ବିଧାନସଭା ବନ୍ଦକୁ ନେଇ ରାଗିଗଲେ ତାରା
Tara Bahinipati

ଭୁବନେଶ୍ୱର : ବିଧାନସଭା ବନ୍ଦକୁ ନେଇ ରାଗି ଯାଇଛନ୍ତି କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି । ପୂର୍ବରୁ ଗୃହରେ ହଟ୍ଟଗୋଳ ହେଲେ କିଛି ସମୟ ପାଇଁ ଗୃହକୁ ମୁଲତବୀ ରଖାଯାଏ । ଦରକାର ପଡ଼ିଲେ ସର୍ବଦଳୀୟ ବୈଠକ ବି ଡକାଯାଏ । କିନ୍ତୁ ଏବେ ସିଧାସଳଖ ଅପରାହ୍ନ ୪ଟା ପର୍ଯ୍ୟନ୍ତ ମୁଲତବୀ ରହୁଥିବାରୁ ତାରା କ୍ଷୋଭ ପ୍ରକାଶ କରିଛନ୍ତି । ଗୃହରେ ଏଭଳି ପରମ୍ପରା ସୃଷ୍ଟିନହେଉ ବୋଲି ତାରା କହିଛନ୍ତି । ଏପରିକି ଅନେକ ମନ୍ତ୍ରୀଙ୍କ ଆଗରେ ତାରା ଏସଂକ୍ରାନ୍ତରେ ଅସେନ୍ତାଷ ପ୍ରକାଶ କରିଛନ୍ତି ।
ତାରା କହିଛନ୍ତିଯେ, ଗୃହରେ ହଙ୍ଗାମା କି ହଟ୍ଟଗୋଳ ନୂଆ କଥା ନୁହେଁ । ବିରୋଧୀ ତାଙ୍କ ପ୍ରସଙ୍ଗକୁ ଦୃଢ଼ କରିବା ପାଇଁ ହଟ୍ଟଗୋଳ କରିଥା’ନ୍ତି । ଯେଉଁ ପ୍ରସଙ୍ଗରେ ବିରୋଧୀ ତୁମୁଳ ହଟ୍ଟଗୋଳ କରେ ସରକାର ସେହିସବୁ ପ୍ରସଙ୍ଗ ଉପରେ ଗୁରୁତ୍ୱ ଦେଇ ତୁରନ୍ତ ପଦକ୍ଷେପ ନେଇଥା’ନ୍ତି । ତେବେ ଗୃହରେ ହଟ୍ଟଗୋଳ ହେଲେ କିଛି ସମୟ ମୁଲତବୀ ରହିବା ସହ ପରେ ଆଲୋଚନା କରାଯାଇଥାଏ । କିନ୍ତୁୁ ଏବେ ସିଧାସଳଖ ଅପରାହ୍ନ ୪ଟା ପର୍ଯ୍ୟନ୍ତ ଗୃହ ବନ୍ଦ ହେଉଥିବାରୁ ଆଲୋଚନା ହୋଇପାରୁନାହିଁ । ପ୍ରାୟତଃ ପ୍ରତିଦିନ ଏମିତି ହେଉଛି । ତାରାଙ୍କ ଉଦବେଗକୁ ନେଇ ସରକାର ବି ଆଭିମୁଖ୍ୟ ପରିବର୍ତନ କରିଛନ୍ତି । ଆଗାମୀ ଦିନରେ ଗୃହ କାର୍ଯ୍ୟ ଆଉ ସିଧାସଳଖ ଅପରାହ୍ନ ୪ଟା ପର୍ଯ୍ୟନ୍ତ ମୁଲତବୀ ହେବନାହିଁ ବୋଲି ଜାଣିବାକୁ ମିଳିଛି ।