ବର୍ଷା ପାଇଁ ପଞ୍ଚାୟତ ଉପନିର୍ବାଚନ ସ୍ଥଗିତ


 ଭୁବନେଶ୍ୱର:  ଆଗକୁ ମୌସୁମୀ ଆସିବା ସହ ବର୍ଷା ସମ୍ଭାବନା ଥିବାରୁ ରାଜ୍ୟ ନିର୍ବାଚନ କମିଶନ ପଞ୍ଚାୟତ ଉପନିର୍ବାଚନ ସ୍ଥଗିତ ରଖିଛନ୍ତି  ।  ସୂଚନାଯୋଗ୍ୟଯେ, ଗତ ୨୦ରେ ରାଜ୍ୟ ନିର୍ବାଚନ କମିଶନଙ୍କ ପକ୍ଷରୁ ଉପନିର୍ବାଚନ ପାଇଁ ନୋଟିସ୍ ଜାରି କରାଯାଇଥିଲା  । ଖାଲିଥିବା ୧୦୪୩ ୱାର୍ଡ଼ମେମ୍ବର ପଦ, ୪୩ ସରପଞ୍ଚ, ୪୦ ସମିତି ସଭ୍ୟ ଓ ୫ ଜିଲ୍ଲା ପରିଷଦ ସଭ୍ୟ ପଦ ପୂରଣ ପାଇଁ ଏହି ଉପନିର୍ବାଚନ ହୋଇଥା’ନ୍ତା  । ନିର୍ବାଚନ ପ୍ରକ୍ରିୟା ମେ’ ୨୨ରୁ ଆରମ୍ଭ ହୋଇ ଜୁନ୍ ୨୫ରେ ଶେଷ ହେବାର ଥିଲା  । ଏନେଇ ରାଜ୍ୟ ନିର୍ବାଚନ କମିଶନଙ୍କ ପକ୍ଷରୁ କୁହାଯାଇଛିଯେ, ଏବର୍ଷ ମୌସୁମୀ ଅନ୍ୟ ବର୍ଷ ତୁଳନରେ ଅଧିକ ସକ୍ରିୟ ହୋଇ ନିକଟ ଭବିଷ୍ୟତରେ ଓଡ଼ିଶାକୁ ପ୍ରଭାବିତ କରିବାର ସମ୍ଭାବନା ରହିଛି  । ନିର୍ବାଚନ ପ୍ରକ୍ରିୟାରେ ସଂଶ୍ଳିଷ୍ଟ ଜିଲ୍ଲା ଅଧିକାରୀ, ସର୍ବସାଧାରଣ ତଥା ଆଶାୟୀ ପ୍ରାର୍ଥୀମାନେ ବି ଏଭଳି ମତାମତ ଦେଇଛନ୍ତି  । ତେଣୁ ଉପନିର୍ବାଚନ ସଂକ୍ରାନ୍ତୀୟ ବିଜ୍ଞପ୍ତି ରଦ୍ଦ କରାଯିବା ସହ ବର୍ଷା ଋତୁ ପରେ ଉପନିର୍ବାଚନ ହେବବୋଲି ସୂଚନା ଦିଆଯାଇଛି ।