ଯାଜପୁରରେ ବବି ଓ ଡାନି ଶୀତଳଯୁଦ୍ଧ

Pritiranjan Ghadei

ଯାଜପୁରରେ ବବି ଓ ଡାନି ଶୀତଳଯୁଦ୍ଧ

ଭୁବନେଶ୍ୱର : ପୁରୁଣା ରାଗ ଏବେ ଶୁଝେଇବାରେ ଲାଗିଛନ୍ତି ବିଜେଡ଼ି ନେତା  । ଚବିଶ ନିର୍ବାଚନରେ ଦଳ ମାଟି କାମୁଡ଼ିବା ପରେ ଯାଜପୁରରେ ଏବେ ଆରମ୍ଭ ହୋଇଯାଇଛି ଶୀତଳ ଯୁଦ୍ଧ  । ଏକଦା ଯାଜପୁରରେ ଅଶୋକ ଦାସ ଓ ପ୍ରଫୁଲ୍ଲ ଘଡେ଼ଇଙ୍କ ମଧ୍ୟରେ ଜୋରଦାର ଲଢେ଼ଇ ହେଉଥିଲା  । ଗୋଟିଏ ଦଳରେ ଥିଲେବି ସେମାନଙ୍କ ଭିତରେ ଚାଲିଥିଲା ପତିଆରା ଲଢେ଼ଇ  । ଏବେ କିନ୍ତୁ ଅଶୋକଙ୍କ ପୁଅ ବବି ଦାସ ଓ ପ୍ରଫୁଲ୍ଳଙ୍କ ପୁଅ ପ୍ରୀତିଙ୍କ ମଧ୍ୟରେ ଲଢେ଼ଇ ଚାଲିଛି  । ପ୍ୟାରୀ ବିଜୁ ଜନତା ଦଳର ସର୍ବେସର୍ବା ଥିବାବେଳେ ପ୍ରଫୁଲ୍ଲ ଘଡେ଼ଇଙ୍କର ବେଶ୍‌ ପତିଆରା ରହିଥିଲା  । ସେତେବେଳେ ବାପ ପୁଅ ଟିକେଟ ପାଇଥିଲେ  । ପ୍ୟାରୀ ବିଜେଡ଼ି ରାଜନୀତିରୁ ଅପସରି ଯିବା ପରେ ବବିଙ୍କ ପାୱାର ବଢ଼ିବଢ଼ି ଚାଲିଥିଲା  । ଏମିତିକି ବିଜେଡ଼ିରେ ସେ ହୋଇଯାଇଥିଲେ ନମ୍ବର ଟୁ  । ଯାଜପୁର ରାଜନୀତିକୁ ନିଜ ହାତମୁଠାରେ ରଖିବା ପାଇଁ ବବି ଗୋଟିଚାଳନା କରି ସଫଳ ହୋଇଥିଲେ  । ସେତେବେଳେ ଡାନି ଘଡେ଼ଇ ଚୁପ୍‌ ରହିବାକୁ ବାଧ୍ୟ ହୋଇଥିଲେ  । କିନ୍ତୁ ଚବିଶ ନିର୍ବାଚନ ପରେ ସବୁ ଅଙ୍କ ବଦଳିଯାଇଛି  । ସୁକିନ୍ଦାରେ ଡାନି ହାରି ଯାଇଥିବାବେଳେ କୋରେଇରେ ବବିଙ୍କ ବୋଉ ପରାସ୍ତ ହୋଇଛନ୍ତି  । ଉଭୟ ବବି ଓ ଡାନି ପରସ୍ପରକୁ ହରାଇବା ପାଇଁ ଲାଗି ପଡିଥିଲେ ବୋଲି ଚର୍ଚ୍ଚା ହେଉଥିଲା  । ଯେଉଁଥିପାଇଁ ବବି ଓ ଡାନି ବିବାଦ ବଢ଼ିଯାଇଛି  । ନିକଟରେ ବବି ଦାସଙ୍କ ନେତୃତ୍ୱରେ ବିଜେଡ଼ିର ଏକ ରୁଦ୍ଧଦ୍ୱାର ବୈଠକ ହୋଇଥିଲା  । ବୈଠକରେ ବିଞ୍ଝାରପୁର ବିଧାୟକ ପ୍ରମିଳା ମଲ୍ଲିକ, ପ୍ରଣବ ବଳବନ୍ତରାୟ, ଯାଜପୁର ବିଧାୟିକା ସୁଜାତା ସାହୁ, ବରି ବିଧାୟକ ବିଶ୍ୱରଞ୍ଜନ ମଲ୍ଲିକ ପ୍ରମୁଖ ଉପସ୍ଥିତ ଥିଲେ  । କିନ୍ତୁ ଏହି ବୈଠକରେ ଭେଟେରାନ୍‌ ନେତା ଅମର ପ୍ରସାଦ ଶତପଥି, ପ୍ରୀତି ଘଡେ଼ଇ, ଅଶୋକ ବଳ ଓ ସୁନନ୍ଦା ଦାସଙ୍କର ଦେଖା ମିଳିନଥିଲା  । ଅମର, ଅଶୋକ ଓ ସୁନନ୍ଦାଙ୍କ ଟିକେଟ କାଟିବାରେ ବବିଙ୍କର ହିଁ ବଡ଼ ଭୂମିକା ରହିଥିଲା  । ତେଣୁ ବବିଙ୍କ ବିରୋଧରେ ବି କିଛି ନେତା ମେଳି ବାନ୍ଧିଛନ୍ତି  । ଯାଜପୁରରେ ବିଜେପି କାୟା ବିସ୍ତାର କରୁଥିବାବେଳେ ବିଜେଡ଼ିର ଏହି ଗୋଷ୍ଠୀକନ୍ଦଳ ଦଳୀୟ କର୍ମୀମାନଙ୍କୁ ନିରାଶ କରିଦେଇଛି  ।