ଗୃହମନ୍ତ୍ରୀ ଭାବେ ଶାହଙ୍କ ରେକର୍ଡ
ନୂଆଦିଲ୍ଲୀ : ସଂସଦ ଭବନରେ ଆଜି ବିଜେପି ନେତୃତ୍ୱାଧୀନ ଏନଡିଏ ସଂସଦୀୟ ଦଳର ବୈଠକ ଆରମ୍ଭ ହୋଇଛି । ଏହି ବୈଠକ ସଂସଦ ଭବନର ଅଡିଟୋରିୟମରେ ଆୟୋଜିତ ହେଉଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ବୈଠକରେ ଯୋଗଦେବାକୁ ପହଞ୍ଚିବା ପରେ ଏନଡିଏ ସାଂସଦମାନେ ତାଙ୍କୁ ‘ହର ହର ମହାଦେବ' ଏବଂ ‘ଭାରତ ମାତା କି ଜୟ' ସ୍ଲୋଗାନ ଦେଇ ସ୍ୱାଗତ କରିଥିଲେ । ଏହା ସହ ‘ଅପରେସନ ସିନ୍ଦୂର'ର ସଫଳତା ପାଇଁ ଏନଡିଏ ସାଂସଦମାନେ ମୋଦିଙ୍କୁ ସମ୍ମାନିତ କରିଥିଲେ । ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, ପ୍ରଧାନମନ୍ତ୍ରୀ ମୋଦିଙ୍କୁ ପୁଷ୍ପମାଲ୍ୟ ଦେଇ ସ୍ୱାଗତ କରିଥିଲେ । ପହଲଗାମ ଆତଙ୍କବାଦୀ ଆକ୍ରମଣର ପୀଡିତ ପରିବାର ପ୍ରତି ସମବେଦନା ପ୍ରକାଶ କରାଯାଇଥିଲା । ନୂତନ ସାଂସଦମାନଙ୍କୁ ପ୍ରଧାନମନ୍ତ୍ରୀଙ୍କ ସହ ପରିଚିତ କରାଯାଇଥିଲା ।
ମୋଦି ତାଙ୍କ ଭାଷଣରେ ଉଲ୍ଲେଖ କରିଥିଲେ ଯେ ଅଗଷ୍ଟ ୫ ତାରିଖ ଏକ ଐତିହାସିକ ଦିନ ଥିଲା । କାରଣ ଏହି ଦିନ ପୂର୍ବ ଜମ୍ମୁ ଏବଂ କାଶ୍ମୀର ରାଜ୍ୟକୁ ବିଶେଷ ଅଧିକାର ପ୍ରଦାନ କରୁଥିବା ଧାରା ୩୭୦ କୁ ରଦ୍ଦ କରାଯାଇଥିଲା । ସେ ଆହୁରି ମଧ୍ୟ କହିଛନ୍ତି ଯେ ଏନଡିଏ ସରକାର ସମ୍ବିଧାନକୁ ଏହାର ପ୍ରକୃତ ଆତ୍ମାରେ ଅନୁସରଣ କରିଛନ୍ତି । ପ୍ରଧାନମନ୍ତ୍ରୀ ଗୃହମନ୍ତ୍ରୀ ଅମିତ ଶାହଙ୍କୁ ମଧ୍ୟ ପ୍ରଶଂସା କରିଥିଲେ । ଉଲ୍ଲେଖ କରିଥିଲେ ଯେ ସେ ମନ୍ତ୍ରଣାଳୟରେ ସବୁଠାରୁ ଦୀର୍ଘ ସମୟ ଧରି କାର୍ଯ୍ୟ କରୁଥିବା ବ୍ୟକ୍ତି ହୋଇଛନ୍ତି । ୨୦୧୯ ମେ’ ୩୦ ତାରିଖରେ ଶାହ କାର୍ଯ୍ୟଭାର ଗ୍ରହଣ କରିଥିବା ବେଳେ ଏବେ ସେ ୨୨୫୮ ଦିନ ପୂରଣ କରିଛନ୍ତି । ଶାହ ଲାଲକୃଷ୍ଣ ଆଡଭାନୀଙ୍କୁ ପଛରେ ପକାଇ ଏହି ମାଇଲଖୁଣ୍ଟରେ ପହଞ୍ଚିଛନ୍ତି । ବିରୋଧୀ ଦଳ ଉପରେ କଟାକ୍ଷ କରି ମୋଦି କହିଥିଲେ ଯେ ସେମାନେ ନିଶ୍ଚିତ ଭାବରେ ଆଶ୍ଚର୍ଯ୍ୟ ହେଉଛନ୍ତି ଯେ ସେମାନେ ଅପରେସନ ସିନ୍ଦୂର ଉପରେ ବିତର୍କ ଦାବି କରି ଭୁଲ କରିଛନ୍ତି କି ନାହିଁ । ଅପରେସନ ସିନ୍ଦୂର ଏବଂ ଅପରେସନ ମହାଦେବ ସମୟରେ ମୋଦିଙ୍କ ନେତୃତ୍ୱ ଏବଂ ସଶସ୍ତ୍ର ବାହିନୀର "ଅତୁଳନୀୟ ସାହସ ଏବଂ ଅଟଳ ପ୍ରତିବଦ୍ଧତା’କୁ ପ୍ରଶଂସା କରି ଏକ ପ୍ରସ୍ତାବ ଗୃହୀତ ହୋଇଥିଲା ।