ବବି ଦାସଙ୍କ ଭାଇଙ୍କୁ ବାନ୍ଧିଲା ପୋଲିସ: ହିମାଂଶୁ ସାହୁଙ୍କ ଉପରେ ଆକ୍ରମଣ ଘଟଣା

ବବି ଦାସଙ୍କ ଭାଇଙ୍କୁ ବାନ୍ଧିଲା ପୋଲିସ: ହିମାଂଶୁ ସାହୁଙ୍କ ଉପରେ ଆକ୍ରମଣ ଘଟଣା

ଯାଜପୁର: ଧର୍ମଶାଳା ବିଧାୟକ ହିମାଂଶୁ ସାହୁଙ୍କ ଉପରେ ଆକ୍ରମଣ ଘଟଣାରେ ଶନିବାର ଗିରଫ ହୋଇଛନ୍ତି ବିଜେଡି ନେତା ବବି ଦାସଙ୍କ ଭାଇ ଭବ ପ୍ରସାଦ ଦାସ। ତାଙ୍କୁ ଗିରଫ କରାଯାଇ ଏସ୍‌ଡିଜିଏମ୍‌ଙ୍କ ବାସଭବନକୁ ଅଣାଯାଇଛି। ଗତ ବିଳମ୍ବିତ ରାତିରେ ଯାଜପୁର ଟାଉନ ପୋଲିସ ଭବଙ୍କୁ ଅଟକ ରଖିଥିଲା।

ସୂଚନାଯୋଗ୍ୟ, ବହୁ ବର୍ଷ ପୂର୍ବରୁ ବିରଜା ମନ୍ଦିର ନିକଟରେ ଚାଲି ଆସୁଥିବା ବିରଜା ହାଟକୁ ପୂର୍ବ ସରକାର ଅମଳରେ ବିରଜା ପ୍ରକଳ୍ପ ପାଇଁ ଏହାକୁ ସନ୍ଥ ମାଧବ ନିକଟକୁ ସ୍ଥାନାନ୍ତର କରାଯାଇଥିଲା। ହେଲେ ସେଠି ଭଲ ବ୍ୟବସାୟ ହେଉ ନ ଥିବା ନେଇ ବାରମ୍ବାର ବ୍ୟବସାୟୀଙ୍କ ଅଭିଯୋଗରୁ ପୁଣି ହାଟକୁ ପୂର୍ବସ୍ଥାନକୁ ଫେରାଇ ଅଣାଯିବାକୁ ନିଷ୍ପତ୍ତି ହୋଇଥିଲା । ଯାହାକୁ ନେଇ ଦୁଇ ଗୋଷ୍ଠୀ ମୁହାଁମୁହିଁ ହୋଇଥିଲେ।ଗୋଟିଏ ଗୋଷ୍ଠୀ ପୂର୍ବ ସ୍ଥାନକୁ ହାଟ ଫେରିବା ଚାହୁଁଥିବା ବେଳେ ଅପର ଗୋଷ୍ଠୀ ବିରଜା ପ୍ରକଳ୍ପକୁ ଭଣ୍ଡୁର କରାଯିବାର ଉଦ୍ଦେଶ୍ୟ କହି ଏହାର ବିରୋଧ କରୁଥିଲେ। ହାଟ ସ୍ଥାନାନ୍ତର ପାଇଁ ପ୍ରଶାସନର ନିଷ୍ପତ୍ତି ବିରୋଧରେ ରାସ୍ତାରୋକୋବେଳେ ବିଧାୟକଙ୍କ ଗାଡ଼ି ସେଇ ରାସ୍ତା ଦେଇ ଅତିକ୍ରମ କରୁଥିବାବେଳେ ଆକ୍ରମଣ ହୋଇଥିଲା। ଏହି ଆକ୍ରମଣ ମାମଲାରେ ପୋଲିସ ୧୦ ଜଣଙ୍କୁ ଗିରଫ କରି ଜେଲ ହାଜତକୁ ପଠାଯାଇଛି । ବିଧାୟକ ହିମାଂଶୁ ତାଙ୍କ ଉପରେ ଆକ୍ରମଣ ଘଟଣାରେ ସିଧାସଳଖ ବବି ଦାସଙ୍କୁ ଦାୟୀ କରିଛନ୍ତି। ଏଥିସହ ଆଇନ ତା ବାଟରେ ଯିବ, ଆକ୍ରମଣରେ ସଂପୃକ୍ତ ସମସ୍ତେ ଗିରଫ ହେବେ ବୋଲି ହିମାଂଶୁ ଚେତାଇ ଦେଇଛନ୍ତି।