ବାରବାଟୀ ମ୍ୟାଚ୍ ପାଇଁ କ୍ରୀଡ଼ାମନ୍ତ୍ରୀଙ୍କ ପ୍ରସ୍ତୁତି ବୈଠକ
ଭୁବନେଶ୍ୱର: ଫେବୃଆରୀ ୯, ୨୦୨୫ରେ କଟକ ସ୍ଥିତ ବାରବାଟୀ ଷ୍ଟାଡିୟମ ଠାରେ ଭାରତ ଓ ଇଂଲଣ୍ଡ ମଧ୍ୟରେ ଅନୁଷ୍ଠିତ ହେବାକୁ ଥିବା ୱାନ୍ ଡେ ଇଣ୍ଟରନ୍ୟାସନାଲ୍ କ୍ରିକେଟ ମ୍ୟାଚ ନିମନ୍ତେ ଏକ ପ୍ରସ୍ତୁତି ବୈଠକ ଆଜି କ୍ରୀଡା ଓ ଯୁବସେବା ବିଭାଗର ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ପ୍ରସୁତି ବୈଠକରେ କ୍ରୀଡା ଓ ଯୁବସେବା ବିଭାଗର ପ୍ରମୁଖ ଶାସନ ସଚିବ ଭାସ୍କର ଜ୍ୟୋତି ଶର୍ମା, ଓଡ଼ିଶା କ୍ରିକେଟ ଆସୋସିଏସନ୍ର ଅଧିକାରୀ, କଟକ ଜିଲ୍ଲାପାଳ ଦତ୍ତତ୍ରେୟ ଭାଉ ସାହେବ ସିନେ୍ଧ, ବିଭିନ୍ନ ବିଭାଗ ଯଥା ପୂର୍ତ୍ତ, ଅଗ୍ନିଶମ, ପରିବହନ ବିଭାଗର ଅଧିକାରୀ, ଏୟାରପୋର୍ଟ ଅଥରିଟି, କଟକ ମୁନିସିପାଲ କର୍ପୋରେସନ୍ର ଅଧିକାରୀ ମାନେ ଉପସ୍ଥିତ ଥିଲେ । ପ୍ରସ୍ତୁତି ବୈଠକରେ ଆଗାମୀ ଦିନରେ ହେବାକୁ ଥିବା ୱାନ୍ ଡେ ଇଣ୍ଟରନ୍ୟାସନାଲ୍ ମ୍ୟାଚଟି ଯେପରି ଜିଲ୍ଲା ପ୍ରଶାସନ, ପୋଲିସ ଅଧିକାରୀ ଏବଂ ସମସ୍ତ ବିଭାଗୀୟ ଅଧିକାରୀ ମାନଙ୍କ ମଧ୍ୟରେ ସମନ୍ୱୟ ରଖାଯାଇ ସୂଚାରୁ ରୂପେ ସମ୍ପାଦନ କରାଯାଇପାରିବ ସେ ସମ୍ବନ୍ଧରେ ସବିସ୍ତୃତ ଆଲୋଚନା କରାଯାଇଥିଲା । ଖେଳାଳୀ ମାନଙ୍କର ରହଣି ବ୍ୟବସ୍ଥା, ଷ୍ଟାଡିୟମ୍ ରେ ମ୍ୟାଚ ଅନୁଷ୍ଠିତ ହେଉଥିବା ବେଳେ ସମସ୍ତ ଖେଳାଳୀ, ଦର୍ଶକ ଓ ଅଂଶୀଦାର ମାନଙ୍କର ସୁରକ୍ଷା ବ୍ୟବସ୍ଥାକୁ ବିଶେଷ ଭାବରେ ଧ୍ୟାନ ଦିଆଯିବ । କ୍ରୀଡ଼ାମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜ ନିଜର ପ୍ରତିକ୍ରିୟାରେ କହିଛନ୍ତି ଯେ, ଆସନ୍ତା ୯ ଫେବୃଆରୀ, ୨୦୨୫ରେ କଟକ ସ୍ଥିତ ବାରବାଟୀ ଷ୍ଟାଡିୟମ୍ ଠାରେ ୱାନ ଡେ ଇଣ୍ଟରନ୍ୟାସନାଲ କ୍ରିକେଟ ମ୍ୟାଚ ଅନୁଷ୍ଠିତ ହେବ । ଟିକେଟ ମୂଲ୍ୟ ଧାର୍ଯ୍ୟ କରିବା ଏବଂ ଟିକେଟ ବିକ୍ରୟର ସମସ୍ତ ପ୍ରକ୍ରିୟାକୁ ସ୍ୱଚ୍ଛଳ ଭାବେ ନିରୂପଣ କରାଯିବ । କ୍ରିକେଟ ମ୍ୟାଚ ନିମନ୍ତେ ଯେପରି ଜିଲ୍ଲା ପ୍ରଶାସନ, ପୁଲିସ ଅଧିକାରୀ ଏବଂ ସମସ୍ତ ବିଭାଗୀୟ ଅଧିକାରୀ ମାନଙ୍କ ମଧ୍ୟରେ ସମନ୍ୱୟ ରଖାଯାଇ ମ୍ୟାଚକୁ ସୁଚାରୁ ରୂପେ ପରିଚାଳନା କରାଯିବ ସେନେଇ ସମସ୍ତ ପ୍ରସ୍ତୁତି କରାଯିବ ବୋଲି କ୍ରୀଡ଼ାମନ୍ତ୍ରୀ ଶ୍ରୀ ସୂରଜ ମତପ୍ରକାଶ କରିଛନ୍ତି ।