ସ୍ବାମୀ ଲକ୍ଷ୍ମଣାନନ୍ଦ ସରସ୍ବତୀଙ୍କ ହତ୍ୟା ଘଟଣା :ସାର୍ବଜନୀନ ହେବ ରିପୋର୍ଟ

ସ୍ବାମୀ ଲକ୍ଷ୍ମଣାନନ୍ଦ ସରସ୍ବତୀଙ୍କ ହତ୍ୟା ଘଟଣା :ସାର୍ବଜନୀନ ହେବ ରିପୋର୍ଟ

ଭୁବନେଶ୍ୱର: ସ୍ବାମୀ ଲକ୍ଷ୍ମଣାନନ୍ଦ ସରସ୍ବତୀଙ୍କ ହତ୍ୟା ଘଟଣାର ତଦନ୍ତ କମିଶନ ରିପୋର୍ଟକୁ ରାଜ୍ୟ ସରକାର ସାର୍ବଜନୀନ କରିବେ। ମୁଖ୍ୟମନ୍ତ୍ରୀଙ୍କ ସହ ଏ ନେଇ ଆଲୋଚନା ହୋଇଛି। ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ସୋମବାର ଗଣମାଧ୍ୟମକୁ ଏଭଳି ସୂଚନା ଦେଇଛନ୍ତି। ମନ୍ତ୍ରୀ କହିଛନ୍ତି, ଯେଉଁ କଥା ଆମେ ବିଗତ ଦିନରେ କହିଥିଲୁ, ଏବେ ଶୀଘ୍ର ଆଲୋଚନା କରାଯାଇ କମିଶନ ରିପୋର୍ଟ ଓ ଅନ୍ୟାନ୍ୟ ଦିଗ ସମ୍ପର୍କରେ ନିଷ୍ପତ୍ତି ନିଆଯିବ। ଏଠାରେ ସୂଚନାଯୋଗ୍ୟ, ୨୦୦୮ ଅଗଷ୍ଟ ୨୩ ତାରିଖରେ କନ୍ଧମାଳର ଜଲେଶପଟ୍ଟା ଆଶ୍ରମରେ ସ୍ବାମୀ ଲକ୍ଷ୍ମଣାନନ୍ଦ ସରସ୍ବତୀଙ୍କୁ ଦୁର୍ବୃତ୍ତ ଗୁଳି କରି ହତ୍ୟା କରିଥିଲେ। ଏହି ଘଟଣା ପରେ କନ୍ଧମାଳରେ ଦଙ୍ଗା ସୃ୍‌ଷ୍ଟି ହୋଇଥିଲା। ପ୍ରଥମେ ରାଜ୍ୟ କ୍ରାଇମ୍‌ବ୍ରାଞ୍ଚ ଏହି ଘଟଣାର ତଦନ୍ତ କରିଥିଲା। ପରେ ସରକାର ସ୍ବାମୀ ଲକ୍ଷ୍ମଣାନନ୍ଦଙ୍କ ହତ୍ୟା ଓ କନ୍ଧମାଳ ଦଙ୍ଗା ମାମଲାର ବିଚାର ବିଭାଗୀୟ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ। ଜଷ୍ଟିସ ଶରତ ଚନ୍ଦ୍ର ମହାପାତ୍ର ଓ ପରେ ଜଷ୍ଟିସ ଏ.ଏସ୍‌. ନାଇଡୁଙ୍କ ଜଣିକିଆ କମିଶନ ନିଜର ତଦନ୍ତ ରିପୋର୍ଟକୁ ୨୦୧୫ ଡିସେମ୍ବରରେ ରାଜ୍ୟ ସରକାରଙ୍କୁ ପ୍ରଦାନ କରିଥିଲେ। ଏ ପର୍ଯ୍ୟନ୍ତ ତଦନ୍ତ କମିଶନଙ୍କ ରିପୋର୍ଟ ସାର୍ବଜନୀନ ହୋଇ ନାହିଁ। ହତ୍ୟାକାଣ୍ଡ ସମୟରେ ରାଜ୍ୟରେ ବିଜେଡି-ଭାଜପା ମିଳିତ ମେଣ୍ଟ ସରକାର ଥିଲା। ୨୦୦୯ରେ ଏହି ମେଣ୍ଟ ଭାଙ୍ଗି ଯାଇଥିଲା। ଭାଜପା କ୍ଷମତାକୁ ଆସିବା ପରେ ଏହି ରିପୋର୍ଟ ସାର୍ବଜନୀନ କରିବାକୁ ଆଇନମନ୍ତ୍ରୀ ସୂଚନା ଦେଇଛନ୍ତି।