ରଣବୀର ଆହ୍ଲାବାଦିଆଙ୍କୁ ଧମକ ଦେଲେ WWE ରେସଲର୍

ରଣବୀର ଆହ୍ଲାବାଦିଆଙ୍କୁ ଧମକ ଦେଲେ WWE ରେସଲର୍

ପ୍ରସିଦ୍ଧ ୟୁଟ୍ୟୁବର୍ ତଥା ସୋସିଆଲ୍ ମିଡିଆ ଇନଫ୍ଲ୍ୟୁଏନ୍ସର୍ ରଣବୀର ଆହ୍ଲାବାଦିଆଙ୍କ ପିଛା ଛାଡୁନି ବିବାଦ । ଏକଦା ନିଜ ସୋସିଆଲ୍ ମିଡିଆ ପ୍ଲାଟଫର୍ମରେ ଆଧ୍ୟାତ୍ମିକ ଜ୍ଞାନ , ଯୋଗ , ମୋଟିଭେସନ୍ ଏବଂ ପ୍ରସିଦ୍ଧ ବ୍ୟକ୍ତିତ୍ବଙ୍କୁ ସାକ୍ଷାତକାର କରି ପ୍ରଶଂସା ସାଉଁଟୁଥିବା ରଣବୀର ବର୍ତ୍ତମାନ ଇଣ୍ଡିଆଜ୍ ଗଟ୍ ଲେଟେଣ୍ଟରେ କହିଥିବା ନିଜ ଟିପ୍ପଣୀକୁ ନେଇ ବିବାଦ ଜାଲରେ ଫସିଛନ୍ତି । ସମୟ ରୈନାଙ୍କ ଶୋ’ ଇଣ୍ଡିଆଜ୍ ଗଟ୍ ଲେଟେଣ୍ଟରେ ମାତା,ପିତାଙ୍କୁ ନେଇ କହିଥିବା ଆପତ୍ତିଜନକ ଟିପ୍ପଣୀ ପରେ ବିବାଦ ଲଗାତାର ବଢିବାରେ ଲାଗିଛି ।

ରଣବୀରଙ୍କ ବିରୁଦ୍ଧରେ ଗୋଟିଏ ପରେ ଗୋଟିଏ ଏଫଆଇଆର୍ ରିପୋର୍ଟ କରାଯାଉଛି । କଳାକାରଙ୍କଠାରୁ ଆରମ୍ଭ କରି ରାଜନେତା , ଧର୍ମଗୁରୁ ପର୍ଯ୍ୟନ୍ତ ସମସ୍ତେ ଆହ୍ଲାବାଦିଆଙ୍କ ଟିପ୍ପଣୀକୁ ନେଇ ଛି ଛି କରୁଛନ୍ତି । ତେବେ ଏହାରି ଭିତରେ ରଣବୀରଙ୍କୁ WWE ର ଜଣେ ରେସଲର୍ ଧମକ ଦେଇଛନ୍ତି । ରେସଲର୍ ସୌରଭ ଗୁଜ୍ଜର ଖୋଲାଖୋଲି ଭାବେ ଚ୍ୟାଲେଞ୍ଜ କରି କହିଛନ୍ତି ଯେ , ଯଦି ରଣବୀରଙ୍କ ସହ ତାଙ୍କର ସାମ୍ନାସାମ୍ନି ହୁଏ ତେବେ ସିକ୍ୟୁରିଟି ତ ଦୂରର କଥା ତାଙ୍କୁ ଦୁନିଆର କୌଣସି ଶକ୍ତି ବଞ୍ଚାଇପାରିବ ନାହିଁ । ସାଙ୍ଗା ନାମରେ ପରିଚିତ ସୌରଭ ଗୁଜ୍ଜର ନିଜ ଏକ୍ସ ଆକାଉଣ୍ଟରେ ଏକ ଭିଡିଓ ସେୟାର୍ କରି କହିଛନ୍ତି , ରଣବୀର ଆହ୍ଲାବାଦିଆ କ୍ଷମାର ପାତ୍ର ନୁହଁନ୍ତି । ଯଦି ଆମେ ଆଜି ତାଙ୍କ ଉପରେ ଆକ୍ସନ୍ ନନେବା ତାହେଲେ କାଲି , ପରଦିନ , ତାପରଦିନ ଏମିତି ଅନେକ ଲୋକ ଫାଲତୁ କମେଣ୍ଟ୍ କରିବାକୁ ଆଗେଇ ଆସିବେ । ଆଗାମୀ ପିଢୀ , ସିଷ୍ଟମ୍ ଏବଂ ଧର୍ମକୁ ବଞ୍ଚାଇବାକୁ ହେଲେ ଏଭଳି ଲୋକଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ହେବା ନିହାତି ଦରକାର । ଯାହାଦ୍ବାରା ଏଭଳି ଟିପ୍ପଣୀ କରିବା ପୂର୍ବରୁ ଲୋକ ୧୦ ଥର ଭାବିବେ । 

ଭିଡିଓରେ ସୌରଭ କହିଛନ୍ତି , ହାତ ଯୋଡ଼ି କହୁଛି ମହାରାଷ୍ଟ୍ର ଏବଂ କେନ୍ଦ୍ର ସରକାରଙ୍କୁ ନିବେଦନ କରୁଛି ଏହି ଘଟଣା ଉପରେ କାର୍ଯ୍ୟାନୁଷ୍ଠାନ ନେବାର ସମୟ ଆସିଛି । ରଣବୀର ଭଳି ଲୋକ ବାପା-ମା’ଙ୍କୁ ନେଇ ଯଦି ଏତେ ଖରାପ ଟିପ୍ପଣୀ ଦେଉଛନ୍ତି , ମୁଁ ତ ଆଶ୍ଚର୍ଯ୍ୟ ହେଉଛି ଏଭଳି ଲଜ୍ଜାହୀନ ମଣିଷ କେମିତି ନିଜ ବାପାମା’ଙ୍କ ସହ ଆଖି ମିଳାଉଥିବେ । ମତେ ରଣବୀରଙ୍କ ଟିପ୍ପଣୀ ଏତେ ଖରାପ ଲାଗିଛି ଯେ ଯଦି ସେ ମୋ ସାମ୍ନାକୁ ଆସିବେ ସିକ୍ୟୁରିଟି ତ ଦୂରର କଥା ଦୁନିଆର କୌଣସି ଶକ୍ତି ମୋ ଠାରୁ ତାଙ୍କୁ ବଞ୍ଚାଇ ପାରିବନାହିଁ ।