ବସ୍ତିରେ ନେତାଙ୍କ ଭାଗ୍ୟ
ଭୁବନେଶ୍ୱର: ରାଜଧାନୀରେ ଅଧିକ ବୁଦ୍ଧିଜୀବୀ ଓ ବ୍ୟବସାୟିକ ବର୍ଗ ରୁହନ୍ତି । ହେଲେ ସେମାନଙ୍କ ମଧ୍ୟରୁ ଅଧିକାଂଶ ଭୋଟ ଦେବାକୁ ଆସନ୍ତି ନାହିଁ । ତେଣୁ ବସ୍ତିବାସିନ୍ଦା ହିଁ ଭୁବନେଶୋରିଆ ନେତାଙ୍କ ଭାଗ୍ୟ ବିଧାତା କହିଲେ ଭୁଲ୍ ହେବନାହିଁ । ଭୁବନେଶ୍ୱର ଉତ୍ତରରେ ସଭିଙ୍କ ନଜର ଥାଏ ସାଲିଆ ସାହି ଉପରେ । କାହିଁକିନା ସାଲିଆ ସାହିରେ ରହିଛନ୍ତି ୩୫ ହଜାର ଭୋଟର । ୫ଟି ୱାର୍ଡର କର୍ପୋରେଟରଙ୍କ ଭାଗ୍ୟ ବି ସେମାନେ ନିର୍ଦ୍ଧାରଣ କରନ୍ତି । ଏହି ଅଞ୍ଚଳରେ ୯୦ ପ୍ରତିଶତରୁ ଉଦ୍ଧ୍ୱର୍ ମତଦାନ ହୋଇଥାଏ । ଯେଉଁଥିପାଇଁ ବିଜେଡ଼ି ପ୍ରାର୍ଥୀ ସୁଶାନ୍ତ ରାଉତ, ବିଜେପି ପ୍ରାର୍ଥୀ ଜଗନ୍ନାଥ ପ୍ରଧାନ ଓ କଂଗ୍ରେସ ପ୍ରାର୍ଥୀ ଅଶୋକ ଦାସ ଘନଘନ ସାଲିଆ ସାହିରେ ପ୍ରଚାର କରିଥିଲେ । ନିଜ ନିଜ କର୍ମୀଙ୍କୁ ମଧ୍ୟ ବିଭିନ୍ନ ଅଞ୍ଚଳ ଜଗିବା ପାଇଁ ଦାୟିତ୍ୱ ଦିଆଯାଇଥିଲା । ଏକାମ୍ରରୁ ପୁଣିଥରେ ଅଶୋକ ଚନ୍ଦ୍ର ପଣ୍ଡା ଓ ବାବୁସିଂ ମୁହାଁମୁହିଁ ହୋଇଛନ୍ତି । ଏକାମ୍ରର ୮୪ ବସ୍ତିରେ ୭୦ ହଜାର ଭୋଟର ରହୁଛନ୍ତି । ବସ୍ତି ଅଞ୍ଚଳରେ ମତଦାନ ହାର ୭୦% ରହିଥିବାରୁ ଏହା ଉପରେ ସବୁ ଦଳର ନଜର ରହିଛି । ବସ୍ତି ଭୋଟର ଗତଥର ଶଙ୍ଖ ଆଡ଼କୁ ଢଳିଥିବାରୁ ଅଶୋକଙ୍କ ପଲା ଭାରି ରହିଥିଲା । ଏଥର ବି ବସ୍ତି ଭୋଟରମାନେ ହିଁ ଅଶୋକ ଓ ବାବୁଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ବୋଲି କହିଲେ ଭୁଲ୍ ହେବନାହିଁ । ଭୁବନେଶ୍ୱର ମଧ୍ୟରେ ସବୁଠାରୁ ଅଧିକ ବସ୍ତି ରହିଛି । ଏଠାରେ ଛୋଟ ବଡ଼ ହୋଇ ୧୪୮ ବସ୍ତି ରହିଥିବାବେଳେ ସେଠାରେ ୪୮ ହଜାର ଭୋଟର ରହୁଛନ୍ତି । ଉଭୟ ବିଜେଡ଼ି ପ୍ରାର୍ଥୀ ଅନନ୍ତ ନାରାୟଣ ଜେନା ଓ ବିଜେପି ପ୍ରାର୍ଥୀ ଜଗନ୍ନାଥ ପ୍ରଧାନଙ୍କର ବସ୍ତିରେ ଦବଦବା ରହିଛି । ତେବେ ବିଜେଡ଼ିର ଅଧିକ ପ୍ରଭାବ ରହିଥିବା ମନେ କରାଯାଉଛି । ମଧ୍ୟର ବୁଦ୍ଧିଜୀବୀ ବର୍ଗର ଅଧିକାଂଶ ବିଜେପିକୁ ପସନ୍ଦ କରୁଥିବାରୁ ବସ୍ତି ଭୋଟରଙ୍କ ଉପରେ ଫୋକସ୍ ରହିଥିଲା । ଏଥର ତିନି ନିର୍ବାଚନମଣ୍ଡଳୀର ବସ୍ତି ଭୋଟର କେଉଁ ଆଡ଼କୁ ମୁହାଁଇଛି ତାହା ଜୁନ୍ ୪ରେ ଜଣାପଡ଼ିବ ।