ବାବାଙ୍କ କଳା କାରନାମା : ନିଶା ବଟିକା ଖୁଆଇ ଯୁବତୀଙ୍କୁ ଦୁଷ୍କର୍ମ ଅଭିଯୋଗ

ନିଶା ବଟିକା ଖୁଆଇ ଯୁବତୀଙ୍କୁ ଦୁଷ୍କର୍ମ ଅଭିଯୋଗ । ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ଥାନା ଅଞ୍ଚଳରେ ଘଟିଛି ଏଭଳି ଅଭାବନୀୟ ଘଟଣା । ଯୁବତୀକୁ ବୈଷ୍ଣବ ଝୁଲି ଆଶ୍ରମର ବାବା ପ୍ରଫୁଲ୍ଲ ମହଲା ନିଶା ବଟିକା ଦେଇ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ଅଭିଯୋଗ ଆଧାରରେ ପୋଲିସ ବାବାଙ୍କୁ ଗିରଫ କରିଛି । ସୂଚନା ଅନୁସାରେ, ଯୁବତୀଙ୍କ ଦେହ ବାରମ୍ବାର ଖରାପ ହେବାରୁ କିଛି ଦିନ ତଳେ ବାବାଙ୍କ ଆଶ୍ରମକୁ ଯାଇଥିଲେ । ସେଠାରେ ବାବାଙ୍କ ସହ କଥାବାର୍ତ୍ତା ହେବା ପରେ ବାବା କିଛି ଔଷଧ ଯୁବତୀଙ୍କୁ ଖାଇବାକୁ ଦେଇଥିଲେ । ମାସେ ପରେ ପୁଣିଥରେ ଆସି ଔଷଧ ନେବାକୁ କହିଥିଲେ । ଯୁବତୀ ଜଣକ ଔଷଧ ନେବାକୁ ଆଶ୍ରମରେ ପହଞ୍ଚିଥିଲେ । ବାବା ତାଙ୍କୁ ୪ଟି ବଟିକା ଖାଇବାକୁ ଦେଇଥିଲେ । ପରେ ଅଚେତ ଅବସ୍ଥାରେ ଯୁବତୀକୁ ବାବା ଦୁଷ୍କର୍ମ କରିଥିବା ନେଇ ଅଭିଯୋଗ ହୋଇଛି । ଯୁବତୀଙ୍କ ଚେତା ଫେରିବାରୁ ତାଙ୍କୁ ଏକ ଅଟୋରେ ବସାଇ ଦେଇଥିଲେ ।
ତେବେ କିଛି ସମୟ ପରେ ଯୁବତୀ ଜଣଙ୍କ ମୁର୍ମୁଷ ଅବସ୍ଥାରେ ମେଡିକାଲ ଛକରେ ପଡିରହିଥିଲେ । ଖବର ପାଇ ମେଡିକାଲ କର୍ମଚାରୀ ତାଙ୍କୁ ଉଦ୍ଧାର କରି ଚିକିତ୍ସା କରିଥିଲେ । ସେପଟେ ଯୁବତୀଙ୍କ ପରିବାର ଲୋକେ ରେଢ଼ାଖୋଲ ଥାନାରେ ଅଭିଯୋଗ ପରେ ପୋଲିସ ବାବା ପ୍ରଫୁଲ୍ଲ ମହଲାଙ୍କୁ ଆଶ୍ରମରୁ ଗିରଫ କରି ତଦନ୍ତ କରୁଥିବା ସୂଚନା ମିଳିଛି ।