ସତରେ କ’ଣ ମୁହାଁମୁହିଁ ହେବେ ମୋଦି-ନବୀନ ?
Modi_Naveen_Biju Janata Dal

ଭୁବନେଶ୍ୱର : ବିଜେଡ଼ି ସହ ମେଣ୍ଟ ପାଇଁ ଚାହୁଁଥିଲେ ବିଜେପିର କେନ୍ଦ୍ରୀୟ ନେତା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ବିଜେପି ରଣନୀତିକାର ଅମିତ ଶାହା ବି ଏଇଆ ଚାହୁଁଥିଲେ । ଏପଟେ ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ ଓ ବିଜେଡ଼ି ରଣନୀତିକାର ଭିକେ ପାଣ୍ଡିଆନ ବି ମେଣ୍ଟ ପାଇଁ ପ୍ରସ୍ତୁତ ଥିଲେ । ହେଲେ ବିଜେପି କାର୍ଯ୍ୟକର୍ତ୍ତାଙ୍କ ଜିଦ୍ ସମ୍ଭାବ୍ୟ ମେଣ୍ଟକୁ ଭାଙ୍ଗିଦେଇଥିଲା । ତଥାପିବି ମୋଦି-ନବୀନ ମୁହାଁମୁହିଁ ହେବେକି ନାହିଁ ତାହାକୁ ନେଇ ଥିବା ଦ୍ୱନ୍ଦ୍ୱର ପରିସମାପ୍ତି ଘଟିନାହିଁ ।
ଏନେଇ ଅମିତ ଶାହ ଜାତୀୟ ଗଣମାଧ୍ୟମରେ ଏକ ଗୁରୁତ୍ୱପୂର୍ଣ୍ଣ ଟିପ୍ପଣୀ ଦେଇଛନ୍ତି । ବିଜେଡ଼ି ସହ ମୁହାଁମୁହିଁ ଲଢେ଼ଇ ହେବବୋଲି ସେ କହିଛନ୍ତି । ଓଡ଼ିଆ ସଂସ୍କୃତି, ଭାଷା ଓ ରାଜ୍ୟର ଗର୍ବ ପାଇଁ ଏକାକୀ ନିର୍ବାଚନ ଲଢ଼ିବାକୁ ସ୍ଥିର କରିଛୁ ବୋଲି ସେ ପ୍ରକାଶ କରିଛନ୍ତି । ଏହି ଅବସରରେ ସେ ବିଜେଡ଼ି ସହ ମେଣ୍ଟ ଆଲୋଚନା ଫଳବତୀ ନହେବାର କାରଣ ସଂକ୍ରାନ୍ତରେ ବି ଆଲୋକପାତ କରିଥିଲେ । ବିଜେପି କାର୍ଯ୍ୟକର୍ତ୍ତାମାନେ ନଚାହିଁବାରୁ ହିଁ ମେଣ୍ଟ ଚର୍ଚ୍ଚାରେ ଭଟ୍ଟା ପଡ଼ିଥିଲା ।
ତଥାପିବି ଅନେକ କିଛି ପ୍ରଶ୍ନ ଅସମାହିତ ରହିଯାଇଛି । ସତରେ କ’ଣ ମୋଦି-ନବୀନ ମୁହାଁମୁହିଁ ହେବେ ? ନା ଲଢେ଼ଇ ଆଢୁଆଳରେ ବନ୍ଧୁତ୍ୱପୂର୍ଣ୍ଣ ମ୍ୟାଚ ଖେଳିବେ ? ବିଜେପି କାର୍ଯ୍ୟକର୍ତ୍ତାଙ୍କ ମନରେ ବି ସ୍ୱାଭାବିକ ଭାବେ ଏହି ପ୍ରଶ୍ନ ଉଙ୍କିମାରିଛି । କାହିଁକିନା ଏଯାଏଁ କେନ୍ଦ୍ରୀୟ ନେତୃତ୍ୱ ରାଜ୍ୟକୁ ପ୍ରଚାରରେ ଆସିନାହାନ୍ତି । ପ୍ରଚାର ବେଳେ ସେମାନଙ୍କ ଭାଷଣରୁ ହିଁ ଅନେକ ସଂକେତ ମିଳିବ । ମୋଦି ହୁଅନ୍ତୁ କି ଶାହା, ସେମାନେ କେବଳ ମୋଦି, ବିଜେପିକୁ ଭୋଟ ଦେବାକୁ ଆହ୍ୱାନ କରୁଛନ୍ତି ନା ବିଜେଡ଼ି ଓ ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ କଠୋର ସମାଲୋଚନା କରୁଛନ୍ତି ତାହା ଉପରେ ଅନେକ କିଛି ନିର୍ଭର କରିବ । ଗାଏମୋଟ କହିଲେ ବିଜେପିର କେନ୍ଦ୍ରୀୟ ନେତା ଓ ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ ପ୍ରଚାର ମଇଦାନକୁ ଓହ୍ଲାଇବା ପରେ ହିଁ ସବୁକିଛି ସ୍ପଷ୍ଟ ହୋଇଯିବ ।