ଏନ୍କାଉଣ୍ଟର: ୩୦ ମାଓବାଦୀ ନିପାତ : କୁଖ୍ୟାତ ବାସବରାଜ୍ ମୃତ

 ମାଲକାନଗିରି: ଛତିଶଗଡ଼ ପୁଲିସ୍ ଓ ସୁରକ୍ଷାକର୍ମୀଙ୍କୁ ଆଜି ଏକ ବଡ଼ ଧରଣର ସଫଳତା ମିଳିଛି  । ଏନକାଉଣ୍ଟରରେ ଦୁର୍ଦ୍ଦାନ୍ତ ନକ୍ସଲ ନେତା ନାମ୍ବାଲା କେଶବ ରାଓ ଓରଫ ବାସବରାଜ ସମେତ ୩୦ ମାଓବାଦୀଙ୍କୁ ନିପାତ କରାଯାଇଛି  । ବାସବରାଜ ମୁଣ୍ଡ ଉପରେ ୧ କୋଟି ଟଙ୍କାର ପୁରସ୍କାର ଘୋଷଣା କରାଯାଇଥିଲା  ।
ବାସବରାଜ୍ ଥିଲା ସିପିଆଇଏମ(ମାଓବାଦୀ)ର ସାଧାରଣ ସମ୍ପାଦକ  । ୧୯୭୦ରୁ ସେ ନକ୍ସଲ ଆନେ୍ଦାଳନ ସହ ଜଡ଼ିତ ଥିଲା  । ଆଜି ନାରାୟଣପୁର ଜିଲ୍ଲାର ଆବୁଝମଦ ଅଞ୍ଚଳରେ ଥିବା ଜଙ୍ଗଲରେ ନକ୍ସଲ ବିରୋଧୀ ଅଭିଯାନ ଚାଲିଥିଲା  । ଘନଘନ କୁମ୍ବିଂ ଅପରେସନ୍ ଚାଲିଥିବାବେଳେ ନକ୍ସଲଙ୍କ ପକ୍ଷରୁ ଗୁଳିମାଡ଼ ହୋଇଥିଲା  । ଏହାର ଜୋରଦାର ଜବାବ ଦେଇଥିଲେ ସୁରକ୍ଷା କର୍ମୀ  । ନକ୍ସଲମାନେ ମେଳି ବାନ୍ଧିଥିବା ସ୍ଥାନକୁ ସୁରକ୍ଷା କର୍ମୀମାନେ ଘେରି ଯାଇଥିଲେ । ସେହି ଅଞ୍ଚଳରେ ମାଓ ବାନକ୍ସଲମାନେ ଥିବା ନେଇ ପୂର୍ବରୁ ଗୁଇନ୍ଦା ସୂଚନା ମିଳିଥିଲା  । ଫଳରେ ଜିଲ୍ଲା ରିଜର୍ଭ ଗାର୍ଡ଼ ପକ୍ଷରୁ  ସେମାନଙ୍କୁ ନିପାତ କରିବା ପାଇଁ ରଣନୀତି କରାଯାଇଥିଲା  । ଦୁଇ ସପ୍ତାହ ତଳେ ଛତିଶଗଡ଼ର ବିଜାପୁର ଜିଲ୍ଲାର କାରେଗୁଟ୍ଟା ଜଙ୍ଗଲରେ ଏନକାଉଣ୍ଟରରେ ୧୫ ନକ୍ସଲ ନିପାତ ହୋଇଥିଲେ  ।