ଆପ୍ ସରକାର ଖର୍ଚ୍ଚ କରି ନ ଥିଲେ କୋଭିଡ୍ ଟଙ୍କା

ନୂଆଦିଲ୍ଲୀ : ଦିଲ୍ଲୀ ସ୍ବାସ୍ଥ୍ୟସେବା ଭିତ୍ତିଭୂମିରେ ବ୍ୟାପକ କର୍ମଚାରୀ ସଙ୍କଟ ସାଙ୍ଗକୁ ଆବଶ୍ୟକ ଔଷଧ ଏବଂ ଉପକରଣର ଅଭାବ ରହିଥିବାବେଳେ ଏବାବଦରେ ମଞ୍ଜୁର ଅର୍ଥ ଖର୍ଚ୍ଚ ହୋଇପାରି ନାହିଁ। ଶୁକ୍ରବାର ଦିଲ୍ଲୀ ବିଧାନସଭାରେ ଉପସ୍ଥାପନ କରାଯାଇଥିବା ସିଏଜି (ଭାରତର କମ୍ପଟ୍ରୋଲର ଆଣ୍ଡ ଅଡିଟ୍ ଜେନେରାଲ)ଙ୍କ ରିପୋର୍ଟରୁ ଏହା ଜଣାପଡ଼ିଛି। କୋଭିଡ୍ ମହାମାରୀ ବେଳେ କେନ୍ଦ୍ର ସରକାର ଜରୁରୀ ସ୍ବାସ୍ଥ୍ୟସେବା ପାଇଁ ଦେଇଥିବା ପାଖାପାଖି ୭୮୮ କୋଟି ଟଙ୍କାରୁ ଦିଲ୍ଲୀ ସରକାର ୨୪୫ କୋଟି ଖର୍ଚ୍ଚ କରି ନ ଥିବା ରିପୋର୍ଟରେ କୁହାଯାଇଛି। ରିପୋର୍ଟରୁ ଆମ୍ ଆଦ୍ମୀ ପାର୍ଟି ସରକାରଙ୍କ ମହତ୍ତ୍ୱାକାଂକ୍ଷୀ ମୋହଲା କ୍ଲିନିକ୍ ପ୍ରକଳ୍ପର ଦୁର୍ବଳ ସ୍ଥିତି ପଦାକୁ ଆସିଛି। ୭୪ଟି ମୋହଲା କ୍ଲିନିକ୍ ମଧ୍ୟରୁ କୌଣସି ଗୋଟିଏରେ ସମସ୍ତ ୧୬୫ଟି ଅତ୍ୟାବଶ୍ୟକ ଔଷଧର ପୂରା ଷ୍ଟକ୍ ନାହିଁ। ପଲ୍ସ ଅକ୍ସିମିଟର, ଗ୍ଲୁକୋମିଟର, ଏକ୍ସ-ରେ ଭିଉୟର, ଥର୍ମୋମିଟର, ବ୍ଲଡ୍ପ୍ରେସର ମନିଟର ଭଳି ଅତ୍ୟାବଶ୍ୟକ ଉପକରଣ ଏହିସବୁ କ୍ଲିନିକ୍ରେ ନ ଥିବା ଏକ ସମୀକ୍ଷାରୁ ଜଣାପଡ଼ିଛି। ୨୦୨୨ ଅକ୍ଟୋବରରୁ ୨୦୨୩ ମାର୍ଚ୍ଚ ମଧ୍ୟରେ ମୋହଲା କ୍ଲିନିକ୍ଗୁଡ଼ିକୁ ଯାଇଥିବା ରୋଗୀଙ୍କ ମଧ୍ୟରୁ ୭୦ ପ୍ରତିଶତଙ୍କୁ ଡାକ୍ତର ଦେଖିବାରେ ୧ ମିନିଟ୍ରୁ କମ୍ ସମୟ ଦେଉଥିବା ଜଣାପଡ଼ିଛି। ଡାକ୍ତରଙ୍କ ଇସ୍ତଫା କିମ୍ବା ଛୁଟିରେ ରହିବା କାରଣରୁ ମୋଟ ୨୧୮ ମୋହଲା କ୍ଲିନିକ୍ ମଧ୍ୟରୁ ନିର୍ଦ୍ଦିଷ୍ଟ ୪ ଜିଲାରେ ଥିବା କ୍ଲିନିକ୍ଗୁଡ଼ିକ ୧୫ ଦିନରୁ ପାଖାପାଖି ୨ ବର୍ଷ ପର୍ଯ୍ୟନ୍ତ ବନ୍ଦ ରହିଛି। ଗତ ମଙ୍ଗଳବାର ଦିଲ୍ଲୀ ଅବକାରୀ ନୀତି ସମ୍ପର୍କିତ ସିଏଜି ରିପୋର୍ଟ ବିଧାନସଭାରେ ଉପସ୍ଥାପନ ହୋଇଥିବାବେଳେ ଏହା ଦ୍ୱିତୀୟ ରିପୋର୍ଟ। ଅବକାରୀ ନୀତିରେ ଅନେକ ଭୁଲ ନିଷ୍ପତ୍ତି ଯୋଗୁ ରାଜ୍ୟ ସରକାରଙ୍କୁ ୨,୦୦୨.୬୮ କୋଟି ଟଙ୍କାର ରାଜସ୍ବ କ୍ଷତି ସହିବାକୁ ପଡ଼ିଥିବା ରିପୋର୍ଟରେ ଦର୍ଶାଯାଇଥିଲା।