୩୫ ବର୍ଷ ପରେ ବିଧାନସଭା ଆସିବେ କି ଭକ୍ତ?
ଭୁବନେଶ୍ୱର: କଳାହାଣ୍ଡି ରାଜନୀତିରେ ଏବେ ବରିଷ୍ଠ କଂଗ୍ରେସ ନେତା ଭକ୍ତ ଚରଣ ଦାସଙ୍କୁ ନେଇ ଚର୍ଚ୍ଚା ଜୋରଧରିଛି । ଦୀର୍ଘଦିନ ପରେ ସେ ସଂସଦ ମୋହ ଛାଡ଼ି ବିଧାନସଭା ଯିବା ପାଇଁ ଅଙ୍କ କଷୁଛନ୍ତି । ଦଳରେ ଏବେବି ତାଙ୍କର ଅଖଣ୍ଡ ପ୍ରଭାବ ରହିଛି । ପ୍ରଚାର କମିଟି ଅଧ୍ୟକ୍ଷ ଥିବା ଭକ୍ତଙ୍କୁ ଦଳ ନର୍ଲାରୁ ପ୍ରାର୍ଥୀ କରିଥିବାବେଳେ ପୁଅ ସାଗର ଚରଣ ଦାସଙ୍କୁ ଭବାନୀପାଟଣା ଟିକେଟ ମିଳିଛି ।
୧୯୮୫ ମସିହାରେ ଜନତା ପାର୍ଟି ଟିକେଟରେ ଭକ୍ତ ବିଧାନସଭାକୁ ନିର୍ବାଚିତ ହୋଇଥିଲେ । ସେତେ ବେଳେ ସେ ଥିଲେ ଭବାନୀପାଟଣା ବିଧାୟକ । କିନ୍ତୁ ପରେ ଭକ୍ତ ଅନେକ ବାର ଲୋକସଭାକୁ ଯିବାରେ ସମର୍ଥ ହୋଇଛନ୍ତି । ଦୀର୍ଘ ସାଢ଼େ ୩ ଦଶନ୍ଧି ପରେ ସେ ବିଧାନସଭାକୁୁ ଯିବାପାଇଁ ସ୍ୱପ୍ନ ଦେଖୁଛନ୍ତି । କଳାହାଣ୍ଡିର ଅନ୍ୟ ନିର୍ବାଚନମଣ୍ଡଳୀ ଅପେକ୍ଷା ଏହାର ରାଜନୀତିକ ଚିତ୍ର ସମ୍ପୂର୍ଣ୍ଣ ଭିନ୍ନ । କଂଗ୍ରେସ ଅପେକ୍ଷା ଏଠାରେ ଅଣକଂଗ୍ରେସ ଦଳଗୁଡ଼ିକ ଅଧିକ ପ୍ରଭାବ ବିସ୍ତାର କରି ଆସୁଛନ୍ତି । ଚଳିତ ଥର କଂଗ୍ରେସ ଟିକେଟରେ ଭକ୍ତ ଲଢୁଥିବାବେଳେ ବିଜେଡ଼ିରୁ ମନୋରମା ମହାନ୍ତି ଓ ବିଜେପିରୁ ଅନିରୁଦ୍ଧ ପ୍ରଧାନ ନିର୍ବାଚନ ଲଢୁଛନ୍ତି । ପୂର୍ବରୁ ଭୂପିନ୍ଦର ସିଂ ନର୍ଲାରୁ ପ୍ରତିନିଧିତ୍ୱ କରୁଥିଲେ । ଏବେ ତାଙ୍କୁ ଦଳ ଟିକେଟ ଦେଇନଥିବାରୁ ସେ ବିଜେଡ଼ି ପାଇଁ କେତେ ଦମରେ କାମ କରିବେ ତାହା ଉପରେ ବି ନଜର ରହିଛି । ବିଜେଡ଼ି ପ୍ରାର୍ଥୀ ମନୋରମା ହେଉଛନ୍ତି ନର୍ଲା ବ୍ଲକ ଅଧ୍ୟକ୍ଷା । ମହିଳା ଚେହେରା ହେବା ସହ ନବୀନ ଓ ଶଙ୍ଖ ଚିହ୍ନ ଉପରେ ହିଁ ସେ ଭରସା ରଖିଛନ୍ତି । ସେହିପରି ତାଙ୍କ ସ୍ୱାମୀ ଦୁର୍ଗ ପ୍ରସାଦ ମହାନ୍ତିଙ୍କର ନର୍ଲାରେ ଭଲ ସଂଗଠନ ରହିଛି । ଗତ ଦୁଇଟି ପଞ୍ଚାୟତ ନିର୍ବାଚନରେ ବ୍ଲକ ଅଧ୍ୟକ୍ଷା ଭାବେ ମନୋରମା ଓ ଉପାଧ୍ୟକ୍ଷ ଭାବେ ଦୁର୍ଗା କାର୍ଯ୍ୟ କରିଆସୁଛନ୍ତି । ଅପରପକ୍ଷରେ ପୂର୍ବତନ ବିଧାୟକ କୁମରମଣି ଶବର ଓ ପୂର୍ବତନ ବିଧାୟକ ଧନେଶ୍ୱର ମାଝୀ ଏବେ ବିଜେଡ଼ିରେ ଅଛନ୍ତି । ତେଣୁ ନବୀନଙ୍କ ଲୋକପ୍ରିୟତା ଓ ରାଜନୀତିକ ଅଙ୍କ ଆଧାରରେ ମନୋରମା ବିଜୟ ପାଇଁ ଅଙ୍କ କଷୁଛନ୍ତି । ଅପରପକ୍ଷରେ ଭକ୍ତ ବି ପଛରେ ନାହାନ୍ତି । ଗତ ପାଞ୍ଚ ଦଶନ୍ଧି ଧରି କଳାହାଣ୍ଡି ରାଜନୀତିରେ ତାଙ୍କର ବେଶ୍ ପ୍ରଭାବ ରହିଛି । ପୂର୍ବରୁ ସାଂସଦ ଥିବାରୁ ନର୍ଲାରେ ବି ତାଙ୍କର ଭଲ ସଂଗଠନ ରହିଥିଲା । ସେହିପରି ନର୍ଲାର ପୂର୍ବତନ ବିଧାୟକ ବଳଭଦ୍ର ମାଝୀ, ଗତଥରର କଂଗ୍ରେସ ପ୍ରାର୍ଥୀ ଚିତ୍ତରଞ୍ଜନ ମଣ୍ଡଳ ବି ତାଙ୍କ ପାଇଁ ଆଗକୁ ବାହାରିଛନ୍ତି । ଏମିତିକି ଅସନ୍ତୁଷ୍ଟ ବିଜେପି ନେତାଙ୍କ ସହ ମଧ୍ୟ ସେ ଯୋଗସୂତ୍ରରେ ରହିଛନ୍ତି । ସେହିପରି ବିଜେପି ପ୍ରାର୍ଥୀ ଅନିରୁଦ୍ଧ ଗତ ନିର୍ବାଚନରେ ୪୪ ହଜାର ଭୋଟ ପାଇଥିଲେ । କଳାହାଣ୍ଡିରେ ବିଜେପିର ଭୋଟ ବଢୁଥିବାରୁ ସେ ଏଥର ନିର୍ବାଚନୀ ବୈତରଣୀ ପାର ହେବେବୋଲି ଆଶା ବାନ୍ଧିଛନ୍ତି । ତ୍ରିମୁଖୀ ପ୍ରତିଦ୍ୱନ୍ଦ୍ୱିତା ମଧ୍ୟରେ ଭକ୍ତ ବିଧାନସଭାକୁ ଆସିବେ କି ନାହିଁ ତାହା ଉପରେ ନଜର ରହିବ ।