ଭାରତ ବିଶ୍ୱ ମହାଶକ୍ତି ହେବାକୁ ଯୋଗ୍ୟ: ପୁଟିନ

ଭାରତ ବିଶ୍ୱ ମହାଶକ୍ତି ହେବାକୁ ଯୋଗ୍ୟ: ପୁଟିନ


ାା ଏଜେନ୍ସି ।ା ନୂଆଦିଲ୍ଲୀ: ଭାରତ ପ୍ରଶଂସାରେ ଶତମୁଖ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ । ପୁଣିଥରେ ଭାରତର ପ୍ରଶଂସା କରି ପୁଟିନ ଭାରତକୁ ଏକ ମହାନ ଦେଶ ଭାବରେ ବର୍ଣ୍ଣନା କରିଛନ୍ତି । ଅନ୍ୟ ଦେଶ ତୁଳନାରେ ଭାରତର ଦ୍ରୁତ ଗତିରେ ଅର୍ଥନୈତିକ ଅଭିବୃଦ୍ଧି ଘଟୁଛି । ତେଣୁ ଭାରତ ବିଶ୍ୱର ମହାଶକ୍ତି ତାଲିକାରେ ଅନ୍ତର୍ଭୁକ୍ତ ହେବାକୁ ଯୋଗ୍ୟ ବୋଲି ପୁଟିନ କହିଛନ୍ତି । ରୁଷର ସୋଚି ସହରସ୍ଥିତ ଭାଲଡାଇ ଆଲୋଚନା କ୍ଲବରେ ଭାଷଣ ଦେବା ସମୟରେ ପୁଟିନ ଭାରତର ଅଗ୍ରଗତିକୁ ପ୍ରଶଂସା କରିଛନ୍ତି । 
ବିଶ୍ୱ ମଞ୍ଚରେ ଭାରତ ଅନନ୍ୟ ବୋଲି ବର୍ଣ୍ଣନା କରିଛନ୍ତି ରୁଷ ରାଷ୍ଟ୍ରପତି । ସେ କହିଛନ୍ତି ଯେ ରୁଷ ଅନେକ ଦିଗରେ ଭାରତ ସହ ସମ୍ପର୍କକୁ ମଜଭୁତ କରୁଛି । ପୁଟିନ କହିଛନ୍ତି, ଭାରତକୁ ଏହାର ଦେଢ଼ ବିଲିୟନ ଜନସଂଖ୍ୟା, ବିଶ୍ୱର ସମସ୍ତ ଅର୍ଥନୀତି ମଧ୍ୟରେ ଦ୍ରୁତ ଅଭିବୃଦ୍ଧି, ପ୍ରାଚୀନ ସଂସ୍କୃତି ଏବଂ ପରବର୍ତ୍ତୀ ବିକାଶ ପାଇଁ ବହୁତ ଭଲ ସମ୍ଭାବନା କାରଣରୁ ଏହାକୁ ଗ୍ଲୋବାଲ ସୁପର ପାୱାର ତାଲିକାରେ ଯୋଡାଯିବା ଉଚିତ । ପୁଟିନ କହିଛନ୍ତି ଯେ ଆମେ ବିଭିନ୍ନ କ୍ଷେତ୍ରରେ ଭାରତ ସହ ଆମର ସମ୍ପର୍କ ବିକାଶ କରୁଛୁ । ଭାରତ ଏକ ମହାନ ଦେଶ । ଅର୍ଥନୈତିକ ଅଭିବୃଦ୍ଧି ଦୃଷ୍ଟିରୁ ଏହା ବିଶ୍ୱର ଏକ ଅଗ୍ରଣୀ ଦେଶ । ଏହାର ଜିଡିପି ୭.୪ ପ୍ରତିଶତ ହାରରେ ବୃଦ୍ଧି ପାଉଛି । ରୁଷ ଏବଂ ଭାରତ ମଧ୍ୟରେ ସମ୍ପର୍କ ପ୍ରତିବର୍ଷ ନିବିଡ଼ ହେଉଛି । ଏହି କାର୍ଯ୍ୟକ୍ରମରେ ପୁଟିନ ସୋଭିଏତ ସଂଘ ସମୟରୁ ଭାରତ ସହିତ ରୁଷର ସମ୍ପର୍କ ଅତ୍ୟନ୍ତ ସ୍ୱତନ୍ତ୍ର ବୋଲି ବର୍ଣ୍ଣନା କରିଥିଲେ । ଭାରତର ସ୍ୱାଧୀନତା ପାଇଁ ସୋଭିଏତ ସଂଘ ମଧ୍ୟ ଏକ ବଡ଼ ଭୂମିକା ଗ୍ରହଣ କରିଥିଲା ବୋଲି ସେ କହିଛନ୍ତି ।