କିଏ ହେବେ ବିଜେପି ସଭାପତି
Odisha BJP Odisha Politics
ଭୁବନେଶ୍ୱର : ସଭ୍ୟ ସଂଗ୍ରହ ପରେ ପରେ ବିଜେପି ନୂଆ ସଭାପତି ବାଛିବା ଆରମ୍ଭ କରିଦେଇଛି । ମଣ୍ଡଳ ସଭାପତି, ଜିଲ୍ଲା ସଭାପତି ଓ ରାଜ୍ୟ ସଭାପତିଙ୍କ ସହ ରାଷ୍ଟ୍ରୀୟ ସଭାପତି ବି ବଛାଯିବେ । ଏନେଇ ବିଜେପିରେ କସରତ ଆରମ୍ଭ ହୋଇଯାଇଛି । ଏବେ ବିଜେପି କ୍ଷମତାରେ ଥିବାରୁ ଅନେକ ନେତା ରାଜ୍ୟ ସଭାପତି ହେବାକୁ ଅନେଇ ବସିଛନ୍ତି । ମନମୋହନ ସାମଲ ପୁଣି ସଭାପତି ହେବେ ନା ହାଇକମାଣ୍ଡ ନୂଆ ନେତାଙ୍କୁ ଦାୟିତ୍ୱ ଦେବେ ତାହାକୁ ନେଇ ବିଜେପିରେ ଛକାପଞ୍ଝା ଆରମ୍ଭ ହୋଇଯାଇଛି ।
ମନମୋହନ ସାମଲ ଅଳ୍ପ ଦିନ ପାଇଁ ସଭାପତି ହୋଇଛନ୍ତି । କିନ୍ତୁ ୨୦୨୪ ନିର୍ବାଚନରେ ଦଳ ଜିତିଥିବାରୁ ତାହାର ଶ୍ରେୟ ସେ ନେଇଛନ୍ତି । ପୂର୍ବରୁ ମଧ୍ୟ ୨୦୦୦ ଓ ୨୦୦୪ରେ ସେ ସଭାପତି ଥିଲେ । ସେତେବେଳେ ମଧ୍ୟ ବିଜେଡ଼ି ଓ ବିଜେପି ମେଣ୍ଟ ସରକାର ଗଢ଼ା ହୋଇଥିଲା । ମନମୋହନଙ୍କୁ ଏଯାଏଁ ଦଳ କିଛି ପୁରସ୍କାର ଦେଇନାହିଁ । ସେ ଯୋଜନା ବୋଡର଼୍ ଉପାଧ୍ୟକ୍ଷ ହେବାକୁ ଚାହୁଁଥିଲେବି ଏଯାଏଁ ମୋହନ ସରକାର କିଛି ପଦକ୍ଷେପ ନେଇନାହାନ୍ତି । ଦଳ ସରକାରରେ ଥିବାରୁ ମନମୋହନ ସଭାପତି ହେବାକୁ ଆଶା ରଖିଛନ୍ତି । ଅପରପକ୍ଷରେ ମନମୋହନଙ୍କୁ ହଟାଇ ଆଉ ଜଣଙ୍କୁ ସଭାପତି କରିବାକୁ ବି ଗୋଟିଏ ଗୋଷ୍ଠୀ ଉଦ୍ୟମ ଆରମ୍ଭ କରିଦେଇଛନ୍ତି । ପୂର୍ବତନ ବିଜେପି ସଭାପତି ସମୀର ମହାନ୍ତିଙ୍କ ସହ ଗୋଲକ ମହାପାତ୍ର ବି ରେସ୍ରେ ଅଛନ୍ତି । ଗୋଲକଙ୍କ ଭାଇ ଆରଏସଏସର ଜଣେ ଟାଣୁଆ ନେତା ଥିବାରୁ ତାଙ୍କୁ ମଧ୍ୟ କରାଯାଇପାରେ । ତେବେ ପ୍ରଥମେ ମଣ୍ଡଳ ସଭାପତି ନିଯୁକ୍ତ କରାଯିବ । ମଣ୍ଡଳ ସଭାପତିଙ୍କ ପରେ ଜିଲ୍ଲା ସଭାପତି ଚୟନ କରାଯିବ । ତେଣୁ ଆଉ ଦୁଇମାସ ପରେ ହିଁ ଏନେଇ ଚିତ୍ର ସ୍ପଷ୍ଟ ହୋଇଯିବ ।
ସଂଗଠନ ପର୍ବ ପାଇଁ ବିଜେପି ରିଟର୍ଣ୍ଣିଂ ଅଫିସର ଓ ସହ ରିଟର୍ଣ୍ଣିଂ ଅଫିସର ନିଯୁକ୍ତ କରିଛି । ସାଂସଦ ପ୍ରତାପ ଷଡ଼ଙ୍ଗୀ ହୋଇଛନ୍ତି ନିର୍ବାଚନ ଅଧିକାରୀ । ସହ ନିର୍ବାଚନ ଅଧିକାରୀ ଭାବେ ସାଂସଦ ସୁକାନ୍ତ ପାଣିଗ୍ରାହୀ, ସୁକେଶୀ ଓରାମ୍, ଡକ୍ଟର ଯତୀନ ମହାନ୍ତି ଦାୟିତ୍ୱ ତୁଲାଇବେ ।
ଏହାପରେ ମଣ୍ଡଳ ସଭାପତି ଓ ଜିଲ୍ଲା ସଭାପତି ଚୟନ ପାଇଁ ମଧ୍ୟ ସ୍ୱତନ୍ତ୍ର ନିର୍ବାଚନ ଅଧିକାରୀ ଚୟନ କରାଯିବ । ଆଗରୁ ବିଜେପି ମଣ୍ଡଳ ସଭାପତି ହେବା ପାଇଁ ସେଭଳି ଲଢେ଼ଇ ହେଉନଥିଲା । ଏଥର କିନ୍ତୁ ସବୁ ମଣ୍ଡଳରେ ଜୋରଦାର ଲଢେ଼ଇ ହେବବୋଲି ଜାଣିବାକୁ ମିଳିଛି । ବିଜେପି କ୍ଷମତାରେ ଥିବାରୁ ମଣ୍ଡଳ ଓ ଜିଲ୍ଲା ସଭାପତିମାନଙ୍କର ବି ପାୱାର ବଢ଼ିବ । ବିଧାୟକମାନେ ଏବେ ନିଜ ନିଜ ଲୋକଙ୍କୁ ମଣ୍ଡଳ ଓ ଜିଲ୍ଲା ସଭାପତି କରିବାକୁ ରଣନୀତି ଆରମ୍ଭ କରିଦେଇଛନ୍ତି ।