ବିଜେଡ଼ିରେ ଦୀପାଳି ସର୍ବକନିଷ୍ଠ ପ୍ରାର୍ଥୀ ; ୨୧ ପ୍ରାର୍ଥୀଙ୍କ ବୟସ ୪୦ରୁ କମ୍‌

Odisha Politics

ବିଜେଡ଼ିରେ ଦୀପାଳି ସର୍ବକନିଷ୍ଠ ପ୍ରାର୍ଥୀ ; ୨୧ ପ୍ରାର୍ଥୀଙ୍କ ବୟସ ୪୦ରୁ କମ୍‌

ଭୁବନେଶ୍ୱର : ଝାରସୁଗୁଡ଼ାରୁ ବିଜେଡ଼ି ଟିକେଟରେ ପୁଣି ଲଢ଼ିବେ ଦୀପାଳି ଦାସ  । ତାଙ୍କ ବୟସ ମାତ୍ର ୨୭ ବର୍ଷ  । ବିଜେଡ଼ିର ସେ ହେଉଛନ୍ତି ସର୍ବକନିଷ୍ଠ ପ୍ରାର୍ଥୀ  । ମାହାଙ୍ଗାର ଅଙ୍କିତ ପ୍ରତାପ ଜେନା ଓ ସାନଖେମୁଣ୍ଡିର ସୁଲକ୍ଷଣା ଗୀତାଞ୍ଜଳୀ ଦେବୀଙ୍କ ବୟସ ୨୮  । ଆସ୍କା ଲୋକସଭା ପ୍ରାର୍ଥୀ ରଞ୍ଜିତା ସାହୁଙ୍କ ବୟସ ମାତ୍ର ୩୨  । ଏହିପରି ଭାବେ ଅନେକ ଯୁବ ପ୍ରାର୍ଥୀଙ୍କ ଉପରେ ଭରସା କରିଛି ବିଜୁ ଜନତା ଦଳ  । 

ଘୋଷିତ ପ୍ରାର୍ଥୀଙ୍କ ମଧ୍ୟରୁ ୨୧ ଜଣଙ୍କର ବୟସ ୪୦ରୁ କମ୍‌ ରହିଛି  । ୧୨୬ ବିଧାନସଭା ଆସନ ମଧ୍ୟରେ ୪୦ ବର୍ଷରୁ କମ୍‌ ୧୮ ଯୁବ ପ୍ରାର୍ଥୀ ରହିଥିବାବେଳେ ୨୧ ଲୋକସଭା ଆସନ ମଧ୍ୟରୁ ୩ ଜଣଙ୍କ ବୟସ ୪୦ ବର୍ଷରୁ କମ୍‌ ରହିଛି  । ଅର୍ଥାତ ୧୪୭ ପ୍ରାର୍ଥୀଙ୍କ ମଧ୍ୟରୁ ୨୧ ଜଣଙ୍କ ବୟସ ୨୭ ବର୍ଷରୁ ୪୦ ବର୍ଷ ମଧ୍ୟରେ ରହିଛି  । ଆସ୍କା, ଢେଙ୍କାନାଳ ଓ କୋରାପୁଟ ଲୋକସଭା ଆସନରେ ୩ ଜଣ ପ୍ରାର୍ଥୀଙ୍କ ବୟସ ୪୦ ବର୍ଷରୁ କମ୍‌ । ଆସ୍କା ଲୋକସଭା ପ୍ରାର୍ଥୀ ରଞ୍ଜିତା ସାହୁଙ୍କ ବୟସ ମାତ୍ର ୩୨, ସେହିପରି ଢେଙ୍କାନାଳରୁ ପ୍ରାର୍ଥୀ ହୋଇଥିବା ଅବିନାଶ ସାମଲଙ୍କ ବୟସ ୩୬ ଓ କୋରାପୁଟରୁ ପ୍ରାର୍ଥୀ ହୋଇଥିବା କୌଶଲ୍ୟା ହିକ୍‌କାଙ୍କ ବୟସ ୩୭ ବର୍ଷ  ।

ଅନ୍ୟପକ୍ଷରେ ବିଧାନସଭା ପ୍ରାର୍ଥୀଙ୍କ ମଧ୍ୟରୁ ୧୮ ଜଣ ୪୦ ବର୍ଷରୁ କମ୍‌ ରହିଛନ୍ତି  । ଝାରସୁଗୁଡ଼ାରୁ ଦଳୀୟ ପ୍ରାର୍ଥୀ ଦୀପାଳି ଦାସ ସବୁଠାରୁ କମ୍‌ ବୟସର ପ୍ରାର୍ଥୀ  । ତାଙ୍କର ବୟସ ୨୭ ବର୍ଷ  । ମାହାଙ୍ଗାରୁ ଅଙ୍କିତ ପ୍ରତାପ ଜେନା ଓ ସାନଖେମୁଣ୍ଡିରୁ ପ୍ରାର୍ଥୀ ହୋଇଥବା ସୁଲକ୍ଷଣା ଗୀତାଞ୍ଜଳି ଦେବୀଙ୍କ ବୟସ ୨୮ ବର୍ଷ  । ପଦ୍ମପୁରରୁ ବିଜେଡି ପ୍ରାର୍ଥୀ ବର୍ଷା ସିଂହ ବରିହାଙ୍କୁ ୩୧ ବର୍ଷ ହୋଇଥବାବେଳେ ଚୌଦ୍ୱାର କଟକ ପ୍ରାର୍ଥୀ ସୌଭିକ୍‌ ବିଶ୍ୱାଳଙ୍କୁ ୩୨ ବର୍ଷ  ।

ଅପରପକ୍ଷରେ ବୀରମିତ୍ରପୁରରୁ ରୋହିତ ଯୋଶେଫ ତିର୍କୀ ଓ ବଡ଼ସାହିର ପ୍ରାର୍ଥୀ ଅନୁସୟା ପାତ୍ରଙ୍କ ବୟସ ୩୪ ବର୍ଷ  । ଖଲ୍ଲିକୋଟରୁ ସୂର୍ଯ୍ୟମଣି ବୈଦ୍ୟ ଓ ପିପିଲିରୁ ପ୍ରାର୍ଥୀ ହୋଇଥିବା ରୁଦ୍ରପ୍ରତାପ ମହାରଥୀଙ୍କୁ ୩୫ ବର୍ଷ ହୋଇଥିବାବେଳେ ବାଙ୍କି ଓ ଚିତ୍ରକୋଣ୍ଡାର ଦୁଇ ପ୍ରାର୍ଥୀ ଦେବୀରଞ୍ଜନ ତ୍ରିପାଠୀ ଓ ଲକ୍ଷ୍ମୀପ୍ରିୟା ନାୟକଙ୍କ ବୟସ ୩୬ ବର୍ଷ  । ପୁରୀରୁ ବିଧାନସଭା ପ୍ରାର୍ଥୀ ହୋଇଥିବା ସୁନୀଲ ମହାନ୍ତିଙ୍କ ବୟସ ୩୮, ବାସୁଦେବପୁରରୁ ପ୍ରାର୍ଥୀ ହୋଇଛନ୍ତି ୩୯ ବର୍ଷ ବୟସ୍କ ବିଷ୍ଣୁବ୍ରତ ରାଉତରାୟ । ସେହିପରି ଲକ୍ଷ୍ମୀପୁରରୁ ପ୍ରାର୍ଥୀ ହୋଇଥିବା ପ୍ରଭୁ ଜାନୀ ମଧ୍ୟ ୩୯ ବର୍ଷ ବୟସର । ଉମରକୋଟ ପ୍ରାର୍ଥୀ ନବୀନା ନାୟକ, ପାରଳାଖେମୁଣ୍ଡିରୁ ରୂପେଶ ପାଣିଗ୍ରାହୀ, ଲୋଇସିଂହାର ପ୍ରାର୍ଥୀ ନିହାର ରଞ୍ଜନ ବେହେରା ଓ ସୋରଡ଼ାରୁ ପ୍ରାର୍ଥୀ ହୋଇଥିବା ସଂଘମିତ୍ରା ସ୍ୱାଇଁ ସମସ୍ତଙ୍କ ବୟସ ୪୦ ବର୍ଷ ବୋଲି ସୂଚନା ମିଳିଛି  ।