ସୁପ୍ରିମ୍କୋର୍ଟଙ୍କ ମନ୍ତବ୍ୟକୁ ଇଣ୍ଡି ମେଣ୍ଟର ନିନ୍ଦା

ନୂଆଦିଲ୍ଲୀ: ରାହୁଲ ଗାନ୍ଧିଙ୍କୁ ସୁପ୍ରିମକୋର୍ଟଙ୍କ ଭର୍ତ୍ସନା ପରେ ମୁହଁ ଖୋଲିଛ ବିରୋଧୀ ଇଣ୍ଡିଆ ବ୍ଲକ । କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କ ବିରୁଦ୍ଧରେ ସୁପ୍ରିମକୋର୍ଟ ଦେଇଥିବା ମନ୍ତବ୍ୟକୁ "ଅଯଥା’ ବୋଲି  କହିଛନ୍ତି ବିରୋଧୀ ମେଣ୍ଟ । ଜାତୀୟ ସ୍ୱାର୍ଥ ସମ୍ବନ୍ଧୀୟ ପ୍ରସଙ୍ଗରେ ସରକାରଙ୍କୁ ପ୍ରଶ୍ନ କରିବା ରାଜନୈତିକ ଦଳଗୁଡ଼ିକର ଗଣତାନ୍ତ୍ରିକ ଅଧିକାର ଏବଂ କର୍ତ୍ତବ୍ୟ ବୋଲି ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି । ସଂସଦରେ ଡକାଯାଇଥିବା ସଂସଦୀୟ ନେତାମାନଙ୍କ ଏକ ବୈଠକରେ ବିରୋଧୀ ମେଣ୍ଟର ସଦସ୍ୟମାନେ ସୋମବାର ଦିନ ସୁପ୍ରିମକୋର୍ଟ ଦେଇଥିବା ମନ୍ତବ୍ୟ ଉପରେ ଆଲୋଚନା କରିଥିଲେ ।  ଜଷ୍ଟିସ ଦୀପଙ୍କର ଦତ୍ତା ଏବଂ ଅଗଷ୍ଟିନ ଜର୍ଜ ମାସିହଙ୍କୁ ନେଇ ଗଠିତ ଏକ ଖଣ୍ଡପୀଠ ଭାରତ ଯୋଡୋ ଯାତ୍ରା ସମୟରେ ଭାରତୀୟ ସେନା ସମ୍ପର୍କରେ ଗାନ୍ଧୀଙ୍କ କଥିତ ମନ୍ତବ୍ୟ ପାଇଁ ତାଙ୍କୁ ସମାଲୋଚନା କରିଥିଲେ । କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖାର୍ଗେ ଏବଂ ବିରୋଧୀ ଦଳ ନେତା ରାହୁଲ ଗାନ୍ଧି ବୈଠକରେ ଉପସ୍ଥିତ ଥିଲେ । ଆଲୋଚନା ପରେ ଜାରି ଏକ ମିଳିତ ବିବୃତ୍ତିରେ ମେଣ୍ଟ ସଦସ୍ୟ କହିଛନ୍ତି ଯେ, ଆମର ସମସ୍ତ ନେତା ସହମତ ହୋଇଛନ୍ତି ଯେ କାର୍ଯ୍ୟରତ ବିଚାରପତି ଏକ ଅସାଧାରଣ ପର୍ଯ୍ୟବେକ୍ଷଣ ଦେଇଛନ୍ତି ଯାହା ରାଜନୈତିକ ଦଳଗୁଡ଼ିକର ଗଣତାନ୍ତ୍ରିକ ଅଧିକାର ଉପରେ ଅନାବଶ୍ୟକ । ଜାତୀୟ ସ୍ୱାର୍ଥ ସମ୍ବନ୍ଧୀୟ ପ୍ରସଙ୍ଗରେ ମତାମତ ଦେବା ରାଜନୈତିକ ଦଳଗୁଡ଼ିକର, ବିଶେଷକରି ବିରୋଧୀ ଦଳର ନେତାଙ୍କର ଦାୟିତ୍ୱ । ଯେତେବେଳେ ଏକ ସରକାର ଆମର ସୀମାକୁ ରକ୍ଷା କରିବାରେ ବିଫଳ ହୁଏ, ସେତେବେଳେ ଏହାକୁ ଦାୟୀ କରିବା ପ୍ରତ୍ୟେକ ନାଗରିକର ନୈତିକ କର୍ତ୍ତବ୍ୟ ବୋଲି ବିବୃତ୍ତିରେ  କୁହାଯାଇଛି । କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧି ଭାଦ୍ରା ରାହୁଲଙ୍କ ପକ୍ଷରେ ଠିଆ ହୋଇ ଜୋର ଦେଇଥିଲେ ଯେ ସେ ସଶସ୍ତ୍ର ବାହିନୀକୁ "ସର୍ବୋଚ୍ଚ ସମ୍ମାନ’ ରେ ରଖିଛନ୍ତି । ପ୍ରକୃତ ଭାରତୀୟ କିଏ ତାହା ବିଚାରପତି ନିଷ୍ପତ୍ତି ନିଅନ୍ତି ନାହିଁ ବୋଲି ସେ କହିଛନ୍ତି । ରାହୁଲଙ୍କ ମନ୍ତବ୍ୟର ଭୁଲ ବାଖ୍ୟା କରାଯାଇଛି ବୋଲି ପ୍ରିୟଙ୍କା କହିଛନ୍ତି ।