ରେଭେନ୍ସା ନାମକରଣ ପରିବର୍ତ୍ତନ କାହିଁକି?

Revenshaw Name Change Debate

ରେଭେନ୍ସା ନାମକରଣ ପରିବର୍ତ୍ତନ କାହିଁକି?

ଡକ୍ଟର ସୁବ୍ରତ କୁମାର ପୃଷ୍ଟି 

ଆମେ ଜାଣୁ, ପାଇକ ବିଦ୍ରୋହ ପରେ ୭.୩.୧୮୩୫ରେ ଲାଗୁ ହୋଇଥିବା ମାକଲେ ଶିକ୍ଷା ନିୟମ ଅନୁସାରେ ହାର୍ଡିଞ୍ଜସ୍କୁଲ ବା ଭାଷା ବିଦ୍ୟାଳୟ (ବର୍ତ୍ତମାନର ଓଡିଆ ମାଧ୍ୟମ ସ୍କୁଲ) ସାରା ଭାରତରେ ସ୍ଥାପନ ହେଲା । ୧୮୩୫ରୁ ୧୮୭୦ ମସିହା ପର୍ଯ୍ୟନ୍ତ ଓଡିଶାରେ ୧୪ଟି ଉଚ୍ଚ ଇଂରାଜୀ ବିଦ୍ୟାଳୟ ଓ ୮୬ଟି ଭାଷା ବିଦ୍ୟାଳୟ ସ୍ଥାପିତ ହୋଇସାରିଥିଲା । ମାତ୍ର ୩୦ବର୍ଷ ଭିତରେ ଏତେ ସଂଖ୍ୟକ ଆଧୁନିକ ସ୍କୁଲ ବେସରକାରି ଉଦ୍ୟମରେ ସ୍ଥାପିତ ହେବା ଓଡିଶାର ଉନ୍ନତ ଶିକ୍ଷାବ୍ୟବସ୍ଥାକୁ ପ୍ରମାଣିତ କରେ । ୧୮୪୧ରେ ସ୍ଥାପିତ କଟକ ଜିଲ୍ଲା ସ୍କୁଲରୁ ବିଚିତ୍ରାନନ୍ଦ ଦାସ, ମଧୁବାବୁ ଭଳି ବହୁ ଓଡିଆପିଲା ପାଠ ପଢି କିରାଣି ହୋଇଥିଲେ । ତେବେ ଚାକିରି ବଦଳରେ ଓଡିଆମାନେ ବ୍ୟବସାୟକୁ ଗୁରୁତ୍ୱ ଦେଉ ଥିବାରୁ ଆଧୁନିକ ସ୍କୁଲରେ ଓଡିଆ ଅପେକ୍ଷା ବଙ୍ଗାଳୀପିଲା ବେଶୀ ପଢୁଥିଲେ । କଲିକତାରୁ ଓଡିଶାର ଶାସନ ଏବଂ ଓଡିଶାର ଜମିଦାରି ବଙ୍ଗାଳୀ ହାତରେ ରହିବାଦ୍ୱାରା ସ୍କୁଲ ଶିକ୍ଷାରେ ବଙ୍ଗାଳୀ ଆଧିପତ୍ୟ ରହିଥିଲେ ମଧ୍ୟ ଓଡିଆମାନେ ଶିକ୍ଷା ପ୍ରତି ସଚେତନ ଥିଲେ ତଥା ଶତକଡା ଶହେ ଭାଗ ଶିକ୍ଷିତ ଥିବାର ତତ୍କାଳୀନ ବାର୍ଷିକ ଶିକ୍ଷା ରିପୋର୍ଟରୁ ଜଣାପଡେ । କଟକ କଲେଜିଏଟ ସ୍କୁଲ ଓ କଟକ କଲେଜ ଓ କଟକ ହିନ୍ଦୁ ବାଳିକା ବିଦ୍ୟାଳୟ ନିର୍ମାଣରେ ବିଚିତ୍ରାନନ୍ଦଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ।


•    ଓଡିଶାର ସର୍ବପ୍ରାଚୀନ ଆଧୁନିକ ଶିକ୍ଷାନୁଷ୍ଠାନ ହେଉଛି ଓଡିଶା କଲେଜ । ଏହାର ପୂର୍ବ ନାମ ଥିଲା କଟକ କଲେଜ । ଆଦିନେତା ବିଚିତ୍ରାନନ୍ଦ ଦାସ ଓଡିଶାରେ କଲେଜ ପ୍ରତିଷ୍ଠାପାଇଁ କଟକର ବୁଦ୍ଧିଜୀବୀମାନଙ୍କୁ ନେଇ ଆଲୋଚନା କରିବା ସହିତ ବଙ୍ଗ ସରକାରଙ୍କୁ ଦାବିପତ୍ର ପ୍ରଦାନ କଲେ । ତାଙ୍କରି ଉଦ୍ୟମରେ ୧୮୪୧ରେ ସ୍ଥାପିତ କଟକ ଜିଲ୍ଲା ସ୍କୁଲକୁ ୧୮୬୩ରେ ଦ୍ୱିତୀୟ ଶ୍ରେଣୀ କଲେଜ ବା କଲେଜିଏଟ ସ୍କୁଲରେ ପରିଣତ କରାଗଲା ।


•    ୧୮୭୨ରେ ବିଚିତ୍ରାନନ୍ଦ ମେଳବର୍ଦ୍ଧନୀ ସମାରୋହ ଗଠନ କରି ଓଡିଶାରେ ପୂର୍ଣ୍ଣାଙ୍ଗ ଡିଗ୍ରୀ କଲେଜ ସ୍ଥାପନପାଇଁ ବିଭିନ୍ନ ସଭାସମିତି ମାଧ୍ୟମରେ ଦାବି କରିବା ସହିତ ୧୮୭୫ରେ ଓଡିଶା ଆସିଥିବା ଛୋଟଲାଟ ରିଚାର୍ଡ ଟେମ୍ପଲକୁ ସ୍ମାରକପତ୍ର ପ୍ରଦାନ କଲେ । ଏହି ଦାବିକୁ ବିଚାର କରି ଜନସାଧାରଣଙ୍କ ଦାନରେ କଲେଜ ଖୋଲିବାପାଇଁ ଅନୁମତି ଦେବାକୁ ରେଭେନ୍ସାଙ୍କୁ ସେ ନିର୍ଦ୍ଦେଶ ଦେଲେ । ବିଚିତ୍ରାନନ୍ଦ ଏହି ଅର୍ଥ ବିଭିନ୍ନ ସୂତ୍ରରୁ ସଂଗ୍ରହ କରି ଦେବାପରେ ଓଡିଶା କଲେଜ ସ୍ଥାପନ ହେଲା । ଏଥିରେ କେବଳ ମୁଖ୍ୟ ପ୍ରଶାସକ ଭାବରେ ଚିଠିଲେଖା ବା ଅନୁମତି ଦେବା ବ୍ୟତୀତ ରେଭେନ୍ସାଙ୍କର କୌଣସି ଭୂମିକା ନ ଥିଲା । ମୟୁରଭଞ୍ଜ ରାଜାଙ୍କ ପରାମର୍ଶ ଅନୁସାରେ ୧୮୮୦ରେ ଏହାର ନାମ ପରିବର୍ତ୍ତନ କରି ରେଭେନ୍ସା କଲେଜ ହେଲା ।


•    ଆଦିନେତା ବିଚିତ୍ରାନନ୍ଦ ଦାସ ସଭାପତି ଓ ଅବିନାଶ ଚଟ୍ଟୋପାଧ୍ୟାୟ ସମ୍ପାଦକ ଥିବା କଟକ ହିନ୍ଦୁ ବାଳିକା ବିଦ୍ୟାଳୟ ୧୮୬୮ରେ ପ୍ରତିଷ୍ଠା କରାଯାଇଥିଲା । ବହୁ ଦିନ ପରେ ଏହା ରେଭେନ୍ସା ବାଳିକା ବିଦ୍ୟାଳୟ ନାମରେ ନାମିତ ହେଲା ।
•    ଓଡିଶାରେ ଶିକ୍ଷିତ ଓଡିଆ ପିଲା ନିଯୁକ୍ତି ନ ପାଇବାପାଇଁ ସେ ସମୟର ସର୍ବୋଚ୍ଚ ପଦବୀ ଥିବା ଡେପୁଟି କଲେକ୍ଟର ପରୀକ୍ଷା ନିୟମ -୧୮୭୧ ପ୍ରସ୍ତୁତ କଲେ, ଯାହାକୁ ଉତ୍କଳ ଦୀପିକା ତୀବ୍ର ସମାଲୋଚନା କରିଥିଲା । 


ଓଡିଶାରେ ଆଧୁନିକ ଶିକ୍ଷା ପ୍ରଚଳନରେ କିମ୍ବା ଓଡିଆ ଭାଷା ସୁରକ୍ଷାରେ ରେଭେନ୍ସାର କୌଣସି ସ୍ୱତନ୍ତ୍ର ଭୂମିକା ନ ଥିଲା । ଓଡ଼ିଶାର ପ୍ରଥମ ସ୍କୁଲ ଇନ୍ସପେକ୍ଟର ଇ. ସୋର ୧୮୫୭-୫୮ ବାର୍ଷିକ ରିପୋର୍ଟରେ ଲେଖିଥିଲେ - “ବଙ୍ଗଳା ଭାଷାର ଉପଭାଷା ଓଡ଼ିଆ ନୁହେଁ, ବରଂ ସ୍ୱୟଂସମ୍ପୂର୍ଣ୍ଣ ଭାଷା । ଏହାର ନିଜର ବ୍ୟାକରଣ ଓ ଲିପି ରହିଛି ।” ସେହିପରି “ଶିରୋନାସ୍ତି ଶୀରପୀଡା” ଭଳି ସେତେବେଳେ ସମଗ୍ର ଓଡିଶାରେ ୯୯ଭାଗ ଲୋକ ଓଡିଆରେ କଥା ହେଉଥିଲେ ଓ ପାଠ ପଢୁଥିବାବେଳେ ଓଡିଶାରେ ଓଡିଆ ଭାଷାକୁ ସେ କି ପ୍ରକାର ସୁରକ୍ଷା ଦେଉଥିଲେ? ବରଂ ସେ ଓଡିଶାର ମୁଖ୍ୟ ପ୍ରଶାସକ ହୋଇ ଆସିବା ପରେ ଓଡିଆ ଭାଷା ପ୍ରତି ବିପଦ ସୃଷ୍ଟି ହେବାରୁ ଫକୀରମୋହନ, ଗୌରୀଶଙ୍କର, ବିଚିତ୍ରାନନ୍ଦ ଆଦି ଏହାର ଦୃଢ ବିରୋଧ କରି ଓଡିଆ ଭାଷାକୁ ସୁରକ୍ଷିତ କଲେ ।


୩୦ଲକ୍ଷ ଓଡିଆଙ୍କ ହତ୍ୟାକାରୀ ରେଭେନ୍ସା: ମାନବ ସଭ୍ୟତାର ସବୁଠାରୁ ବର୍ବରୋଚିତ ଘଟଣା ହେଉଛି ମାତ୍ର ଆଠ ମାସ ଭିତରେ ଜଣେ ପ୍ରଶାସକର ଅହଂକାରରେ ଗୋଟିଏ ପ୍ରତିବାଦ ଶୂନ୍ୟ ଜାତିର ୨୦ଲକ୍ଷ ଲୋକ ବିନା ଯୁଦ୍ଧ, ବିନା ମଡକରେ ଖାଇବାକୁ ନ ପାଇ ଛଟପଟ ହୋଇ ମରିଗଲେ, ୧୦ଲକ୍ଷ ଲୋକ ଦେଶାନ୍ତର ହେଲେ । ଏହାଠାରୁ ବଳି ପୃଥିବୀରେ ବଡ ମନୁଷ୍ୟକୃତ ଘଟଣା କୋଉଠି ଘଟିବାର ଦେଖାଯାଇନାହିଁ । ଗୋଟିଏ ଜାତିପାଇଁ ଏହାଠାରୁ ବଳି ଦୁର୍ଭାଗ୍ୟ ଆଉ କ’ଣ ଥାଇପାରେ?
୧୭୫୧, ୧୭୬୪, ୧୮୦୩ ଓ ୧୮୨୬ରେ ସମଗ୍ର ଓଡିଶା ଚାରିଟି ପର୍ଯ୍ୟାୟରେ ବ୍ରିଟିଶ କମ୍ପାନୀ ଶାସନ ଅଧିନକୁ ଯାଇଥିଲା । ସୂର୍ଯ୍ୟାସ୍ତ ଆଇନ ବଳରେ ଓଡିଶାର ୨୩୬୧ଟି ଜମିଦାରୀ ମଧ୍ୟରୁ ୧୭୮୯ଟି ଜମିଦାରୀ କଲିକତାର କୁଲିଠାରୁ ପିଅନ-ଚପରାଶି ପର୍ଯ୍ୟନ୍ତ ଅତିସାଧାରଣ ବଙ୍ଗାଳୀମାନଙ୍କୁ ନିଲାମ କରାଯାଇ ଓଡିଆଙ୍କ ଆର୍ଥିକ ମେରୁଦଣ୍ଡକୁ ଆହୁରି ଭାଙ୍ଗି ଦିଆଗଲା । ବିଦ୍ରୋହୀ ଓଡିଆ ଜାତିକୁ ଦମନ କରିବାପାଇଁ ବଡଲାଟ ଲର୍ଡ଼ କ୍ୟାନିଂ ୨୭.୨.୧୮୬୦ରେ ଚାର୍ଲସ୍ ଉଡ୍ଙ୍କୁ ଚିଠିରେ ଲେଖିଥିବା “You must knock a native down before you pardon him. He will not accept your pardon till he is at your money”  ପରାମର୍ଶକୁ ଗ୍ରହଣ କରି ତତ୍କାଳୀନ ଓଡ଼ିଶା କମିଶନର କୋବରନ ସ୍ୱତନ୍ତ୍ର ପ୍ରସ୍ତୁତି ଆରମ୍ଭ କରିଥିଲେ । ଏଥିପାଇଁ ବଙ୍ଗଳା ଓ ପାଟନାର ୧୬ ବର୍ଷର ଅନୁଭବୀ ପ୍ରଶାସକ ତଥା ବୀରଭୂମିର ଜଜ ଥୋମାସ ଏଡୱାର୍ଡ ରେଭେନ୍ସାଙ୍କୁ ପଦୋନ୍ନତି ଦେଇ ଓଡିଶା କମିଶନର ଭାବରେ ନିଯୁକ୍ତ କରିବା ସହିତ ଆସନ୍ନ ମରୁଡି ବିଷୟରେ ଅବଗତ କରାଗଲା । ରେଭେନ୍ସା ୫ ଜୁଲାଇ ୧୮୬୫ କଟକରେ ପହଞ୍ଚିବା ବେଳକୁୁ ଓଡିଶାରେ ଗଜା ମରୁଡି ଆରମ୍ଭ ହୋଇଯାଇଥିଲା । ଏହାର ପ୍ରତିକାରପାଇଁ ପଦକ୍ଷେପ ନେବାକୁ ପୁରୀ କଲେକ୍ଟର ବାର୍ଲୋ ବାରମ୍ବାର ବୁଝାଇଥିଲେ ମଧ୍ୟ ସେ ଏହାକୁ ଗୁରୁତ୍ୱ ନ ଦେଇ ଓଡିଆ ଗଣହତ୍ୟା କାର୍ଯ୍ୟ ଆରମ୍ଭ କଲେ ।


ରେଭେନ୍ସା ଦାୟୀ କାହିଁକି?:
•    ଜୁଲାଇ ୨୨ ତାରିଖରେ ତିନି ସପ୍ତାହପାଇଁ ବାଲେଶ୍ୱର ଗଲେ । ସେଠାରେ ଖାଦ୍ୟାଭାବ ସତ୍ତ୍ୱେ ୬୯ ଟି ଜାହାଜରେ ମାନ୍ଦ୍ରାଜକୁ ଚାଉଳ ରପ୍ତାନୀ ହୋଇଥିଲା ।
•    ଖାଦ୍ୟାଭାବ ଦୂରପାଇଁ ପଦକ୍ଷେପ ନେବାକୁ ବାର୍ଲୋଙ୍କ ଅନୁନୟକୁ ରେଭେନ୍ସା ପ୍ରତ୍ୟାଖ୍ୟାନ କରି ବିଳାସବ୍ୟସନରେ ସମୟ କାଟିବାକୁ ୪ମାସ ଓଡିଶାର ଗଡଜାତ ରାଜ୍ୟ ବୁଲିବାପାଇଁ ଚାଲିଗଲେ ।
•    ସେଠାରୁ ଫେରିବାପରେ ଦୁର୍ଭିକ୍ଷ କ୍ଷୟକ୍ଷତି ଆକଳନପାଇଁ ଆସିଥିବା ଛୋଟଲାଟ ସେସିଲ ବୀଡନଙ୍କୁ ୧୫ ଫେବୃଆରୀ ୧୮୬୬ରେ କଟକରେ ଭବ୍ୟ ଦରବାର ଆୟୋଜନ କରି ଓଡିଶାର କଙ୍କାଳସାର ମଣିଷର ଦୁଃଖ ଓ ବେଦନାକୁ ଘୋଡାଇଥିଲେ । ଏହି ଦରବାରରେ ଚାଉଳକ୍ରୟ, ଦରଦାମ ନିୟନ୍ତ୍ରଣ, ଖଜଣା ଛାଡ ତଥା ଉଚ୍ଚଶିକ୍ଷାପାଇଁ କଲେଜ ସ୍ଥାପନ ଆଦି ଦାବି ପ୍ରତି ରେଭେନ୍ସାଙ୍କ ସମର୍ଥନ ନ ଥିବାରୁ ଛୋଟଲାଟ ଏହିସବୁ ସମସ୍ୟାକୁ ଅଣଦେଖା କଲେ ।
•    ବାଲେଶ୍ୱର ଜମିଦାର ଖଜଣା ତାରିଖ ମାସେ ଘୁଞ୍ଚାଇ ଦେବାକୁ ଅନୁରୋଧ କରିବାରୁ ରେଭେନ୍ସା ଏହାକୁ ପ୍ରତ୍ୟାଖ୍ୟାନ କରିବା ସହିତ ବାଲେଶ୍ୱର କଲେକ୍ଟର ଏଚ ମସପ୍ରାଟଙ୍କୁ ଚିଠି ଲେଖିଲେ- “ତମ ଜିଲ୍ଲାରେ ଯେତେ ଚାଉଳ ଅଛି ବୋଲି ତୁମେ ଭାବୁଛ, ମୁଁ ନିଃସନ୍ଦେହ ଯେ, ତାଠାରୁ ବେଶୀ ଚାଉଳ ଅଛି । xxx  ତମେ କୌଣସିମତେ ନାର୍ଯ ବ୍ୟବସାୟରେ ହସ୍ତକ୍ଷେପ କରିବନାହିଁ ।” 
•    ସେହିପରି ପୁରୀର ଖାଦ୍ୟାଭାବ ଜନିତ ମୃତ୍ୟୁସଂଖ୍ୟା ବୃଦ୍ଧି ଘଟଣା କଲେକ୍ଟର ବାର୍ଲୋ ରେଭେନ୍ସାକୁ ଜଣାଇବା ପରେ ୧୪ ନଭେମ୍ବର୧୮୬୫ରେ ସେ ବାର୍ଲୋଙ୍କ କଥାକୁ ଅତିରଂଜିତ ବୋଲି ଆକ୍ଷେପ କରିବା ସହିତ ଲୋକମାନେ ଅନ୍ୟତ୍ର ଚାଲିଯିବାକୁ ଏବଂ ବୁଢା ଓ ଅକର୍ମଣ୍ୟ ଲୋକକୁ ସାହାଯ୍ୟ ନ କରିବାକୁ ଚିଠି ଲେଖି ନିର୍ଦ୍ଦେଶ ଦେଲେ । 
•    ଖାଦ୍ୟପାଇଁ କାମ ଯୋଜନା ଆରମ୍ଭ କରି ଲୋକଙ୍କୁ ଅଧିକ କାମ ଦେବାପାଇଁ ଲୁଣ ମାରିବା ଅନୁମତି ଦେବାକୁ ରେଭେନ୍ସା ସିଧାସଳଖ ବାର୍ଲୋଙ୍କ ପରାମର୍ଶକୁ ପ୍ରତ୍ୟାଖ୍ୟାନ କରି ଓଲଟି ଚିଠି ଲେଖି ଜଣାଇଲେ “ବେଶୀ କାମ ହାତକୁ ନିଅନାହିଁ । ଲୋକେ କାମ ପାଖକୁ ଯିବା କଥା, କାମ ଲୋକ ପାଖକୁ ନୁହେଁ ।”
•    ଭୋକିଲା ଲୋକଙ୍କୁ ଦାନା ଦେବାପାଇଁ ବିଚିତ୍ରାନନ୍ଦ ଦାସ ବେସରକାରି ଭାବେ ରିଲିଫ କମିଟି ଗଢି ଖାଦ୍ୟପେୟ ବ୍ୟବସ୍ଥାକୁ ରେଭେନ୍ସା ପରିହାସ କରୁଥିଲେ ।
•    ଓଡିଆ ଜମିଦାରମାନେ ପ୍ରଜାକୁ ଖାଦ୍ୟପାନୀୟ ଦେଲେ ସେମାନଙ୍କ ଉପରେ ଅଧିକ ଖଜଣା ଲାଗୁ କରି ଜମିଦାରିରୁ ଉଚ୍ଛେଦ କରିଥିଲେ । 
•    ଅପ୍ରେଲ ୨୦,୧୮୬୬ରେ କେମଣା ଫାଣ୍ଡି ନିକଟରେ ଜଣେ ଭୋକିଲାଟିଏ ମଣିଷ ମାଂସ ଖାଉଥିବାର ଦେଖି ଭୋକିଲା ଲୋକର ଖାଇବା କଥା ବୁଝିବା ବଦଳରେ ଡାକ୍ତରି ପରୀକ୍ଷାପାଇଁ ସେ ବାଲେଶ୍ୱର କଲେକ୍ଟରଙ୍କୁ ଚିଠି ଲେଖି ଜଣାଇଥିଲେ । 
•    ବାଲେଶ୍ୱରରେ ଅନ୍ନଛତ୍ର ଦେଖୁଥିବାବେଳେ ଲୋକଙ୍କ ଭିଡରେ ସେ ତଳେ ପଡିବା ପରେ ବି ବାସ୍ତବ ସ୍ଥିତିକୁ ଗୁରୁତ୍ୱ ନ ଦେଇ ପୁଣି ମାସକପାଇଁ ଶିମିଳିପାଳ ବୁଲିବାକୁ ଚାଲିଗଲେ । 
•    ମେ ୨୫ ତାରିଖରେ ରେଭେନ୍ସା ଶିମିଳିପାଳ ଜଙ୍ଗଲରୁ ବାଘଶିକାର ସାରି ଫେରିବା ପରେ କଟକରେ ଚାଉଳ ଅଭାବ ଯୋଗୁଁ ସୈନ୍ୟମାନଙ୍କ ଅସନ୍ତୋଷ ବିଦ୍ରୋହରେ ପରିଣତ ହେଉଥିବାର ଦେଖି ସେ ବାଧ୍ୟ ହୋଇ ଏକଲକ୍ଷ ଟଙ୍କାର ଚାଉଳ ପଠାଇବାକୁ କଲିକତାକୁ ଚିଠି ଲେଖିଲେ । ଆଶ୍ଚର୍ଯ୍ୟର କଥା, ଚିଠି ମିଳିବା ଦିନ ହିଁ ଚାଉଳ କିଣିବାକୁ ଛୋଟଲାଟ ଆଦେଶ ଦେଲେ । ଏହି ଘଟଣା ପ୍ରମାଣ କରେ, କଲିକତାର ବଙ୍ଗାଳି କିରାଣି ଓଡିଶାକୁ ଚାଉଳ ରପ୍ତାନୀର ବାଧକ ନ ଥିଲେ, ଥିଲେ ନିଜେ ରେଭେନ୍ସା । ସେ ବାରମ୍ବାର ଚିଠି ଲେଖି ଓଡିଶାରେ ପ୍ରଚୁର ଚାଉଳ ଅଛି ବୋଲି କଲିକତା ଅଫିସକୁ ଜଣାଉଥିଲେ । ଓଡିଶାବାସୀଙ୍କ ଦୁର୍ଦ୍ଦଶା ବିଷୟରେ ତାଙ୍କର ସିରସ୍ତାଦାର ବିଚିତ୍ରାନନ୍ଦ ଦାସ ଓ ପୁରୀ କଲେକ୍ଟର ବାର୍ଲୋ ବାରମ୍ବାର ସୂଚାଉଥିଲେ ମଧ୍ୟ ସେ ନିଜର ପୂର୍ବ ନିର୍ଦ୍ଧାରିତ ନିଷ୍ପତ୍ତିକୁ ବଦଳାଉ ନ ଥିଲେ । କାରଣ ସେ ଓଡିଶାକୁ ପ୍ରଶାସକ ଭାବରେ ନୁହେଁ, ସ୍ୱାଭିମାନୀ ବିଦ୍ରୋହୀ ଓଡିଆ ଜାତିର ଅସ୍ତିତ୍ୱ ବିଲୋପପାଇଁ ଆସିଥିଲେ ।
•    ଦୁର୍ଭିକ୍ଷ ପରେ  ଆର୍ଥିକ ମେରୁଦଣ୍ଡ ଭାଙ୍ଗିଯାଇଥିବା ବଳକା ଓଡିଆଙ୍କ ଉପରେ ଜଳକର, ପଥକର ଓ ଘରକର ଲଗାଇ ଆହୁରି ଆର୍ଥିକ ଶୋଷଣ କରିଥିଲେ । 

ଜଣେ ନୀତିହୀନ, ହିଂସ୍ରୁକ ଓ ନିର୍ଦ୍ଦୟ ଶାସକ ଭାବରେ ରେଭେନ୍ସାଙ୍କ କ୍ରୁରତା ଯୋଗୁଁ ହା-ଅନ୍ନର ଚିତ୍କାର ଭିତରେ ଭାତ ମୁଠାଏପାଇଁ ଗୋଟିଏ ସମୃଦ୍ଧ ଜାତିର ୩୦ଲକ୍ଷ ମୂଲ୍ୟବାନ ଜୀବନ ମାତ୍ର ଆଠ ମାସ ଭିତରେ ଧ୍ୱଂସ ପାଇଗଲା । ଏଥିସହିତ ଆମର ଶିକ୍ଷା, ସ୍ୱାଭିମାନ, ସଂସ୍କୃତି ଓ ଆର୍ଥିକ ଅବସ୍ଥା ଭୂଲୁଣ୍ଠିତ ହେଲା ।
ଶିକ୍ଷା, ଶିକ୍ଷକ, ଶିକ୍ଷାନୁଷ୍ଠାନ ହେଉଛି ଗୋଟିଏ ଜାତିର ମେରୁଦଣ୍ଡ । ଓଡିଶାର ପୁଷ୍ପଗିରି, ସୁରଭଗିରି, ପରିମଳଗିରି ଆଦି ପ୍ରାଚୀନ ବିଶ୍ୱବିଦ୍ୟାଳୟ କେବଳ ଓଡିଶାର ଶିକ୍ଷାବ୍ୟବସ୍ଥାକୁ ସୁଦୃଢ କରିବା ସହିତ ଏହା ବିଦେଶୀ ଶିକ୍ଷାର୍ଥୀଙ୍କୁ ଆକର୍ଷିତ କରି ବିଶ୍ୱବିଦ୍ୟାଳୟର ମର୍ଯ୍ୟାଦା ରକ୍ଷା କରି ଓଡିଶାର ଗୌରବ ବୃଦ୍ଧି କରୁଥିଲା । ଆଧୁନିକ ଶିକ୍ଷାର ଏନ୍ତୁଡିଶାଳ ଥିବା କଟକ କଲେଜ (ଯାହାକୁ ଚକ୍ରାନ୍ତ କରି ୧୮୮୦ରେ ରେଭେନ୍ସା କଲେଜ ଓ ୨୦୦୬ରେ ରେଭେନ୍ସା ବିଶ୍ୱବିଦ୍ୟାଳୟ ନାମକରଣ କରାଯାଇଛି) ଆଧୁନିକ ଓଡିଶା ଗଠନର ଗର୍ବ ଓ ଗୌରବ । ଯେଉଁ କଲେଜର ବିଦ୍ୟାର୍ଥୀ ଦିନେ ବ୍ରିଟିଶ ଗୋଲାମିତ୍ୱକୁ ଅସ୍ୱୀକାର କରି ୟୁନିୟନ ଜ୍ୟାକ ପତାକାକୁ ତଳକୁ ଫିଙ୍ଗି ସ୍ୱାଧୀନତାର ମହାମନ୍ତ୍ର ନାଦ କରିଥିଲେ, ଏବେ ସମୟ ଆସିଛି, କେବଳ ସେହି କଲେଜ ନୁହେଁ, ସମଗ୍ର ଓଡିଶାର ବିଦ୍ୟାର୍ଥୀ ବ୍ରିଟିଶ ମାନସିକତାକୁ ଓଡିଶାରୁ ବିଲୋପକରି ଓଡି ଅସ୍ମିତାର ଧ୍ୱଜା ଧାରଣ କରିବା । 
ଏବେ ଆମକୁ ପୁଣି ଥରେ ସେହି ଇତିହାସ ନିକଟକୁ ଫେରିଯିବାର ଅଛି । “ତୋଷାମଦିଆର କୁକୁର ପ୍ରକୃତି ଅଇଁଠା ପତରେ ଧ୍ୟାନ” - ମଧୁବାବୁଙ୍କର ଏହି କଥାକୁ ସ୍ମରଣ କରି ସ୍ୱାଭିମାନୀ ଓଡିଆ ଭାବରେ ପ୍ରଥମେ ଓଡିଆ ଜାତିର ହତ୍ୟାକାରୀ ରେଭେନ୍ସାର ନାମ ଓଡିଶାର ସମସ୍ତ ଶିକ୍ଷାନୁଷ୍ଠାନରୁ ବିଲୋପ କରି ପୂର୍ବ ନାମକରଣ ସ୍ଥାପନ ପ୍ରକ୍ରିୟାରେ ନିଜକୁ ସାମିଲ କରିବା ସହିତ ଓଡିଶାପାଇଁ ଓଡିଆ ନ୍ୟାୟରେ ଓଡିଶାର ଶିକ୍ଷାବ୍ୟବସ୍ଥାକୁ ଆହୁରି ଶକ୍ତିଶାଳୀ କରିବା ।

  
ଡକ୍ଟର ସୁବ୍ରତ କୁମାର ପୃଷ୍ଟି 
ଓଡିଆ ଭାଷା ସାହିତ୍ୟର ଗବେଷକ ତଥା 
ରେଭେନ୍ସା କଲେଜର ପୁରାତନ ଛାତ୍ର           
ଦୂରଭାଷା: ୭୯୭୮୪୩୨୪୦୪