ଅପରାଜିତାଙ୍କଠୁ ପାୱାରଫୁଲ୍ ବାବୁ ସିଂ
Aparajita Sarangi , Odisha BJP

ଭୁବନେଶ୍ୱରରେ ଏବେ ବିଜେପିର ବାବୁ ହେଉଛନ୍ତି ବାବୁ ସିଂ । ବାବୁଆଣୀ ଅପରାଜିତା ଷଡ଼ଙ୍ଗୀଙ୍କର ଆଉ ଆଗଭଳି କାଟତି ନାହିଁ । ପୂର୍ବରୁ ରାଜ୍ୟ ବିଜେପିରେ ଅପରାଜିତାଙ୍କର ଢେର କ୍ରେଜ ଥିଲା । ମୁଖ୍ୟମନ୍ତ୍ରୀ ହେବା ପାଇଁ ସେ ନିଜକୁ ପ୍ରସ୍ତୁତ କରୁଥିଲେ । ସାରା ରାଜ୍ୟ ବୁଲି ନିଜର ଫ୍ୟାନଙ୍କ ସଂଖ୍ୟା ବୃଦ୍ଧି କରି ଚାଲିଥିଲେ । ଏବେ କିନ୍ତୁ ସେଥିରେ ଅଙ୍କୁଶ ଲାଗିଯାଇଛି । ରାଜ୍ୟର ୨୦ ସାଂସଦ ଏବେ ବିଜେପିର ଅଛନ୍ତି । ଯେଉଁ ସ୍ଥାନରେ ବିଜେପି ବହୁ ପଛରେ ଥିଲା ସେଠାରେ ବିଜେପି ସାଂସଦମାନେ ଲକ୍ଷାଧିକ ଭୋଟରେ ଜିତିଛନ୍ତି । କିନ୍ତୁ ଅପରାଜିତା ସାଂସଦ ଥାଇ ବି ୨୦୧୯ ଭଳି ୨୦୨୪ରେ ବି ଭାରି ଭିଡ଼ରେ ବାଜି ମାରିବାରେ ସମର୍ଥ ହୋଇଛନ୍ତି । ଅତଏବ ଅପରାଜିତା ଏଥର କେବଳ ଦଳ ପାଇଁ ଜିତିଛନ୍ତି ବୋଲି କେନ୍ଦ୍ରକୁ ବାର୍ତା ଯାଇସାରିଛି । ଏବେ ବିଜେପିର ସରକାର ଆସିଥିବାରୁ ଚର୍ଚ୍ଚାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ହିଁ ରହୁଛନ୍ତି । ସେହିପରି ମହିଳା ନେତ୍ରୀଙ୍କ ମଧ୍ୟରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଓ ବାଚସ୍ପତି ସୁରମା ପାଢ଼ୀ ପାୱାରଫୁଲ୍ ଅଛନ୍ତି । ଖାଲି ସେତିକିନୁହେଁ, ଏମିତିକି ଅପରାଜିତାଙ୍କର ଧର୍ମେନ୍ଦ୍ରଙ୍କ ଗୋଷ୍ଠୀ ସହ ସୁସମ୍ପର୍କ ନଥିଲା । ଏବେ ସରକାରଙ୍କର ଯେଉଁସବୁ କାର୍ଯ୍ୟକ୍ରମ ହେଉଛି ସେଥିରେ କେବଳ ବାବୁ ସିଂଙ୍କୁ ହିଁ ଦେଖିବାକୁ ମିଳୁଛି । ଭୁବନେଶ୍ୱରର ସେ ହେଉଛନ୍ତି ଏକମାତ୍ର ବିଧାୟକ । ତେଣୁ ସମସ୍ତ ସରକାରୀ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀଙ୍କ ପାଖେ ପାଖେ ରହୁଛନ୍ତି ବାବୁ । ଧର୍ମେନ୍ଦ୍ରଙ୍କ ଖାସ୍ ଲୋକ ହୋଇଥିବାରୁ ଆଗାମୀ ଦିନରେ ସେ ଖୋର୍ଦ୍ଧା ଜିଲ୍ଲା ଯୋଜନା ବୋଡର଼୍ ଅଧ୍ୟକ୍ଷ ନଚେତ୍ ମନ୍ତ୍ରୀ ହେବେବୋଲି ଚର୍ଚ୍ଚା ବି ହେଉଛି । ବିଧାନସଭାରେ ଶାସକ ଦଳ ପକ୍ଷରୁ ତାଙ୍କୁ ବେଶୀ ଗୁରୁତ୍ୱ ଦିଆଯାଉଛି । ନିଜ ବାକ୍ୟ ବାଣରେ ସେ ବିଜେଡ଼ିକୁ ଘାଇଲା ବି କରିଦେଉଛନ୍ତି । ବାବୁଙ୍କର ପତିଆରା ବଢି ବଢ଼ି ଚାଲିଥିବାରୁ ତାହା ଅପରାଜିତାଙ୍କୁ ଆହୁରି ନିରାଶ କରିଦେଇଛି । ସମ୍ପ୍ରତି ରାଜ୍ୟ ବିଜେପିର ସ୍ଥିତି ଯାହା, ଆଗାମୀ ଦିନରେ ଅପରାଜିତା ଆଉ ଆଗଧାଡ଼ିକୁ ଆସିପାରିବେ ନାହିଁ । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ, ପ୍ରଭାତୀ ପରିଡ଼ା, ମନମୋହନ ସାମଲ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଜୁଏଲ ଓରାମ୍ ଓ ଅଶ୍ୱିନୀ ବୈଷ୍ଣବ ହିଁ ଆଗଧାଡ଼ିରେ ରହିଛନ୍ତି । ସେତେବେଳେ ଅପରାଜିତା ନବୀନ ପଟ୍ଟନାୟକଙ୍କୁ ଶାଣିତ ଆକ୍ରମଣ କରି ବିଜେପି କର୍ମୀଙ୍କ ହୃଦୟ ଜିଣିଥିଲେ । ଏବେ କିନ୍ତୁ ତାଙ୍କର ପାଟି ବନ୍ଦ ହୋଇଯାଇଛି । ଦଳୀୟ କାର୍ଯ୍ୟାଳୟରେ ସାମ୍ବାଦିକ ସମ୍ମିଳନୀ ପାଇଁ ତାଙ୍କୁ ଆଉ ଖୋଜାଲୋଡ଼ା ପଡୁନାହିଁ । ସେହିପରି ଓଡ଼ିଶା ଦାୟିତ୍ୱରୁ ଦୂରେଇ ରଖିବା ପାଇଁ ଅପରାଜିତାଙ୍କୁ କେରଳ ସହପ୍ରଭାରୀ ଭାବେ ପଠାଇ ଦିଆଯାଇଛି । ଗାଏମୋଟ୍ ଦେଖିଲେ ଅପରାଜିତା ଏବେ ଭୁବନେଶ୍ୱର ଭିତରେ ସୀମିତ ରହିଛନ୍ତି । କିନ୍ତୁ ଭୁବନେଶ୍ୱରରେ ବି ତାଙ୍କର ଆଉ ଆଗଭଳି ଖାତିର ନାହିଁ । ଏବେ ଭୁବନେଶ୍ୱର ବିଜେପିରେ ବାବୁ ରାଜ୍ ଆରମ୍ଭ ହୋଇଯାଇଛି କହିଲେ ଭୁଲ୍ ହେବନାହିଁ ।