ଅଜୟ, ଶରତ ଓ ବିଶ୍ୱଙ୍କ ନାଁରେ ମାମଲା

Odisha Congress

ଅଜୟ, ଶରତ ଓ ବିଶ୍ୱଙ୍କ ନାଁରେ ମାମଲା

ଏଲଇଡ଼ି ଟଙ୍କା ନଦେଇ ଧମକାଉଥିଲେ

 ।। ପ୍ରଭାନ୍ୟୁଜ୍‌ ।। ଭୁବନେଶ୍ୱର, ୧୬ା୧୦: କଂଗ୍ରେସର ୩ ଜଣ ବରିଷ୍ଠ ନେତାଙ୍କ ନାମରେ ବୁଧବାର ଭରତପୁର ଥାନାରେ ଠକେଇ ମାମଲା ରୁଜୁ ହୋଇଛି  । ଅଭିଯୋଗକାରୀ ଆଶୁତୋଷ ମହାପାତ୍ର ଭୁବନେଶ୍ୱର କୋର୍ଟରେ ୩ ନେତାଙ୍କ ନାମରେ ଠକେଇ ଜନିତ ଏକ ୱାନସିସି ମାମଲା ରୁଜୁ କରିଥିଲେ  । କୋର୍ଟରେ ୱାନସିସି ରୁଜୁ ହେବା ପରେ ଭରତପୁର ଥାନାକୁ ଅଭିଯୋଗକାରୀଙ୍କ ଅଭିଯୋଗ ଆଧାରରେ ମାମଲା ରୁଜୁ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା । କୋର୍ଟଙ୍କ ନିର୍ଦ୍ଦେଶ ବଳରେ ବୁଧବାର ଭରତପୁର ଥାନାରେ ରାଜ୍ୟ କଂଗ୍ରେସର ପ୍ରଭାରୀ ଅଜୟ କୁମାର, ପୂର୍ବତନ ପିସିସି ସଭାପତି ଶରତ ପଟ୍ଟନାୟକ ଓ କଂଗ୍ରେସ ନେତା ବିଶ୍ୱରଞ୍ଜନ ମହାନ୍ତିଙ୍କ ନାମରେ ଆଇପିସିର ଧାରା ୧୨୦ (ବି),୪୨୦,୫୦୬ ଓ ୩୪ ଅନୁଯାୟୀ ମାମଲା ରୁଜୁ କରାଯାଇଛି  ।

ପୂର୍ବରୁ ଏହି ୩ ନେତା ତାଙ୍କୁ ଠକେଇ କରିଥିବା ନେଇ ଅଭିଯୋଗକାରୀ ଆଶୁତୋଷ ଭରତପୁର ଥାନାରେ ଲିଖିତ ଅଭିଯୋଗ କରିଥିଲେ  । ପୋଲିସ କିନ୍ତୁ ଅଭିଯୋଗକୁ ଗ୍ରହଣ କରିନଥିଲା  । ଫଳରେ ଅଭିଯୋଗକାରୀ ଏନେଇ ଭୁବନେଶ୍ୱର କୋର୍ଟରେ ଅଭିଯୋଗ କରିବା ପରେ ଏହି ମାମଲା ରୁଜୁ କରାଯାଇଛି  । 

ସୂଚନା ଅନୁଯାୟୀ, ୨୦୨୪ ନିର୍ବାଚନରେ ଅଭିଯୋଗକାରୀ ଆଶୁତୋଷ ମହାପାତ୍ରଙ୍କୁ ଏଲଇଡି ଗାଡ଼ିରେ କଂଗ୍ରେସର ପ୍ରଚାର ନିମନ୍ତେ ବ୍ୟାବସାୟିକ ଚୁକ୍ତି ହୋଇଥିଲା  । ଏଥିପାଇଁ ଆଶୁତୋଷ ଦେଢ଼କୋଟି ଟଙ୍କା ନେବା ଲାଗି ୩ ନେତାଙ୍କ ସହ ଚୁକ୍ତି କରିଥିଲେ । ଚୁକ୍ତି ହେବା ପରେ ଅଗ୍ରୀମ ଆକାରରେ ଆଶୁତୋଷଙ୍କୁ ଏହି ୩ ନେତା ୮ ଲକ୍ଷ ଟଙ୍କା ପ୍ରଦାନ କରିଥିଲେ । ନିର୍ବାଚନ ପରେ ଆଶୁତୋଷ ବାକି ଟଙ୍କା ମାଗିବାରୁ ତାଙ୍କୁ ପୂର୍ବତନ ପିସିସି ସଭାପତି ଶରତ ପଟ୍ଟନାୟକ, କଂଗ୍ରେସ ନେତା ବିଶ୍ୱରଞ୍ଜନ ମହାନ୍ତି ଓ ପ୍ରଭାରୀ ଅଜୟ କୁମାର ହତ୍ୟା ଧମକ ଦେଉଥିବା ନେଇ ଅଭିଯୋଗକାରୀ କୋର୍ଟରେ ଲିଖିତ ଅଭିଯୋଗ କରିଥିଲେ  ।