ମହାରାଷ୍ଟ୍ରରେ ମାଓ ସଂଗଠନକୁ ବଡ଼ ଝଟକା

ଭେନୁଗୋପାଲଙ୍କ ମୁଣ୍ଡରେ ଥିଲା ୧୦ କୋଟିର ପୁରସ୍କାର
୬୦ କ୍ୟାଡ଼ର ମାଓବାଦୀଙ୍କ ଆତ୍ମସମର୍ପଣ
ମୁମ୍ବାଇ : ମହାରାଷ୍ଟ୍ରରେ ମାଓ ସଂଗଠନକୁ ଲାଗିଛି ବଡ ଝଟକା । ଏକାଥରକେ ୬୦ଜଣ କ୍ୟାଡର ମାଓବାଦୀ କରିଛନ୍ତି ଆତ୍ମସମର୍ପଣ । କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ୨୦୨୬ ମାର୍ଚ୍ଚ ସୁଦ୍ଧା ଦେଶକୁ ନକ୍ସଲ ମୁକ୍ତ କରିବାକୁ ଆହ୍ୱାନ ପରେ ମହାରାଷ୍ଟ୍ରର ଗଡଚିରୋଲିରେ ଦେଖିବାକୁ ମିଳିଛି ଏପରି ଘଟଣା । ଭାରତୀୟ କମ୍ୟୁନିଷ୍ଟ ପାର୍ଟି (ମାଓବାଦୀ)ର ପଲିଟବ୍ୟୁରୋ ସଦସ୍ୟ ଓ ପ୍ରମୁଖ ମାଓବାଦୀ ନେତାମାନଙ୍କ ମଧ୍ୟରୁ ମଲ୍ଲୋଜୁଲା ଭେନୁଗୋପାଲ ରାଓ ଓରଫ ସୋନୁ ସୋମବାର ବିଳମ୍ବିତ ରାତିରେ ୬୦ଜଣଙ୍କ ସହ ଅସ୍ତ୍ରଶସ୍ତ୍ର ତ୍ୟାଗ କରିଛନ୍ତି । ଯାହା ମାଓ ସଂଗଠନ ପାଇଁ ଏକ ବଡ ବିପର୍ଯ୍ୟୟ ଆଣିଛି ।
ଭେନୁଗୋପାଲ ଓରଫ ଭୂପତି ଓରଫ ସୋନୁ କେନ୍ଦ୍ରୀୟ କମିଟିର ଜଣେ ସଦସ୍ୟ ଓ ଏକ ଡିଭିଜନାଲ କମିଟିର ୧୦ ଜଣ ସଦସ୍ୟଙ୍କ ସମେତ କ୍ୟାଡରମାନଙ୍କ ସହିତ ମହାରାଷ୍ଟ୍ରର ଗଡଚିରୋଲି ଜିଲ୍ଲାରେ ପୁଲିସ ସମ୍ମୁଖରେ ଆତ୍ମସମର୍ପଣ କରିଛନ୍ତି । ସୋନୁଙ୍କୁ ମାଓ ସଂଗଠନର ସବୁଠାରୁ ପ୍ରଭାବଶାଳୀ ରଣନୀତିକାରଙ୍କ ମଧ୍ୟରୁ ଜଣେ ଭାବରେ ବିବେଚନା କରାଯାଉଥିଲା । ସୂତ୍ର ଅନୁସାରେ ସେ ମହାରାଷ୍ଟ୍ର-ଛତିଶଗଡ଼ ସୀମାରେ ଦୀର୍ଘ ସମୟ ଧରି ପ୍ଲାଟୁନ୍ ଅପରେସନ୍ ତଦାରଖ କରୁଥିଲେ । ବିଭିନ୍ନ ରାଜ୍ୟରୁ ତାଙ୍କ ମୁଣ୍ଡ ଉପରେ ମୋଟ ୧୦ କୋଟି ଟଙ୍କାର ପୁରସ୍କାର ରାଶି ଥିଲା । ସୋନୁ କେବଳ ଦଳର ଆଦର୍ଶ ମୁଖ୍ୟ ନଥିଲେ ବରଂ ଏହାର ଯୋଗାଯୋଗ ବିଶେଷଜ୍ଞ ଓ ଛତିଶଗଡ଼ର ଜଙ୍ଗଲ ବାହାରେ ଥିବା ବିଶ୍ୱ ସହିତ ଏହାକୁ ଯୋଡ଼ିଥିବା ସୂତ୍ର ମଧ୍ୟ ଥିଲେ । ସୋନୁଙ୍କ ବାହ୍ୟ ଜଗତ ସହିତ ସମ୍ପର୍କ ଥିଲା । ସେ ପୂର୍ବରୁ ମାଓ ସମର୍ଥକ ଓ ସମ୍ମୁଖ ସଂଗଠନ ସହିତ ଯୋଗାଯୋଗ କରୁଥିଲେ । ତାଙ୍କର ବିଦାୟ ସହିତ ଏହା ସ୍ପଷ୍ଟ ଯେ ମାଓବାଦୀ ଦଳ ଏକ ବିପର୍ଯ୍ୟୟର ସମ୍ମୁଖୀନ ହୋଇଛି । ସୋନୁ ଦାବି କରିଥିଲେ ଯେ ସଶସ୍ତ୍ର ସଂଘର୍ଷ ବିଫଳ ହୋଇଛି । ଜନସମର୍ଥନ ହ୍ରାସ ଓ ଶହ ଶହ କ୍ୟାଡରଙ୍କ କ୍ଷତିକୁ ଉଲ୍ଲେଖ କରି ଶାନ୍ତି ଓ ଆଲୋଚନା ଆଡକୁ ପରିବର୍ତ୍ତନ ପାଇଁ ଆବେଦନ କରିଥିଲେ । ପୁଲିସ ସହିତ ସଂଘର୍ଷରେ ଅନେକ ସାଥୀଙ୍କ ମୃତ୍ୟୁରେ ସେ ଅସନ୍ତୁଷ୍ଟ ଥିଲେ । ବରିଷ୍ଠଙ୍କ ବିରୋଧ ସତ୍ତେ୍ୱ କ୍ୟାଡରର ଅନେକ ସଦସ୍ୟ ତାଙ୍କ ମତକୁ ସମର୍ଥନ କରିଥିଲେ ଓ ତାଙ୍କ ନିଷ୍ପତ୍ତିରେ ସହମତ ହୋଇଥିଲେ । ଚଳିତ ବର୍ଷ ଆରମ୍ଭରେ ସୋନୁଙ୍କ ପତ୍ନୀ ତାରକ୍କା ମଧ୍ୟ ଆତ୍ମସମର୍ପଣ କରିଥିଲେ । ସେ ନିଷିଦ୍ଧ ଆନ୍ଦୋଳନର ଦଣ୍ଡକାରଣ୍ୟ ସ୍ୱତନ୍ତ୍ର ଜୋନାଲ କମିଟିର ସଦସ୍ୟ ଥିଲେ ।