ମାଈ ହାତୀର ମୃତ୍ୟୁ
ଭଞ୍ଜନଗର : ଉତ୍ତର ଘୁମୁସର ବନଖଣ୍ଡ ଅନ୍ତର୍ଗତ ଜଗନ୍ନାଥପ୍ରସାଦ ବନାଞ୍ଚଳ ବନ୍ତା ବିଟ୍ର ଖଣ୍ଡସର ଗ୍ରାମ୍ୟ ଜଙ୍ଗଲରେ ଏକ ମାଈ ହାତୀର ମୃତ୍ୟୁ ଘଟିଛି। ମୃତ ହାତୀଟିକୁ ପ୍ରାୟ ୩୦ ବର୍ଷ ହେବ। ଦୁଇଦିନ ତଳେ ହାତୀପଲରୁ ଏହି ମାଈ ହାତୀଟି କୌଣସି ମତେ ଅଲଗା ହୋଇ ଉକ୍ତ ଜଙ୍ଗଲରେ ଘୂରି ବୁଲିବାବେଳେ ଏକ ଭଙ୍ଗାନାଳର ଗର୍ତ୍ତ ଭିତରକୁ ଖସିପଡ଼ିଥିଲା। ହାତୀର ଶୁଣ୍ଢ ଗର୍ତ୍ତ ଭିତରେ ରହିଯିବା ସହ ଗର୍ତ୍ତ ସମ୍ମୁଖରେ ମାଟି ଗଦା ହୋଇ ରହିଥିବାରୁ ହାତୀଟି ସେଠାରୁ ବାହାରି ପାରିନଥିଲା।ଦୀର୍ଘ ସମୟ ଧରି ହାତୀଟି ନିଜକୁ ବଞ୍ଚାଇବା ପାଇଁ ସଂଗ୍ରାମ କରିବା ପରେ ଶେଷରେ ତାର ପ୍ରାଣବାୟୁ ଉଡ଼ିଯାଇଥିଲା ବୋଲି ଡିଏଫ୍ଓ ହିମାଂଶୁ ମହାନ୍ତି କହିଛନ୍ତି। ଏହି ନିର୍ଜନ ଜଙ୍ଗଲରେ ହାତୀଟି ଦୁଇଦିନ ଧରି ମରି ପଡ଼ିବା ପରେ ନିକଟସ୍ଥ ଗ୍ରାମବାସୀ ଏହାର ଦୁର୍ଗନ୍ଧ ଜାଣିପାରି ଆଜି ବିଭାଗୀୟ କର୍ମଚାରୀଙ୍କୁ ଖବର ଦେଇଥିଲେ। ହାତୀ ମୃତଦେହ ପଡ଼ିଥିବା ସଂପର୍କରେ ଖବର ପାଇ ଡିଏଫ୍ଓ ଶ୍ରୀ ମହାନ୍ତି ସମେତ ଆରସିସିଏଫ୍ ସଞ୍ଜୟ ସ୍ବାଇଁ, ଭୁବନେଶ୍ବର ବନ୍ୟପ୍ରାଣୀ ବିଭାଗର ଯୁଗ୍ମ ଟାସ୍କଫୋର୍ସ ଇନ୍ସପେକ୍ଟର ରେଣୁବାଳା ସାହୁ, ରେଞ୍ଜର ସୁଜାତାରାଣୀ ପଣ୍ଡା ଜଙ୍ଗଲରେ ପହଞ୍ଚି ଅନୁଧ୍ୟାନ କରିଥିଲେ। ପ୍ରାଣୀ ଚିକିତ୍ସକ ଘଟଣାସ୍ଥଳରେ ପହଞ୍ଚି ହାତୀର ଶବ ବ୍ୟବେଚ୍ଛଦ କରିଥିଲେ।