ଘୋଷଣା ହେଲା ବିଜେପି ପ୍ରାର୍ଥୀ: ଅମର, ବବିତା, ଗୌତମ, ଟୁଟୁଙ୍କ ଉପରେ ଭରସା

ଯାଜପୁରରୁ : ଭାରତତୀୟ ଜନତାପାର୍ଟି ଆଜି ତାର ବିଧାନସଭା ପ୍ରାର୍ଥୀ ତାଲିକା ଘୋଷଣା କରିଛି । ଘୋଷଣା ହୋଇଥିବା ୧୧୨ବିଧାନସଭା ଆସନରୁ ଯାଜପୁର ଜିଲାର ବରୀକୁ ଛାଡ଼ିଦେଲେ ଅନ୍ୟ ୬ଗୋଟି ବିଧାନସଭା ପାଇଁ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି । ଘୋଷଣା ହୋଇଥିବା ତାଲିକାକୁ ଯଦି ଅନୁଶୀଳନ କରାଯାଏ, ତେବେ ବିଜେପି ଧର୍ମଶାଳା ଏବଂ କୋରେଇରେ ଦଳିଡ଼ିଅାଁଙ୍କୁ ସୁଯୋଗ ଦେଇଥିବା ବେଳେ ବଡ଼ଚଣା, ବିଞ୍ଝାରପୁର, ଯାଜପୁର, ସୁକିନ୍ଦାରେ ପୁରୁଣାଙ୍କ ଉପରେ ଭରସା କରିଛି । ତେବେ ଜିଲାର ୭ଗୋଟି ବିଧାନସଭା କ୍ଷେତ୍ରରୁ ୬ଟି ଘୋଷଣା କରିଥିଲେ ହେଁ ବରୀକୁ ବାଦ ଦେବା ରାଜନୈତିକ ମହଲକୁ ଆଲୋଚନା କରିବାପାଇଁ ବାଧ୍ୟ କରିଛି । ଯାହା ଆଲୋଚନା ହୁଏ ବରୀ ବିଧାନସଭାରୁ କଂଗ୍ରେସ ଛାଡ଼ି ଆସିଥିବା ଉମେଶ ଜେନା ଆଶାୟୀ ରହିଥିଲେ ହେଁ ବିଜେପି ନେତୃତ୍ୱ ଅନ୍ୟଜଣେ ଦଳଡ଼ିଅାଁ ହେଉ କିମ୍ବା ଦଳଡ଼େଇଁ ଆସିବାକୁ ଥିବା ନେତାଙ୍କ ଅପେକ୍ଷାରେ ରହିଛି । ବିଜେପି ଆଜି ୧୧୨ ବିଧାନସଭା ଆସନରୁ ପ୍ରାର୍ଥୀ ଘୋଷଣା କରିଛି । ଯାଜପୁର ଜିଲାର ବଡ଼ଚଣାରୁ ଅମର ନାୟକ, ଧର୍ମଶାଳାରୁ ସ୍ମୃତିରେଖା ପହି, ବିଞ୍ଝାରପୁରରୁ ବବିତା ମଲିକ, ଯାଜପୁରରୁ ଗୌତମ ରାୟ, ସୁକିନ୍ଦାରୁ ପ୍ରଦୀପ ବଳସାମନ୍ତ ଏବଂ କୋରେଇରୁ ଆକାଶ ଦାସ ନାୟକଙ୍କୁ ପ୍ରାର୍ଥୀ କରିଛି । ବଡ଼ଚଣାରୁ ପ୍ରାର୍ଥୀ ହୋଇଥିବା ଅମର ନାୟକ ୨୦୧୯ ନିର୍ବାଚନରେ ବିଜେପିରୁ ପ୍ରାର୍ଥୀ ହୋଇ ବିଜେଡ଼ିର ଅମର ପ୍ରସାଦ ଶତପଥୀଙ୍କ ଠାରୁ ମାତ୍ର ୧୪୮୫ ଖଣ୍ଡ ଭୋଟରେ ହାରି ଯାଇଥିଲେ । ବିଜେଡ଼ି ବଡ଼ଚଣାର ଅନ୍ୟତମ ନେତା ଥିବା ଅମର ନାୟକଙ୍କୁ ଦଳ ଟିକେଟ ନଦେବାରୁ ସେ ୨୦୧୪ରେ ସ୍ୱାଧୀନ ଭାବେ ଲଢି ୨୬ହଜାରରୁ ଅଧିକ ଭୋଟପାଇଥିଲେ । ତେବେ ଅମର ୨୦୧୭ ପଞ୍ଚାୟତ ନିର୍ବାଚନରେ ବିଜେପିରେ ଯୋଗ ଦେବା ପରେ ୨୦୧୯ରେ ଦଳ ତାଙ୍କୁ ଟିକେଟ ଦେଇଥିଲା । ବଡ଼ଚଣାରୁ ବିଜେଡ଼ି କାହାକୁ ପ୍ରାର୍ଥୀ କରିବ ତାହା ଅସ୍ପଷ୍ଟ ଥିବା ବେଳେ ବିଜେପି ଅମରଙ୍କ ନାଁ ଘୋଷଣା କରିବା ପରେ ସମର୍ଥକ ମହଲରେ ଖୁସିର ମାହୋଲ ଖେଳିଯାଇଛି । ବିଞ୍ଝାରପୁରରୁ ପ୍ରାର୍ଥୀ ହୋଇଥିବା ବବିତା ମଲିକ ୨୦୧୯ରେ ବିଜେପିରୁ ପ୍ରାର୍ଥୀ ହୋଇ ୬୭ ହଜାରରୁ ଅଧିକ ଭୋଟ ପାଇଥିଲେ ହେଁ ବିଜେଡ଼ିର ପ୍ରମିଳା ମଲିକଙ୍କ ଠାରୁ ହାରିଯାଇଥିଲେ । ବବିତା କେବଳ ବିଜେପିରୁ ନୁହେଁ ୨୦୦୯ ଏବଂ ୨୦୨୪ରେ କଂଗ୍ରେସରୁ ପ୍ରାର୍ଥୀ ହୋଇ ପ୍ରମିଳାଙ୍କ ଠାରୁ ପରାସ୍ତ ହୋଇଥିଲେ । ବିଞ୍ଝାରପୁର ଭୋଟରଙ୍କ ଦ୍ୱାରା ୩ଥର ପ୍ରତ୍ୟାକ୍ଷାତ ହୋଇଥିବା ବବିତାଙ୍କ ଉପରେ ବିଜେପି ଭରଷା କରିଛି । ଯାଜପୁର ବିଧାନସଭାରୁ ପ୍ରାର୍ଥୀ ଘୋଷିତ ହୋଇଥିବା ଗୌତମ ରାୟ ବିଜେପି ଜିଲା ସଭାପତି ଅଛନ୍ତି । ବିଜେଡ଼ି ସଂଗଠନ ସଂପାଦକ ପ୍ରଣବ ପ୍ରକାଶ ଦାସଙ୍କ ନିର୍ବାଚନ ମଣ୍ଡଳୀରୁ ଏଥର ସୁଜାତା ସାହୁଙ୍କୁ ପ୍ରାର୍ଥୀ କରି ମହିଳା କାର୍ଡ଼ ଖେଳିଛି । ପ୍ରଣବ ସମ୍ବଲପୁରରୁ ଲୋକସଭା ଲଢିବାକୁ ଯାଉଥିବାରୁ ବିଜେପି ଗୌତମଙ୍କୁ ପ୍ରାର୍ଥୀ କରି ଫାଇଦା ମାରିବା ଲକ୍ଷ୍ୟରେ ରହିଛି । ଗୌତମ ଜଣେ ଟାଣୁଆ ନେତା ହୋଇଥିଲେ ହେଁ ୨୦୦୯ ଓ ୨୦୧୯ ପ୍ରଣବଙ୍କ ଠାରୁ ହାରିଯାଇଥିଲେ । ସୁକିନ୍ଦାରୁ ପ୍ରାର୍ଥୀ ହୋଇଥିବା ପ୍ରଦୀପ ବଳସାମନ୍ତ ବିଜେଡ଼ି ବିଧାୟକ ପ୍ରୀତିରଞ୍ଜନ ଘଡ଼ାଇଙ୍କୁ କଡ଼ା ଟକର ଦେଇଥିଲେ ହେଁ୧୭ହଜାରରୁ ଅଧିକ ଭୋଟରେ ହାରିଯାଇଥିଲେ । ପ୍ରାକ୍ତନମନ୍ତ୍ରୀ ପ୍ରଫୁଲ ଘଡ଼ାଇଙ୍କ ଅନୁଗତ ଥିବା ପ୍ରଦୀପ ବା ଟୁଟୁ ୨୦୧୪ରେ ସ୍ୱାଧୀନ ଭାବେ ଲଢି ୧୮ହଜାର ପାଖାପାଖି ଭୋଟ ପାଇ ନିର୍ବାଚନ ଲଢିବାର ମୂଳଦୁଆ ପକାଇଥିଲେ । ନିର୍ବାଚନରେ ପରାଜୟ ସତ୍ୱେ ସୁକିନ୍ଦାରେ ସାଂଗଠନିକ କାର୍ଯ୍ୟକ୍ରମ ଜାରୀ ରଖିଥିବା ଟୁଟୁଙ୍କ ଉପରେ ଦଳ ଭରଷା କରିଛି । ଧର୍ମଶାଳାକୁ କିଏ ପାଇବ ବିଜେପି ଟିକେଟ ତାହାକୁ ନେଇ ଭୋଟର ଆଶଙ୍କା ଭିତରେ ଥିଲେ । ୩ଜଣଙ୍କ ନାମ ଉପରେ ଚର୍ଚ୍ଚା ହେଉଥିବା ବେଳେ ବିଜେପି ସ୍ମୃତରେଖା ପହିଙ୍କ ଉପରେ ଭରସା କରିଛି । ପଞ୍ଚାୟତ ନିର୍ବାଚନ ସମୟରେ ବିଜେପିକୁ ଡ଼େଇଁ ଥିବା ସ୍ମୃତିରେଖା ୨୦୧୯ରେ କଂଗ୍ରେସ ଦଳରୁ ପ୍ରାର୍ଥୀ ହୋଇଥିଲେ । ପ୍ରଥମେ ତାଙ୍କୁ କଂଗ୍ରେସ ଟିକେଟ ଦେଇ ପରେ ପ୍ରତ୍ୟାହାର କରି ନେଇଥିଲା । ମାତ୍ର ପରେ ପୁଣି ତାଙ୍କୁ ଟିକେଟ ଦେଇଥିଲା । ହାତ ଚିହ୍ନରେ ନିର୍ବାଚନ ଲଢି ସ୍ମୃତିରେଖା ୧୮ହଜାରରୁ ଅଧିକ ଭୋଟ ପାଇ ତୃୃତୀୟ ସ୍ଥାନରେ ରହିଥିଲେ । ତେବେ ବିଜେପି ପ୍ରାର୍ଥୀ ରମେଶ ପରିଡ଼ା ବିଜେଡ଼ିରେ ସାମିଲ ପରେ ସ୍ମୃତିରେଖା ପଦ୍ମଧରିଥିଲେ । ଯୋଉଠିକି ଦଳରୁ ପ୍ରାର୍ଥୀ ହେବାକୁ ପୁରୁଣା ସଂଗଠକ ତଥା ସୂଚନା କର୍ମୀ ସର୍ବେଶ୍ୱର ବେହୁରା ଏବଂ ବିଜେଡ଼ି ଛାଡ଼ି ବିଜେପିରେ ଯୋଗ ଦେଇଥିବା ହିମାଂଶୁ ଶେଖର ସାହୁ ଆଶାୟୀ ଥିଲେ ହେଁ ଦଳ ସ୍ମୃତିରେଖାଙ୍କୁ ସୁଯୋଗ ଦେଇଛି । ଗତସପ୍ତାହରେ ଶଙ୍ଖଛାଡ଼ି ପଦ୍ମଧରିଥିବା ଆକାଶ ଦାସନାୟକଙ୍କୁ ବିଜେପି ସୁଯୋଗ ଦେଇଛି । ମୋ କଲେଜ ଅଧ୍ୟକ୍ଷ ରହିଥିବା ଆକାଶ ୨୦୧୪ରେ ବିଜେଡ଼ିରୁ ଲଢି ୭୩ ହଜାରରୁ ଅଧିକ ଭୋଟ ପାଇ ବିଜୟୀ ହୋଇଥିଲେ । ହେଲେ ଦଳ ତାଙ୍କୁ ୨୦୧୯ରେ ପ୍ରାର୍ଥୀ କରି ନଥିଲା । ତାଙ୍କ ସ୍ଥାନରେ ଦଳ ଅଶୋକ ବଳଙ୍କୁ ପ୍ରାର୍ଥୀ କରିଥିଲେ ହେଁ ଆକାଶଙ୍କୁ ଷ୍ଟାର ପ୍ରଚାରକ କରିଥିଲା, ଆଉ ପରେ ମୋ’କଲେଜ ଅଧ୍ୟକ୍ଷ କରିଥିଲା । ବିଜେଡ଼ିରୁ ପ୍ରାର୍ଥୀ ହେବାକୁ ଦାବିବାଦର ଥିବା ଆକାଶଙ୍କୁ ବିଜେଡ଼ି ଟିକେଟ ଦେଉନଥିବା ଜାଣିବା ପରେ ସେ ଦଳରୁ ଇସ୍ତଫା ଦେଇ ବିଜେପିରେ ସାମିଲ ହୋଇଥିଲେ । ପ୍ରାର୍ଥୀ ଘୋଷଣା ପରେ ଆକାଶ କୋରେଇରେ ସ୍ୱାଭିମାନର ଲଢେଇ ହେବ, ବିଜେଡ଼ି ଗଡ଼ ଦୋହଲି ଯିବ ବୋଲି କହିଛନ୍ତି । ବରୀ କଥା ଯଦି ଆଲୋଚନା କରାଯାଏ, ତେବେ ବିଜେପି ଏଠି ପ୍ରାର୍ଥୀ ଘୋଷଣା ନକରି ମାଷ୍ଟରଷ୍ଟ୍ରୋକ ଖେଳିବା ଲକ୍ଷ୍ୟରେ ରହିଛି । ବିଶ୍ୱରଂଜନ ମଲିକଙ୍କ ବିଜେପି ଛାଡ଼ିବା ପରେ ବରୀରେ ଦଳର ସ୍ଥିତି ଅତି ସାଘାତିକ ଅବସ୍ଥାରେ ରହିଛି । କଂଗ୍ରେସ ଛାଡ଼ି ଆସିଥିବା ଉମେଶ ଜେନା ୨୦୧୯ରେ ମାତ୍ର ପାଞ୍ଚହଜାରରୁ ଅଧିକ ଭୋଟ ପାଇବାକୁ ସମର୍ଥ ହୋଇଥିଲେ । ନିର୍ବାଚନ ମଣ୍ଡଳୀରେ ଦଳ ଅଗ୍ରଗତି କରୁନଥିବା ବେଳେ ଉମେଶଙ୍କ ବଦଳରେ ଦଳଡ଼ିଅାଁଙ୍କୁ ଅପେକ୍ଷା କରିଛି ବିଜେପି ବୋଲି ଜଣାପଡ଼ିଯାଉଛି । ନିକଟରେ ବିଜେଡ଼ି ଛାଡ଼ି ବିଜେପିରେ ମିଶିଥିବା ପୂର୍ବତନ ବିଧାୟକ ଦେବାଶିଷ ନାୟକ ହୁଅନ୍ତୁ ବା ଆଗାମି ଦିନରେ ଅନ୍ୟଦଳରୁ ଡ଼େଇଁ ଆସିବାର ସମ୍ଭାବନା ଥିବା ନେତାଙ୍କୁ ବିଜେପି ଟିକେଟ ଦେଇ ବିଜେଡ଼ି ସହ ଲଢିବାକୁ ଅପେକ୍ଷା କରିଥିବା ରାଜନୈତିକ ମହଲରେ ଆଲୋଚନା ହେଉଛି ।