୧୯୮୪ ଶିଖ୍ ବିରୋଧୀ ଦଙ୍ଗା ମାମଲା : ‘ମାମଲାରେ ଦୋଷମୁକ୍ତ ବ୍ୟକ୍ତିଙ୍କ ଚିହ୍ନବର୍ଣ୍ଣ ନାହିଁ’

୧୯୮୪ ଶିଖ୍ ବିରୋଧି ଦଙ୍ଗା ମାମଲାର ବିଚାର କରି ଦିଲ୍ଲୀ ପୁଲିସକୁ କଡ଼ା ଭର୍ତ୍ସନା କରିଛନ୍ତି ସୁପ୍ରିମକୋର୍ଟ । ଏ ମାମଲାରେ ଦୋଷମୁକ୍ତ ହୋଇଥିବା ବ୍ୟକ୍ତି ବିଶେଷଙ୍କ ନାଁରେ କୌଣସି ଆବେଦନ ପତ୍ର ସଂଯୋଗ ହୋଇନଥିବାରୁ ପୁଲିସ୍ ଉପରେ ବିରକ୍ତିଭାବ ପ୍ରକାଶ କରିଥିଲେ ସର୍ବୋଚ୍ଚ ଅଦାଲତ । ବିଚାରପତି ଅଭୟ ଏସ୍ ଓକା ଓ ଉଜ୍ଜ୍ୱଳ ଭୂୟାଁଙ୍କୁ ନେଇ ଗଠିତ ଖଣ୍ଡପୀଠ ସଲିସିଟର୍ ଜେନେରାଲ ଐଶର୍ଯ୍ୟା ଭାଟ୍ଟିଆଙ୍କୁ ପ୍ରଶ୍ନ କରିଥିଲେ ଯେ, ଦଙ୍ଗା ମାମଲାକୁ ନେଇ ଦିଲ୍ଲୀ ପୁଲିସ୍ ଉପସ୍ଥାପନ କରିଥିବା ଚାର୍ଜସିଟ୍ରେ ଦୋଷମୁକ୍ତ ବ୍ୟକ୍ତିଙ୍କ ସମ୍ବନ୍ଧରେ କାହିଁକି କୌଣସି ତଥ୍ୟ ନାହିଁ । ଯଦି ଦୋଷମୁକ୍ତ ବ୍ୟକ୍ତିମାନେ ସ୍ୱତନ୍ତ୍ର ଛୁଟି ଆବେଦନ କରିଛନ୍ତି, ତେବେ ଏହି ଚାର୍ଜସିଟ କାହିଁକି ସେ ସମ୍ବନ୍ଧିତ ଆବେଦନ ସଂଯୋଗ କରାଯାଇ ନାହିଁ ବୋଲି ପ୍ରଶ୍ନ କରିବା ସହ ଦିଲ୍ଲୀ ପୁଲିସ୍ ତଦନ୍ତ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଥିଲେ । ଏହି ମାମଲା ଉପରେ ଗଠିତ ଖଣ୍ଡପୀଠ ବିରକ୍ତିଭାବ ପ୍ରକାଶ କରିବା ସହିତ କହିଥିଲେ ଯେ, ଦିଲ୍ଲୀ ହାଇକୋର୍ଟରୁ ପାସ୍ ହୋଇଥିବା ଏହିଭଳି ମାମଲା ଗୁଡ଼ିକ ଅସମ୍ପୂର୍ଣ୍ଣ ଭାବେ ସୁପ୍ରିମକୋର୍ଟରେ ଉପସ୍ଥାପନା କରିବା କଦାଚିତ୍ ଗ୍ରହଣୀୟ ନୁହେଁ । ଏହିଭଳି ଅସମ୍ପୂର୍ଣ୍ଣ ମାମଲା ପରିଚାଳନା ପାଇଁ କେହି ବରିଷ୍ଠ ଓକିଲ ଅଛନ୍ତି କି ବୋଲି ପାଲଟା ପ୍ରଶ୍ନ କରିଥିଲେ ସୁପ୍ରିମକୋର୍ଟ । କେବଳ ମାମଲା ଉପସ୍ଥାପନା କରିଦେଲେ ହବନି, ଏ ସମ୍ବନ୍ଧିତ ସମସ୍ତ ତଥ୍ୟ ଉପସ୍ଥାପନା କରିବା ଜରୁରୀ । ଆବେଦନକାରୀ ଏସ୍ ଗୁରଲାଦ ସିଂହ କାହଲୋନଙ୍କ ପ୍ରତିନିଧିତ୍ୱ କରୁଥିବା ବରିଷ୍ଠ ଓକିଲ ଏଚ୍ ଏସ୍ ଫୁଲକା ଦର୍ଶାଇଥିଲେ ଯେ ପୁଲିସ ଦ୍ୱାରା ଦାଖଲ କରାଯାଇଥିବା ଆବେଦନ କେବଳ ଔପଚାରିକତା ଥିଲା । ଅସମ୍ପୂର୍ଣ୍ଣ ଚାର୍ଜସିଟ୍ ପାଇଁ ସୁପ୍ରିମକୋର୍ଟ ଏହି ମାମଲାର ଶୁଣାଣିକୁ ଆସନ୍ତା ଫେବ୍ରୁଆରୀ ୧୭କୁ ଘୁଞ୍ଚାଇଛନ୍ତି ।
ନାନାବଟୀ କମିଶନ୍ ରିପୋର୍ଟ ଅନୁସାରେ ଏହି ଶିଖ୍ ବିରୋଧୀ ଦଙ୍ଗା ମାମଲାରେ ଦିଲ୍ଲୀର ସମ୍ପୃକ୍ତି ନେଇ ଦିଲ୍ଲୀରେ ୫୮୭ ଏଫ୍ଆଇଆର୍ ରୁଜୁ କରାଯାଇଛି । ପ୍ରତ୍ୟେକ୍ଷଦର୍ଶୀଙ୍କ କହିବା ଅନୁସାରେ ୧୯୮୪ରେ ଦିଲ୍ଲୀରେ ଘଟିଥିବା ଏହି ଦଙ୍ଗାରେ ୨୭୩୩ ଲୋକଙ୍କ ମୃତୁ୍ୟ ହୋଇଛି । ଅପରପକ୍ଷେ ୨୦୨୩ରେ ଏହିମାମଲାକୁ ଗୁରୁତର ସହ ଗ୍ରହଣ କରି କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ସିବିଆଇ କଂଗ୍ରେସ ନେତା ଜଗଦିଶ ଟାଏଲର୍ଙ୍କ ବିରୋଧରେ ହତ୍ୟା ମାମଲା ରୁଜୁ କରିଥିଲା ।