କଟକ କର୍ଫ୍ୟୁ : ଇଣ୍ଟରନେଟ, ସୋସିଆଲ ମିଡ଼ିଆ ବନ୍ଦ

କଟକ କର୍ଫ୍ୟୁ : ଇଣ୍ଟରନେଟ, ସୋସିଆଲ ମିଡ଼ିଆ ବନ୍ଦ

ଜିଲ୍ଳା ପ୍ରଶାସନର ରିପୋର୍ଟ ଆଧାରରେ ଗୃହ ବିଭାଗ ପକ୍ଷରୁ କଟକ ସହରରେ ଇଣ୍ଟରନେଟ ଓ ସାମାଜିକ ଗଣମାଧ୍ୟମ ଉପରେ ୨୪ ଘଣ୍ଟା ପାଇଁ କଟକଣା ଜାରି କରାଯାଇଛି । ଆଜି ରାତି ୭ରୁ ଆସନ୍ତାକାଲି ରାତି ୭ଟା ପର୍ଯ୍ୟନ୍ତ ଏହି କଟକଣା ଲାଗୁ କରାଯାଇଛି ।  କଟକ ମହାନଗର ନିଗମ, କଟକ ଉନ୍ନୟନ କର୍ତ୍ତୃପକ୍ଷ ଓ ୪୨ ମୌଜା ଅଞ୍ଚଳ ପାଇଁ ଏହି କଟକଣା ଲାଗୁ ହେବ । ଗୃହ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁଯାୟୀ, ସାମାଜିକ ଗଣମାଧ୍ୟମ ଯେପରିକି; ହ୍ୱାଟସଆପ, ଫେସବୁକ, ଇନଷ୍ଟାଗ୍ରାମ, ସ୍ନାପଚାଟ ଓ ଅନ୍ୟ ସାମାଜିକ ଗଣମାଧ୍ୟମ ବନ୍ଦ ରହିବ । ମୋବାଇଲ ଇଣ୍ଟରନେଟ ଓ ଡାଟା ସେବା ବନ୍ଦ ରହିବ। ବ୍ରଡ଼ବ୍ୟାଣ୍ଡ ବା ଅନ୍ୟ ଯେଉଁ ବ୍ୟବସ୍ଥା ଜରିଆରେ ଇଣ୍ଟରନେଟ ସେବା ପ୍ରଦାନ କରାଯାଉଛି ସେସବୁ ବି ବନ୍ଦ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।  ସାମାଜିକ ଗଣମାଧ୍ୟମରେ କିଛି ବ୍ୟକ୍ତି ସାମ୍ପ୍ରଦାୟିକ ହିଂସା ସମ୍ବଳିତ ପୋଷ୍ଟ କରୁଛନ୍ତି । ଯାହାଫଳରେ ଆଇନଶୃଙ୍ଖଳା ସ୍ଥିତି ବ୍ୟାହତ ହେବାର ଆଶଙ୍କା ରହିଥିଲା । ଏହାକୁ ଆଖିଆଗରେ ରଖି କଟକ ଜିଲ୍ଲା ପ୍ରଶାସନ ପକ୍ଷରୁ ଇଣ୍ଟରନେଟ୍‌ ଓ ସାମାଜିକ ଗଣମାଧ୍ୟମରେ କଟକଣା ଲଗାଇବାକୁ ଗୃହ ବିଭାଗର ଦୃଷ୍ଟି ଆକର୍ଷଣ କରାଯାଇଥିଲା ।