଠୁ ଗୁରୁତ୍ବପୂର୍ଣ୍ଣ ଭୂମିକା ଶ୍ରମିକଙ୍କ । ସବୁ ବିକାଶ କାମ ପଛରେ ରହିଛି ଶ୍ରମିକଙ୍କ ହାତ । ସେଥିପାଇଁ ମୁଖ୍ୟମନ୍ତ୍ରୀ ସବୁବେଳେ ଶ୍ରମିକମାନଙ୍କୁ ପ୍ରାଥମିକତା ଓ ସମ୍ମାନ ଦେଇ ଆସିଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପିତା ବିଜୁ ପଟ୍ଟନାୟକ ଗୋଟେ ସମୟରେ ୧୧ଟଙ୍କାରୁ ୨୫ ଟଙ୍କାକୁ ଦୈନିକ ମଜୁରୀ ବୃଦ୍ଧି ପାଇଁ ଐତିହାସିକ ନିଷ୍ପତ୍ତି ନେଇଥିଲେ । ଏବେ ମଧ୍ୟ ନବୀନ ପଟ୍ଟନାୟକ ସର୍ବାଧିକ ୧୦୦ଟଙ୍କା ମଜୁରୀ ବୃଦ୍ଧି କରି ରେକର୍ଡ କରିଛନ୍ତି । ସରକାରଙ୍କ ବିଭିନ୍ନ ବିଭାଗ ୧୦୦ ଟଙ୍କ ମଜୁରୀ ବୃଦ୍ଧି ସପକ୍ଷରେ ନଥିଲେ । କାରଣ ୧୦୦ଟଙ୍କା ମଜୁରୀ ବୃଦ୍ଧି କଲେ ରାଜ୍ୟ ସରକାରଙ୍କ ଉପରେ ବାର୍ଷିକ ୫ରୁ ୬ହଜାର କୋଟି ଟଙ୍କାର ଅଧିକ ବୋଝ ପଡିବ ବୋଲି ଆକଳନ କରାଯାଇଥିଲା । କିନ୍ତୁ ମୁଖ୍ୟମନ୍ତ୍ରୀଙ୍କ ଯୁକ୍ତିଥିଲା ଯେଉଁ ଶ୍ରମିକମାନେ ରାଜ୍ୟ ବିକାଶର ମୁଖ୍ୟ ବିନ୍ଧାଣୀ ସେମାନଙ୍କ ପାଇଁ ୫/୬ ହଜାର କୋଟିର ବୋଝ ନେବାକୁ ସରକାର ପ୍ରସ୍ତୁତ । ମୁଖ୍ୟମନ୍ତ୍ରୀ ବ୍ୟକ୍ତିଗତ ଭାବେ ହସ୍ତକ୍ଷେପ କରି ୩୫୦ଟଙ୍କାରୁ ମଜୁରୀ ୪୫୦ଟଙ୍କାକୁ ବୃଦ୍ଧି କରିଛନ୍ତି । ଆହୁରି ବହୁତ କିଛି କରିବାକୁ ବାକି ଅଛି । ଏଥର ସରକାରକୁ ଆସିଲେ ସେ ସବୁ ପୂରଣ କରାଯିବ ବୋଲି କହିଛନ୍ତି କାର୍ତ୍ତିକ ପାଣ୍ଡିଆନ ।
ଏ ଅବସରରେ ରାଜ୍ୟରେ ଚାଲିଥିବା ବିଭିନ୍ନ ବିକାଶ ମୂଳକ କାର୍ୟ୍ୟ ସାଙ୍ଗକୁ ଶ୍ରମିକଙ୍କ ପାଇଁ ମୁଖ୍ୟମନ୍ତ୍ରୀ ନେଇଥିବା ବିଭିନ୍ନ ପଦକ୍ଷେପର ସମ୍ପର୍କରେ ସୂଚନା ଦେଇଥିଲେ କାର୍ତ୍ତିକ ପାଣ୍ଡିଆନ । ସେ କହିଥିଲେ ଯେ, ଈଝକଣ ହେଉଛି ଗରୀବ ଲୋକଙ୍କ ବଡ ସ୍ବପ୍ନ । ଶ୍ରମିକମାନଙ୍କ କଲ୍ୟାଣ ନିମନ୍ତେ ଏଭଳି ଯୋଜନାର ପରିକଳ୍ପନା । ଗ୍ରାମାଞ୍ଚଳରେ ରହୁଥିବା ୯୦ ପ୍ରତିଶତ ଲୋକ ଈଝକଣ କାର୍ଡ ପାଇଛନ୍ତି । ଫଳରେ ବସ୍ତିରେ ରହୁଥିବା ଲୋକ ମଧ୍ୟ ବଡ ବଡ ବେସରକାରୀ ହସପିଟାଲରେ ଚିକିତ୍ସା କରିବାକୁ ସାହସ କରିପାରୁଛି । ଗରୀବ ଲୋକଙ୍କ ସ୍ବାସ୍ଥ୍ୟ ସମସ୍ୟାର ସମାଧାନ କରି ଲୋକଙ୍କ ସ୍ବପ୍ନ ପୂରଣ କରିଛନ୍ତି ନବୀନ ପଟ୍ଟନାୟକ ।
ଦେଶରେ ଏକମାତ୍ର ରାଜ୍ୟ ହେଉଛି ଓଡିଶା ଯେଉଁଠି ସରକାର କଣ୍ଟ୍ରାକ୍ଟରେ ନେଇ ଆନ୍ତର୍ଜାତିକ ବିମାନ ସେବା ଲୋକଙ୍କୁ ଯୋଗାଇଦେଇଛନ୍ତି । କେବଳ ସେତିକି ନୁହେଁ ଦୁବାଇ ଓ ସାଉଦୀ ଭଳି ବାହାର ଦେଶରେ ଥିବା ଶ୍ରମିକ କିଭଳି କମ ପଇସାରେ ଘରକୁ ଯା ଆସ କରିପାରିବେ ସେଥିପାଇଁ ବିମାନ ଭଡା ମଧ୍ୟ କମ ରଖାଯାଇଛି । ଭଡା କମ ଯୋଗୁଁ ଆଜି ଶ୍ରମିକଟି ୫ ବର୍ଷରେ ଥରେ ଘରକୁ ଆସିବା ବଦଳରେ ବର୍ଷକୁ ଥରେ ଘରକୁ ଆସିପାରୁଛି । କେବଳ ସେତିକି ନୁହେଁ ଗ୍ରାମାଞ୍ଚଳରୁ ଶ୍ରମିକଙ୍କ ଯାତାୟତ ସୁବିଧା ପାଇଁ ରାଜ୍ୟସରକାର ଲକ୍ଷ୍ମୀ ବସ ଯୋଜନା କରିଛନ୍ତି । ଏବେ ୮୦ପ୍ରତିଶତ ପଞ୍ଚାୟତରେ ଏହି ସୁବିଧା ମିଳୁଛି ।
ଦୁଇବର୍ଷ କୋଭିଡ ସତ୍ତ୍ବେ ରାଜ୍ୟର ବିକାଶ ଶିଖର ଛୁଇଁଛି । ୨୦୧୯ରୁ ୨୦୨୪ ମଧ୍ୟରେ ବହୁ ବିକାଶମୂଳକ କାର୍ୟ୍ୟ ହାତକୁ ନିଆଯାଇଛି । ରାଜ୍ୟରେ ଏବେ ୧୦ହଜାରରୁ ଅଧିକ ମନ୍ଦିରର ରୂପାନ୍ତରଣ କାର୍ୟ୍ୟ ଜାରି ରହିଛି । ପ୍ରତି ପଞ୍ଚାୟରେ ଥିବା ସ୍କୁଲର ରୂପାନ୍ତରଣ କରାଯାଇଛି । ସ୍କୁଲରୁ ବ୍ଲାକ ବୋର୍ଡ ହଟାଇ ପିଲାଙ୍କୁ ସ୍ମର୍ଟ ବୋର୍ଡ ଦିଆଯାଇଛି । ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀଭାବେ ଦାୟିତ୍ବ ନେଲାବେଳକୁ ମହାନଦୀ ଉପରେ ମାତ୍ର ଗୋଟିଏ ପୋଲ ଥିଲା । ଏବେ ୬ରୁ ୭ଟି ପୋଲ ନିର୍ମାଣ ହେଲାଣି । କୋରାପୁଟ, ମଯୂରଭଂଜ, ଫୁଲବାଣୀ ଭଳି ସ୍ଥାନରେ ମେଡିକାଲ କଲେଜ ସ୍ଥାପନ ହେଲାଣି । କଟକର ରୂପରେଖ ବଦଳିଯାଇଛି । କଟକକୁ ଦେଖିଲେ ସ୍ବପ୍ନଭଳି ଲାଗୁଛି । ସମଲେଶ୍ବରୀ ମନ୍ଦିରର ରୂପାନ୍ତରଣ ଏଭଳି ହୋଇଛି ଯ, ନିଜେ ସମ୍ବଲପୁରବାସୀ ତାକୁ ବିଶ୍ବାସ କରିପାରୁନାହାନ୍ତି । ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କେମିତି ହୋଇଛି ବୋଲି ପ୍ରଶ୍ନ କରିବା ସହ କେହି କେବେ ଏଭଳି ହୋଇପାରିବ ବୋଲି ଭାବିଥିଲା କି ବୋଲି ପ୍ରଶ୍ନ କରିଥିଲେ ପାଣ୍ଡିଆନ । ତେବେ ଏ ସବୁ ଶ୍ରମିକମାନଙ୍କ ପାଇଁ ହିଁ ସମ୍ଭବ ହୋଇପାରିଛି ବୋଲି ସେ କହିଥିଲେ ।
ବିଜୁ ଶ୍ରମିକ ସାମୁଖ୍ୟର ଏହି ରାଜ୍ୟସ୍ତରୀୟ କନଭେନସନରେ ବୈଷୟିକ ଶିକ୍ଷାମନ୍ତ୍ରୀ ପ୍ରିତୀରଂଜନ ଘଡେଇ, ଭୁବନେଶ୍ବର (ଉତ୍ତର)ବିଧାୟକ ସୁଶାନ୍ତ ରାଉତ, ବିଜୁ ଶ୍ରମିକ ସାମ୍ମୁଖ୍ୟର ସାଧାରଣ ସମ୍ପାଦକ ତଥା କଟକ ମେୟର ସୁବାସ ସିଂ, ଭୁବନେଶ୍ବର ଲୋକସଭା ଆସନରୁ ବିଜେଡି ପ୍ରାର୍ଥୀ ମନ୍ମଥ ରାଉତରାୟ ଓ ବିଜୁ ଶ୍ରମିକ ସାମୁଖ୍ୟର ଜିଲ୍ଲାସ୍ତରୀୟ କର୍ମକର୍ତ୍ତା କନଭେନସନରେ ଯୋଗ ଦେଇଥିଲେ ।