ସୁପ୍ରିମକୋର୍ଟରେ ବିହାର ଏସଆଇଆର : ବାଦ ପଡ଼ିଥିବା ୬୫ ଲକ୍ଷ ଭୋଟରଙ୍କ ବିବରଣୀ ଦିଅ
ନୂଆଦିଲ୍ଲୀ : ବିହାର ଭୋଟର ତାଲିକା ସଂଶୋଧନ ମାମଲାରେ ଆଜି କଡା ଆଭିମୁଖ୍ୟ ଗ୍ରହଣ କରିଛନ୍ତି ସୁପ୍ରିମକୋର୍ଟ । ଆଜି କୋର୍ଟ ନିର୍ବାଚନ ଆୟୋଗକୁ ଆସନ୍ତା ୯ ତାରିଖ ସୁଦ୍ଧା ବିହାରରେ ଡ୍ରାଫ୍ଟ ଭୋଟର ତାଲିକାରୁ ବାଦ ପଡ଼ିଥିବା ପ୍ରାୟ ୬୫ ଲକ୍ଷ ଭୋଟରଙ୍କ ବିବରଣୀ ପ୍ରଦାନ କରିବାକୁ ନିଦେ୍ର୍ଦଶ ଦେଇଛନ୍ତି । ବିଚାରପତି ସୂର୍ଯ୍ୟକାନ୍ତ, ଉଜ୍ଜଲ ଭୂୟାଁ ଏବଂ ଏନ କୋଟିଶ୍ୱର ସିଂହଙ୍କୁ ନେଇ ଗଠିତ ଖଣ୍ଡପୀଠ ନିର୍ବାଚନ ପ୍ୟାନେଲର ଓକିଲଙ୍କୁ ଡିଲିଟ ହୋଇଥିବା ଭୋଟରଙ୍କ ବିବରଣୀ ପ୍ରଦାନ କରିବାକୁ କହିଛନ୍ତି । ଯାହା ପୂର୍ବରୁ ରାଜନୈତିକ ଦଳଗୁଡ଼ିକ ସହିତ ସେୟାର କରାଯାଇଛି ଏବଂ ଏହାର ଏକ କପି ଏନଜିଓ, ଆସୋସିଏସନ ଫର୍ ଡେମୋକ୍ରାଟିକ୍ ରିଫର୍ମସକୁ ଦେବାକୁ କହିଛନ୍ତି ।
ବିହାରରେ ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ (ଏସଆଇଆର) ପାଇଁ ନିର୍ବାଚନ କମିଶନଙ୍କ ନିଦେ୍ର୍ଦଶକୁ ଚ୍ୟାଲେଞ୍ଜ କରିଥିବା ଏନଜିଓ ଏକ ନୂତନ ଆବେଦନ ଦାଖଲ କରି ନିର୍ବାଚନ ପ୍ୟାନେଲକୁ ପ୍ରାୟ ୬୫ ଲକ୍ଷ ଡିଲିଟ ହୋଇଥିବା ଭୋଟରଙ୍କ ନାମ ପ୍ରକାଶ କରିବାକୁ ନିଦେ୍ର୍ଦଶ ଦେବାକୁ ଅନୁରୋଧ କରିଛି । କଣ ପାଇଁ ଏତେ ସଂଖ୍ୟକ ଭୋଟରଙ୍କ ନାଁ କଟିଲା? କଣ ସେମାନେ ମୃତ, ନା ସ୍ଥାୟୀ ଭାବରେ ସ୍ଥାନାନ୍ତରିତ କିମ୍ବା ଅନ୍ୟ କୌଣସି କାରଣରୁ ବିଚାରକୁ ନିଆଯାଉନାହିଁ ତାହାର ବିବରଣୀ ଚାହିଁଛନ୍ତି । ଖଣ୍ଡପୀଠ ଏନଜିଓ ପକ୍ଷରୁ ଉପସ୍ଥିତ ଓକିଲ ପ୍ରଶାନ୍ତ ଭୂଷଣଙ୍କୁ କହିଛନ୍ତି ଯେ ଡିଲିଟ ହେବାର କାରଣ ପରବର୍ତ୍ତୀ ସମୟରେ ଆସିବ କାରଣ ଏହା ବର୍ତ୍ତମାନ କେବଳ ଏକ ଡ୍ରାଫ୍ଟ ତାଲିକା । ତଥାପି, ଭୂଷଣ ଯୁକ୍ତି କରିଛନ୍ତି ଯେ କିଛି ରାଜନୈତିକ ଦଳକୁ ଡିଲିଟ ହୋଇଥିବା ଭୋଟରଙ୍କ ଏକ ତାଲିକା ଦିଆଯାଇଛି କିନ୍ତୁ ସେମାନେ ଉକ୍ତ ଭୋଟର ମୃତ କିମ୍ବା ସ୍ଥାନାନ୍ତରିତ କି ନାହିଁ ତାହା ସ୍ପଷ୍ଟ କରିନାହାଁନ୍ତି । ଖଣ୍ଡପୀଠ ନିର୍ବାଚନ କମିଶନଙ୍କ ଓକିଲଙ୍କୁ କହିଛନ୍ତି, "ଆମେ ପ୍ରତ୍ୟେକ ଭୋଟର ପ୍ରଭାବିତ ହେବାର ସମ୍ଭାବନା ଦେଖିବୁ ଏବଂ ଆବଶ୍ୟକୀୟ ସୂଚନା ପାଇବୁ । ଆପଣ (ଇସିଆଇ) ଶନିବାର ସୁଦ୍ଧା ଏକ ଉତ୍ତର ଦାଖଲ କରନ୍ତୁ ଏବଂ ଶ୍ରୀ ଭୂଷଣଙ୍କୁ ଏହାକୁ ଦେଖିବାକୁ ଦିଅନ୍ତୁ ଏବଂ ତା'ପରେ ଆମେ ଦେଖିପାରିବୁ କ'ଣ ପ୍ରକାଶିତ ହୋଇଛି ଏବଂ କ'ଣ ପ୍ରକାଶିତ ହୋଇନାହିଁ । ନିର୍ବାଚନ କମିଶନକୁ ଆଇନ ଅନୁଯାୟୀ କାର୍ଯ୍ୟ କରିବାକୁ ଏକ ସାମ୍ବିଧାନିକ କର୍ତ୍ତୃପକ୍ଷ ବୋଲି ଅଭିହିତ କରି ସୁପ୍ରିମକୋର୍ଟ ଜୁଲାଇ ୨୯ ରେ କହିଥିଲେ ଯେ ବିହାରରେ ଭୋଟର ତାଲିକାର ଏସଆଇଆରରେ "ସାମୂହିକ ବାଦ’ ପଡ଼ିଲେ ଆମେ ତୁରନ୍ତ ହସ୍ତକ୍ଷେପ କରିବୁ ବୋଲି କହିଥିଲେ ।