ଜୟନାରାୟଣଙ୍କ ବିବୃତିକୁ ବାଦ ଦିଆଯାଉ: ପ୍ରମିଳା ମଲ୍ଲିକ

ଜୟନାରାୟଣଙ୍କ ବିବୃତିକୁ ବାଦ ଦିଆଯାଉ: ପ୍ରମିଳା ମଲ୍ଲିକ

ଭୁବନେଶ୍ୱର: ଭି.କେ ପାଣ୍ଡିଆନଙ୍କ ସମ୍ପର୍କରେ ବିଜେପି ବିଧାୟକ ଜୟନାରାୟଣ ମିଶ୍ର ଦେଇଥିବା ବିବୃତିକୁ ବାଦ ଦେବାକୁ ବିଜେଡି ବିଧାୟିକା ତଥା ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ ଦାବି କରିଛନ୍ତି ।   ଶ୍ରୀମତୀ ମଲ୍ଲିକ କହିଛନ୍ତି ଯେ ବିଜେପିର ବରିଷ୍ଠ ସଦସ୍ୟ ଗୃହରେ ମନଗଢ଼ା କାହାଣୀ କହୁଛନ୍ତି । ଗୃହର ସଦସ୍ୟ ନଥିବା ଲୋକଙ୍କ ନାମକୁ ବିବରଣୀରୁ ବାଦ ଦିଆଯାଉ ବୋଲି ଶ୍ରୀମତୀ ମଲ୍ଲିକ ଦାବି କରିଛନ୍ତି । 

ପ୍ରକାଶ ଯେ ବିଜେପି ବିଧାୟକ ଜୟନାରାୟଣ ମିଶ୍ର ଶନିବାର ବିଧାନସଭାରେ ଏକ ବିସ୍ଫୋରକ ମନ୍ତବ୍ୟ ଦେଇଛନ୍ତି । ପଏଣ୍ଟ ଅଫ ଅର୍ଡର ଉଠାଇ ଶ୍ରୀ ମିଶ୍ର ବିରୋଧୀଙ୍କ ଟାର୍ଗେଟ କରିଛନ୍ତି ।  ଶ୍ରୀ ମିଶ୍ର କହିଛନ୍ତି ଯେ ଚାଷୀ ପ୍ରସଙ୍ଗରେ ବିରୋଧୀ ମୁଲତବୀ ଆଣିଥିଲେ । ଆମେ ଆଲୋଚନା ଚାହୁଁଥିଲୁ । କିନ୍ତୁ କ’ଣ ପାଇଁ ଗତକାଲି ଠାରୁ ଗୃହକୁ ମୁଲତବୀ କରାଯାଉଛି । ଲବିରେ କିଛି ବିଜେଡି ବିଧାୟକଙ୍କ ସହ ଆଲୋଚନା କରୁଥିଲି । ସେମାନେ ହେଲେ ପାଣ୍ଡିଆନ କହିଲେ ବୋଲି ଆମେ ଏମିତି କଲୁ । ତେଣୁ ଏଗୃହକୁ କ’ଣ ପାଣ୍ଡିଆନ ଚଳାଇବେ କି ବୋଲି ଶ୍ରୀ ମିଶ୍ର ପ୍ରଶ୍ନ କରିଛନ୍ତି । ଦରି ବୁହା, ଟେଣ୍ଟ ବୁହା ଏଠିକି ଆସି ବଡ଼ କଥା କହୁଛନ୍ତି । କିଏ ଗୋଟେ ବାହାର ଲୋକ କହିବେ ଆଉ ଗୃହ ବନ୍ଦ କରିଦିଆଯିବ । ପାଣ୍ଡିଆନଙ୍କ ନମ୍ବର ୱାନ ଚାମଚା ହେବା ପାଇଁ ପ୍ରତିଯୋଗିତା ଚାଲିଛି ବୋଲି ଜୟନାରାୟଣ ମିଶ୍ର କହିଛନ୍ତି ।